ମଦ ବଣ୍ଟନକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ, ୨ ଗିରଫ

ବନ୍ତ, ( ଚାନ୍ଦିନୀ ମହାନ୍ତି): ଗତ ୮ ତାରିଖ ରାତିରେ ବନ୍ତ ଥାନା ଅଧିନ ବନ୍ତ ମେଡିକାଲ ଛକ ନିକଟରେ ମଦ ବଣ୍ଟନକୁ କେନ୍ଦ୍ର କରି ପଧାନପଡା ଗ୍ରାମର ନିରାକାର ମହାରଣା(୩୦)ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ବୁଧବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ପଧାନପଡା ଗ୍ରାମର ଜଗବନ୍ଧୁ ନାୟକ(୩୦) ଓ ଟିଲୋ ବଉଳସାହି ଗ୍ରାମର କାଳନ୍ଦୀ ବେହେରା(୩୫) ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି। ଅଭିଯୋଗରୁ ପ୍ରକାଶ ଯେ, ଗତ ୮ ତାରିଖ ରାତି ପ୍ରାୟ ୮ଟା ସମୟରେ ପଧାନପଡା ଗ୍ରାମର ହରିହର ମହାରଣାଙ୍କ ସାନ ପୁଅ ନିରାକାର ମହାରଣାଙ୍କୁ ତାଙ୍କର ଜଣେ ପଡୋଶୀଙ୍କ ସମ୍ପର୍କୀୟ ଡାକି ନେଇଥିଲେ। ରାତି ୧୧ଟା ୩୦ ସମୟରେ ବନ୍ତ ମେଡିକାଲ ଛକ ରାସ୍ତା ନିକଟରେ ନିରାକାର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଖବର ପରିବାର ଲୋକେ ପାଇଥିଲେ। ସେଠାରୁ ତାଙ୍କୁ ବରପଦା, ପରେ ଭଦ୍ରକ ଓ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ପରେ ଏହି ଘଟଣା ସମ୍ପର୍କରେ ନିରାକାରଙ୍କ ବାପା ହରିହର ମହାରଣା(୭୦) ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଗତ ୯ ତାରିଖରେ ୩୨୭/୨୬ରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା। ଆହତ ନିରାକାର ଓ ଅଭିଯୁକ୍ତ ଦୁଇ ଜଣ ପରସ୍ପରକୁ ଜାଣିଥିଲେ। ଘଟଣା ଦିନ ମଦ ବଣ୍ଟନକୁ ନେଇ ଯୁକ୍ତିତର୍କ ଓ ମାରପିଟ ହେବା ଏବଂ ଅଭିଯୁକ୍ତ ଜଗବନ୍ଧୁ ନାୟକ ନିରାକାରଙ୍କ ମୁଣ୍ଡକୁ ଏକ ଇଟା ଖଣ୍ଡରେ ଆଘାତ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ପୋଲିସ ଆକ୍ରମଣରେ ବ୍ୟବହୃତ ଇଟା ଖଣ୍ଡକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ