ବୈତରଣୀରେ ପୁଣି ବାଲି ଚୋରା କାରବାର ସକ୍ରିୟ
ହାଟଡିହି, (ଓ୍ବାଇଏନଏସ): ବୈତରଣୀ ନଦୀରୁ ପୁଣି ଆରମ୍ଭ ହୋଇଛି ବାଲିର ବେଆଇନ କାରବାର। ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି କେତେକ ବାଲି ଘାଟରୁ ବିନା ଟ୍ରାଞ୍ଜିଟ୍ ପରମିଟ୍ରେ ବାଲି ଉଠାଣ ଓ ପରିବହନ ଚାଲିଥିବା ଅଭିଯୋଗ ହୋଇଛି। ରାତି ପାହିବା ପୂର୍ବରୁ ଶହ ଶହ ବାଲି ବୋଝେଇ ହାଇୱା ରାସ୍ତାରେ ଯାତାୟାତ କରୁଥିବାରୁ ସରକାରଙ୍କ ବିପୁଳ ପରିମାଣର ରାଜସ୍ୱ କ୍ଷତି ହେଉଥିବା ଆଶଙ୍କା ପ୍ରକାଶ ପାଇଛି। ଏହି ବେଆଇନ କାରବାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଶେଷରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ସୂଚନା ଅନୁଯାୟୀ, ଅକ୍ଟୋବର ୧୫ ତାରିଖ ପରେ ବାଲି ଘାଟଗୁଡ଼ିକ ଖୋଲିବା ପରଠାରୁ ନଦୀରୁ ବାଲି ଉଠାଣ ଓ ପରିବହନ ବୃଦ୍ଧି ପାଇଛି। ତେବେ ଅନୁମୋଦିତ ଘାଟ ବ୍ୟତୀତ କେତେକ ବେଆଇନ ଘାଟରୁ ମଧ୍ୟ ବାଲି ଉଠାଯାଉଥିବା ଏବଂ ବିନା ଆବଶ୍ୟକୀୟ କାଗଜପତ୍ରରେ ହାଇୱା ଯୋଗେ ଦୂରଦୂରାନ୍ତକୁ ପରିବହନ କରାଯାଉଥିବା ଅଭିଯୋଗ ଉଠିଛି। ଏହାଦ୍ୱାରା ସରକାରୀ ରାଜସ୍ୱ ହାନି ସହିତ ନଦୀର ପ୍ରାକୃତିକ ପରିବେଶ ଓ ଜଳସମ୍ପଦ ଉପରେ ମଧ୍ୟ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ବାଲି ଚୋରା କାରବାର ସମ୍ପର୍କରେ ଅଭିଯୋଗ ଓ ସୂଚନା ପାଇବା ପରେ ଗତକାଲି ରାତିରେ ପ୍ରଶାସନ ଓ ପୁଲିସ ପକ୍ଷରୁ ଏକ ମିଳିତ ଚଢ଼ାଉ କରାଯାଇଥିଲା। ଏଥିରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା, ଏସଡିପିଓ କମଳ କୁମାର ପଣ୍ଡା, ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ, କେନ୍ଦୁଝର ଖଣି ବିଭାଗର ଅଧିକାରୀ ଏବଂ ନନ୍ଦିପଦା ପୁଲିସ ସାମିଲ ହୋଇଥିଲେ। ମିଳିତ ଟିମ୍ ଅଣା-ସମଣା ରାସ୍ତାର ବିଭିନ୍ନ ସ୍ଥାନରେ ଯାଞ୍ଚ କରିବା ସହ ବାଲି ବୋଝେଇ ହୋଇ ଯାଉଥିବା ୧୦ଟି ହାଇୱାକୁ ଅଟକାଇ ଜବତ କରିଥିଲେ। ଏହି ଚଢ଼ାଉ ସମୟରେ ବେଆଇନ ବାଲି ପରିବହନରେ ସମ୍ପୃକ୍ତ ଗାଡ଼ିଗୁଡ଼ିକୁ ଧରିବାରେ ପ୍ରଶାସନ ସଫଳ ହୋଇଥିବା ବେଳେ ଅନ୍ୟ କେତେକ ଗାଡ଼ି ଚାଳକ ଧରାପଡ଼ିବା ଭୟରେ ରାସ୍ତା ଉପରେ ବାଲି ଢାଳି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ରାସ୍ତା ଉପରେ ବାଲି ଢାଳି ଗାଡ଼ି ଚାଳକମାନେ ଫେରାର ହୋଇଯିବା ଫଳରେ ଅଣା-ସମଣା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏହାଦ୍ୱାରା ସାଧାରଣ ଯାତ୍ରୀ, ଦୁଇଚକିଆ ଯାନ ଚାଳକ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଥିଲା। ବେଆଇନ ବାଲି ପରିବହନ କରିବା ସହ ଏଭଳି ଭାବେ ରାସ୍ତାରେ ବାଲି ଢାଳି ଫେରାର ହୋଇଯିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ନନ୍ଦିପଦା ଥାନାରେ ୪୦୧ରୁ ୪୧୦ ପର୍ଯ୍ୟନ୍ତ ମୋଟ ୧୦ଟି ମାମଲା ରୁଜୁ ହୋଇଛି। ଏଥିସହ ୪ ଜଣ ଗାଡ଼ି ଚାଳକଙ୍କୁ ପୁଲିସ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ବୈତରଣୀ ନଦୀରେ ବାଲି ଉଠାଣକୁ ନେଇ ଏଭଳି ବେଆଇନ କାରବାର କେବେ ବନ୍ଦ ହେବ, ଏହା ଉପରେ ପ୍ରଶାସନର ନିୟମିତ ନଜର ରହିବ କି ନାହିଁ ଏବଂ ରାଜସ୍ୱ ଫାଙ୍କି ଚାଲିଥିବା ଅନ୍ୟ ଗାଡ଼ି ଓ ଘାଟଗୁଡ଼ିକ ବିରୋଧରେ କି ପଦକ୍ଷେପ ନିଆଯିବ, ତାହାକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ପ୍ରଶାସନର ଏହି ଚଢ଼ାଉ ପରେ ବାଲି ମାଫିଆଙ୍କ ଉପରେ କେତେଦୂର ଅଙ୍କୁଶ ଲାଗୁଛି, ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।


