ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬
ଆସିକା (ୱାଇଏନ୍ଏସ୍): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶ କ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଟେକନିକାଲ୍ ହାଇସ୍କୁଲ ପରିସରରେ ସୋମବାର ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକାର ଗୋଷ୍ଟୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ କନିଷ୍ଟ, ବରିଷ୍ଟ ଓ ବରିଷ୍ଠ ଉଚ୍ଚ ମାଧ୍ୟମିକ ବର୍ଗରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବକ୍ତୃତା, ଚିତ୍ରାଙ୍କନ, ଦେଶାତ୍ମକବୋଧ ସଂଗୀତ, ପ୍ରବନ୍ଧ, ଲିଖନ, କୁଇଜ୍, ସୁନ୍ଦର ହସ୍ତାକ୍ଷର, ଚିତ୍ରକଳା, ଦଳଗତ ନୃତ୍ୟ ଇତ୍ୟାଦି ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ପ୍ରତିଯୋଗିତାରେ ଭାଗ ନେଇଥିଲେ । ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ କିଛି ଦିନ ପରେ ଛତ୍ରପୁରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ଳକସ୍ତରୀୟ ସୁରଭି-୨୦୨୬ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ନୋଡାଲ୍ ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା, ଏବିଇଓ ଶିବରାମ ବେହେରା, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପରମାନନ୍ଦ ଜାନି, ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି, ଖାରିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାହୁ, ସମାଜସେବୀ ଭଗବାନ ସାହୁ ପ୍ରମୁଖ ଯୋଗଦେଇ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ରେ ଅଂଶଗ୍ରହଣ କରିଥିବା ୧୩ଟି କ୍ଳଷ୍ଟର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଏହି ଶିଶୁମହୋତ୍ସବ ସୁରଭି ପାଳନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଗୁତୁତ୍ୱାରୋପ କରି ବଣମଲ୍ଲୀ ବଣରେ ନ ମଉଳି ପ୍ରସ୍ପୁଟିତ ହେବାକୁ ଆହ୍ୱାନ କରିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ ଅନ୍ତର୍ନିହିତ ପ୍ରତିଭା ରହିଛି । ଏହାକୁ ଲୋକଲୋଚନକୁ ଆଣିବା ସହ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରି ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ ହୋଇଥିବା ବେଳେ ଏକ ବିକଶିତ ଦେଶକୁ ଆଗେଇ ନେବାରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଏହି ଶିଶୁ ମହୋତ୍ସବ ସୁରଭି ଏକ ବଳିଷ୍ଠ ପଦକ୍ଷେପ ବୋଲି ପ୍ରକାଶ କରି ଶିକ୍ଷାବିଭାଗ ପକ୍ଷରୁ ବିଦ୍ୟାଳୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ବେଶ୍ ପ୍ରଂଶସନୀୟ ବୋଲି ପ୍ରକାଶ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀ ଉଦ୍ବୋଧନ ଦେଇ ଶିଶୁମାନଙ୍କ ଜିଜ୍ଞାସା ହିଁ ସେମାନଙ୍କୁ ଆଗକୁ ଅଗ୍ରସର କରିପାରିବ । ତେଣୁ ଶିଶୁମାନେ ସଦାସର୍ବଦା ସର୍ବଗୁଣସଂପନ୍ନ ହେବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ସଫଳତା ପାଇଥିବା ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ପ୍ରତିଯୋଗିତାରେ ଭାଗ ନେଇଥିବା ଶିଶୁ ମାନେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଏହି ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷକ ତାରାପ୍ରସାଦ ମିଶ୍ର, ସାରଙ୍ଗଧର ଦାଶ, ସରୋଜକାନ୍ତ ମିଶ୍ର, ଗୌରୀଶଙ୍କର ଗୌଡ, ବାଣିଶ୍ରୀ ପଣ୍ଡା, ସନ୍ତୋଷ କୁମାର ସେଠୀ, ଚିତ୍ତରଂଜନ ଷଡଙ୍ଗୀ, ଶିବଶଙ୍କର ସ୍ୱାଇଁ, ସରକାରୀ ଟେକ୍ନିକାଲ୍ ହାଇସ୍କୁଲର ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, କୈଳାଶ ଗୌଡ, ପ୍ରଜ୍ଞା ପରମିତା ପଣ୍ଡା, ଲକ୍ଷ୍ମୀ ଜେନା, ଦେବାଶିଷ୍ ପାଣିଗ୍ରାହୀ, ସର୍ମିଷ୍ଠା ସାହୁ, ଗାୟତ୍ରୀ ବେହେରା, ସୁମିତ୍ରା କାର୍ଜି, ଇପ୍ସିତା ମଲିକ, ମିତାଞ୍ଜଳୀ ପଣ୍ଡା, ଭଗବାନ ସ୍ୱାଇଁ, ବଳରାମ ବେହେରା, ରାହୁଳ ପଟ୍ଟନାୟକ, ସୁଭାଶିଷ୍ ନାହାକ, ସିଦ୍ଧାନ୍ତ ସେଠୀ, କର୍ମଚାରୀ ରବିନ୍ଦ୍ର କୁମାର ସ୍ୱାଇଁ, ବାସୁଦେବ ପ୍ରଧାନ, ଜୟଦେବ ରାଉତ, ଆସିକା ଶିକ୍ଷାବିଭାଗର କର୍ମଚାରୀ ହେମନ୍ତ କୁମାର ନନ୍ଦ, ଚିନ୍ମୟ ପ୍ରଧାନ, ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମେତ ବହୁ ଶିକ୍ଷକ ସହଯୋଗ କରିଥିବା ବେଳେ ବିଚାରକ ରୂପେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


