ନାମ ସଂକୀର୍ତ୍ତନରେ କମ୍ପୁଛି ଆସିକାର ଗାଁଦାଣ୍ଡ
ଆସିକା (ୱାଇଏନ୍ଏସ୍): ଧର୍ମର ମାସ ରୂପେ ପରିଚିତ ଥିବା ପବିତ୍ର କାତ୍ତିକ ମାସ ଚାଲିଛି। ଏଥିପାଇଁ ଆସିକା ସହର ତଥା ଏହାର ଆଖପାଖ ଗ୍ରାମାଞ୍ଚଳର ପରିବେଶ ଆଧ୍ୟାତ୍ମିକମୟ ସାଙ୍ଗକୁ ଉତ୍ସବ ମୁଖର ହୋଇ ଉଠିଛି। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ ସଂକୀର୍ତ୍ତନରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପରିବେଶ ମୁଖରିତ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଛି। ପ୍ରତ୍ୟୁଷରେ ଓ ସନ୍ଧ୍ୟା ସମୟରେ ନାମ ସଂକୀର୍ତ୍ତନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ମାନେ ଶ୍ରଦ୍ଧାଳୁ ଭକ୍ତ ଓ ନାମ ପ୍ରେମୀଙ୍କ ଗହଣରେ ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ , ରାମ ରାମ ହରେ ହରେ ଗାଇ ଗ୍ରାମ୍ୟ ଓ ସହରର ସାହିବସ୍ତି ପରିକ୍ରମା କରୁଥିବା ଦେଖିବାକୁ ମିଳୁଛି। ଆସିକା ବ୍ଳକ ଅଧିନସ୍ଥ ଗଙ୍ଗାପୁର ଶାସନ ଗ୍ରାମର ମହିଳା ନାମପ୍ରେମୀ ଭକ୍ତବୃନ୍ଦମାନେ ପ୍ରତ୍ୟେକ ଦିନ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନାମ ବୋଲି ବିଭିନ୍ନ ସାହିବସ୍ତି ଓ ଦେବାଳୟ ପରିକ୍ରମା କରୁଥିବା ଦେଖିବାକୁ ମିଳୁଛି ।


