ଜିଲ୍ଲାସ୍ତରୀୟ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ

ବାଲେଶ୍ୱର,(ସରୋଜ ପଣ୍ଡା):  ବାଲେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷ (ଅଡିଟୋରିୟମ୍ ହଲ୍) ଠାରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଜିଲ୍ଲାସ୍ତରରେ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ଡଃ ମହତାବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଜୟନ୍ତୀ ସମାରୋହରେ  ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ମାନ୍ୟବର ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଓ  ବାଲେଶ୍ୱର ଜିଲ୍ଲାପରିଷଦର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ କବି ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ଏହି ସଭାରେ ସଭାପତିତ୍ୱ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଖୁବ ସୁରୁଖୁରୁରେ ପରିଚାଳିତ ହେବା ସହ ସେ ସ୍ୱାଗତ ଭାଷଣ ଦେଇଥିଲେ । ବାଲେଶ୍ୱର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବୁଢ଼ାନ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଭାରେ ବକ୍ତବ୍ୟ ପ୍ରଦାନ କରି ଅତିଥିମାନେ ଡଃ ହରେକୃଷ୍ଣ ମହତାବଙ୍କ ଅସାଧାରଣ ବ୍ୟକ୍ତିତ୍ୱ, ଦେଶପ୍ରେମ, ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ, ଓଡ଼ିଶାର ରାଜନୈତିକ, ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଭୂମିକା ଏବଂ ରାଜ୍ୟର ବିକାଶରେ ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଉପସ୍ଥିତ ସାମ୍ବାଦିକ ଶ୍ରୀଯୁକ୍ତ ଦେବବ୍ରତ ପାଣିଗ୍ରାହୀ ଓ ସମାଜସେବୀ ଶ୍ରୀଯୁକ୍ତ ଶତ୍ରୁଘନ ମଲ୍ଲିକ ମଧ୍ୟ ଡଃ ମହତାବଙ୍କ ଜୀବନୀ, କୃତି ଓ ଓଡ଼ିଶା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ନିଜ ନିଜର ମତାମତ ଓ ଅନୁଭୂତି ପ୍ରକାଶ କରିଥିଲେ। ତାଙ୍କର ଆଦର୍ଶ, ନୀତିନିଷ୍ଠା, ତ୍ୟାଗ ଓ ଜନସେବାର ମନୋଭାବ ଆଜିର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତ ପ୍ରକାଶ ପାଇଥିଲା। ଏହି ଜୟନ୍ତୀ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ସମାଜସେବୀ, ସାମ୍ବାଦିକ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ