ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

କଟକ, (ଓ୍ବାଇଏନଏସ) : ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଏହି ସ୍ତମ୍ଭକୁ ମଜବୁତ ରଖିବାକୁ ହେଲେ ଏହାର ମୂଳଦୁଆ ହେଉଛି କର୍ତ୍ତବ୍ୟବୋଧ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ – ୨୦୨୬ ଅତ୍ୟନ୍ତ ଉତ୍ସାହ ସହ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ‘ସାମ୍ବାଦିକତା- ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମର ଦାୟିତ୍ୱ, ନୈତିକତା ଓ ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା ହୋଇଥିଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ ଯେ, କଲମର ମୁନରେ ସମାଜରେ ବହୁ ପରିବର୍ତ୍ତନ ସମ୍ଭବ ହୋଇଛି। ସାମ୍ବାଦିକତା ଯୁଗ ଯୁଗ ଧରି ନିଜର ଗୁରୁତ୍ୱ ବଜାୟ ରଖିଆସିଛି।ଲୋକପ୍ରିୟତା ପଛରେ ନ ଗୋଡ଼ାଇ ସାମ୍ବାଦିକମାନେ ସତ୍ୟ, ନିରପେକ୍ଷତା ଓ ନିଜର କର୍ତ୍ତବ୍ୟବୋଧକୁ ପ୍ରାଥମିକତା ଦେବା ଆବଶ୍ୟକ। ମହାଭାରତର ଉଦାହରଣ ଦେଇ ସେ ଭୁଲ୍ ତଥ୍ୟ ଓ ଅପପ୍ରଚାର ସମାଜ ପାଇଁ କେତେ କ୍ଷତିକାରକ ହୋଇପାରେ, ତାହା ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ) ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦେଇ କହିଥିଲେ ଯେ, ସାମ୍ବାଦିକତା ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସମାଜର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ସ୍ୱରକୁ ଉପଯୁକ୍ତ ମଞ୍ଚ ଦେବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକତା କ୍ଷେତ୍ରରେ ମହିଳା ସାମ୍ବାଦିକମାନଙ୍କ ଅଧିକରୁ ଅଧିକ ଯୋଗଦାନ ଓ ଅଂଶଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀ ସୁରେଶ ଚନ୍ଦ୍ର ଦାସ ଯୋଗଦେଇ ଦୁର୍ନୀତି ନିରାକରଣ ଦିଗରେ ସାମ୍ବାଦିକଙ୍କ କଲମ ସର୍ବଦା ଶାଣିତ ରହିଆସିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ମତବ୍ୟକ୍ତ କରିଥିଲେ। ସାମ୍ବାଦିକଙ୍କ କର୍ତ୍ତବ୍ୟବୋଧ, ନୈତିକତା ଓ ଲୋକପ୍ରିୟତା ମଧ୍ୟରେ ଥିବା ସମନ୍ୱୟ ସମ୍ପର୍କରେ ସେ ନିଜର ମତ ରଖିଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ସାମ୍ବାଦିକମାନେ ସାମ୍ବାଦିକତାର ମୂଳ ଆଦର୍ଶ, ସତ୍ୟନିଷ୍ଠା, ନିରପେକ୍ଷତା ଓ ଦାୟିତ୍ୱପୂର୍ଣ୍ଣ ସମ୍ବାଦ ପରିବେଷଣର ଆବଶ୍ୟକତା ଉପରେ ମତବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସ୍ଵାଗତିକା ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଆଜିର ବିଷୟବସ୍ତୁ ସମ୍ପର୍କରେ ପ୍ରାକ୍ ତଥ୍ୟ ପ୍ରଦାନ କରିଥିଲେ ।ସୁଶ୍ରୀ ସୋନାଲୀ କୁଣ୍ଡ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଅଭିରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ