ଆସିକାରେ ଆରମ୍ଭ ହେଲାନି ନିଖିଳ ଭାରତ ସମବାୟ ସପ୍ତାହ !

ଆସିକା  (ୱାଇଏନ୍‍ଏସ୍‍) : ସମବାୟ ନଗରୀ ରୂପେ ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକା ଅଞ୍ଚଳରେ ଅତୀତରେ ପ୍ରତ୍ୟେକ ବର୍ଷ ବିଭିନ୍ନ ସମବାୟ ଅନୁଷ୍ଠାନ ପକ୍ଷରୁ ନଭେମ୍ବର ମାସ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ନିଖିଳ ଭାରତ ସମବାୟ ସପ୍ତାହ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଆସୁଥିଲା । ସମବାୟ ସପ୍ତାହ ପାଳନର ପ୍ରଥମ ଦିନରେ ସମବାୟ ସଂସ୍ଥା ଗୁଡିକରେ ସପ୍ତରଙ୍ଗୀ ପତାକା ଉତ୍ତୋଳନ କରାଯିବା ସାଙ୍ଗକୁ ରଙ୍ଗୀନ୍‍ ଆଲୋକମାଳାରେ ସମବାୟ ସଂସ୍ଥାଗୁଡିକୁ ସଜ୍ଜିତ କରାଯାଉଥିଲା । କିନ୍ତୁ ଚଳିତବର୍ଷ କୌଣସି କାରଣରୁ ସେଥିରେ ଘୋର୍‍ ବ୍ୟତିକ୍ରମ ଘଟି ଅଧିକାଂଶ ସମବାୟ ଅନୁଷ୍ଠାନରେ ଆଜିଠାରୁ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇନଥିବା ଘଟଣାକୁ ନେଇ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ଏବଂ ସମବାୟପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକାରେ ନିଖିଳ ଭାରତ ସମବାୟ ସପ୍ତାହ ଆରମ୍ଭ ନ ହେବା ସଂକ୍ରାନ୍ତରେ ସମବାୟ ସମିତି ସମୂହ ଆସିକା ସର୍କଲର ସହକାରୀ ନିିବନ୍ଧକ ବିଜୟ କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ମହିଳା ଓ ଯୁବପିଢୀଙ୍କୁ ସମବାୟରେ ସାମିଲ୍‍ କରିବା ଏବଂ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମ୍‍ରେ ଜଣକୁ ସମବାୟ ସମିତିରେ ଯୋଡିବା ଓ ଓଡିଶା ସମବାୟ ନୀତି-୨୦୨୬ ଅଧୀନରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ସମବେଶୀ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସମ୍ବନ୍ଧ ସଦସ୍ୟତା ମହାଭିଯାନର ସଫଳ ରୂପାୟନ ଏବଂ ପ୍ରତ୍ୟେକ ପ୍ରାଥମିକ ସେବା ସମବାୟ ସମିତିରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରାଯାଇ ଆଗାମୀ କିଛି ଦିନ ମଧ୍ୟରେ ସମବାୟ ସପ୍ତାହ ପାଳନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଉପଲକ୍ଷେ ଗତ ଜୁନ୍‍ ମାସ ୨୯ ତାରିଖ ଠାରୁ ଜୁଲାଇ ମାସ ୬ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ସମବାୟ ସପ୍ତାହ ପାଳନ କରାଯାଇଥିବାରୁ ବର୍ତ୍ତମାନ ନଭେମ୍ବର ମାସ ୧୪ରୁ ୨୦ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଇ ପାରିଲା ନାହିଁ ବୋଲି ଅନ୍ୟ କେତେକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ୍‍ ନେହୁରୁ ପଞ୍ଚମବାର୍ଷିକ ଯୋଜନା ଆରମ୍ଭରେ ୧୯୫୩ ମସିହାରେ ସମଗ୍ର ଦେଶର ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ଚିକିତ୍ସାଳୟ, ପ୍ରାଥମିକ କୃଷି ସେବା ସମବାୟ ସମିତି ପ୍ରତିଷ୍ଠାନ କରିବା ପାଇଁ ଯେଉଁ ପ୍ରୟାସ କରିଥିଲେ ତାହା ସକରାତ୍ମକ ସ୍ତରରେ ପହଞ୍ଚି ସାରିଥିଲା । ସମବାୟ ମାଧ୍ୟମରେ ସାମଗ୍ରିକ ବିକାଶ ଓ ଅର୍ଥନୈତିକ ପ୍ରଗତି ସମ୍ଭବ ବୋଲି ଗୁରୁତ୍ୱ ଦିଆଯାଉଥିଲା । ତେବେ ଚଳିତବର୍ଷ ନଭେମ୍ବର ୧୪ରୁ ଆସିକା ଅଞ୍ଚଳର ବହୁ ସମବାୟ ଅନୁଷ୍ଠାନରେ ନିଖିଳ ଭାରତ ସମବାୟ ସପ୍ତାହ ଆରମ୍ଭ ହୋଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ