୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ମାମଲା ଦମ୍ପତ୍ତି ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ କଉଡିଆ ଗ୍ରାମର ଶମ୍ଭୁ ପ୍ରଧାନ ଓରଫ ମୁନା ଏବଂ ତାଙ୍କ ସ୍ତ୍ରୀ କଳ୍ପନା ପ୍ରଧାନ ଙ୍କୁ ପାଟପୁର ପୋଲିସ ଠକେଇ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ବହୁ ସଂଖ୍ୟକ ମହିଳାଙ୍କ ଠାରୁ କୌଶଳକ୍ରମେ ୩୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରି ଉକ୍ତ ଦମ୍ପତ୍ତି ଆତ୍ମସାତ କରିବା ପରେ ଦୀର୍ଘଦିନ ହେଲା ଫେରାର ଥିଲେ। ଥାନା ମାମଲା ନଂ.୩୧୫/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ସ୍ୱାମୀ – ସ୍ତ୍ରୀଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ବିଭିନ୍ନ ଅଣ ବ୍ୟାଙ୍କିଂ ମାଇକ୍ରୋ ଫାଇନାନ୍ସ ସଂସ୍ଥା କଉଡ଼ିଆ, କଙ୍କୋରଡା, ଆଡପଡ଼ା, ଖଲିଙ୍ଗି ପ୍ରଭୃତି ଗ୍ରାମାଞ୍ଚଳ ର ମହିଳା ମାନଙ୍କୁ ଗ୍ରୁପ୍ ଲୋନ ପ୍ରଦାନ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଚୁକ୍ତି ମୁତାବକ ଋଣ ସହ ସୁଧ ଆଦାୟ କରି ଆସୁଥିଲେ। କଉଡ଼ିଆ ଗ୍ରାମର କଳ୍ପନା ଏବଂ ତାଙ୍କ ସ୍ୱାମୀ ଶମ୍ଭୁ ଫାଇନାନ୍ସ କମ୍ପାନୀରୁ ଋଣ ନେଉଥିବା ସ୍ୱଳ୍ପ ଶିକ୍ଷିତ ଏବଂ ନିରକ୍ଷର ମହିଳାମାନଙ୍କୁ ବିଭିନ୍ନ ଉପାୟରେ ବଶୀଭୂତ କରି ଅଧିକା ସୁଧ ଦେବା ବାହାନା କରି ଘରକୁ ଡକାଇ ସେମାନଙ୍କ ଠାରୁ ବିଭିନ୍ନ ସମୟରେ ପ୍ରାୟ ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ପରିବାର ସହ ଗାଁ ରୁ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ତାଙ୍କୁ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଉଭୟଙ୍କ ସନ୍ଧାନ ମିଳିନଥିଲା। ଋଣ ପ୍ରଦାନ କରିଥିବା ଅଣ ବ୍ୟାଙ୍କିଂ ସଂସ୍ଥା ର ଶାଖା ପରିଚାଳକ ଏବଂ କର୍ମଚାରୀ ମାନେ ଗାଁ ର ଋଣ ନେଇଥିବା ମହିଳା ମାନଙ୍କ ଘର କୁ ଘର ବୁଲି ଋଣ ସହ ସୁଧ ଆଦାୟ ପାଇଁ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ଋଣ ନେଇଥିବା ବହୁ ସଂଖ୍ୟକ ମହିଳା ଲୁଚି ଥିଲେ। ଘଟଣା ପ୍ରଘଟ ହେବା ପରେ ସେମାନେ ତାଜୁବ ହୋଇଥିଲେ। ପରେ ଦମ୍ପତ୍ତି ଙ୍କ ଦ୍ଵାରା ଠକେଇ ର ଶିକାର ହୋଇଥିବା କଉଡ଼ିଆ ଗ୍ରାମର ଯାଜ୍ଞସେନୀ ପ୍ରଧାନ ଗତ ୧ ତାରିଖରେ ଏନେଇ ଉଭୟଙ୍କ ବିରୋଧରେ ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତିକରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ସ୍ୱାମୀ ଶମ୍ଭୁ ଏବଂ ତାଙ୍କ ସ୍ତ୍ରୀ କଳ୍ପନା ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ସ୍ୱାମୀ ସ୍ତ୍ରୀ ଗାଁ କୁ ଫେରିଥିବା ଖବରପାଇ ତଦନ୍ତକାରୀ ଅଧିକାରୀ ଏସ.ଆଇ ଶ୍ରୀନିବାସ ଦାସ ସଦଳବଳେ ଗାଁ ରେ ଚଢାଉ କରି ଅଭିଯୁକ୍ତ ସ୍ୱାମୀ – ସ୍ତ୍ରୀ ଙ୍କୁ କୌଶଳ କରି ଥାନାକୁ ଆଣିଥିଲେ। ଉଭୟଙ୍କ ନିକଟରୁ ଠକେଇ ସମ୍ପର୍କିତ ବିଭିନ୍ନ ଦଲିଲ ଜବତ କରାଯିବା ପରେ ଉଭୟଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଜଣାଇଛନ୍ତି।


