ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ପଦଯାତ୍ରା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଶୁକ୍ରବାର ଗଣତନ୍ତ୍ର ବଞ୍ଚାଅ ଓ ଅରାଜକତା ହଟାଅ ନାମରେ ଏକ ବିଶାଳ ପଦଯାତ୍ରା ଓ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼. ଜ୍ୟୋତ୍ସ୍ନାରାଣୀ ଜେନା ଓ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା, ମହିଳା ନେତ୍ରୀ, ପଦାଧିକାରୀ ଏବଂ ଶତାଧିକ କର୍ମୀ ସାମିଲ ହୋଇଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୧୦ଟା ବେଳେ କେନ୍ଦ୍ରାପଡ଼ା ସହରର ପୁରୁଣା ବସ୍ଷ୍ଟାଣ୍ଡରୁ ଏହି ବିଶାଳ ପଦଯାତ୍ରା ଆରମ୍ଭ ହୋଇଥିଲା। ଦଳୀୟ କର୍ମୀ ଓ ନେତୃବୃନ୍ଦ ହାତରେ ବିଜେପିର ଦଳୀୟ ପତାକା ଓ ପ୍ଲାକାର୍ଡ ଧରି ବିଭିନ୍ନ ନାରାବାଜି ଦେବା ସହ ମୁଖ୍ୟ ରାସ୍ତା ଦେଇ ସହର ପରିକ୍ରମା କରିଥିଲେ ଏବଂ ନୂଆ ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲେ। ଏହି ଅବସରରେ ମହାକାଳପଡା ବିଧାୟକ ଡ଼ ଦୁର୍ଗା ପ୍ରସନ୍ନ ନାୟକ ନିଜ ବକ୍ତବ୍ୟରେ ବର୍ତ୍ତମାନ ସମାଜରେ ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ବିପନ୍ନ ହୋଇପଡ଼ିଛି ବୋଲି କହିଥିଲେ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ଲୋକଙ୍କ ସ୍ୱରକୁ ଦବାଇ ଦେବାକୁ ଅପଚେଷ୍ଟା କରାଯାଉଛି ଯାହାକୁ ଭାରତୀୟ ଜନତା ପାର୍ଟି କେବେ ବି ବରଦାସ୍ତ କରିବ ନାହିଁ। ମହିଳାମାନେ ଆଗକୁ ଆସି ଏହି ଅନ୍ୟାୟ ଓ ଅରାଜକତା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ବିଜେପି ସର୍ବଦା ରାଜରାସ୍ତାରେ ଲଢ଼େଇ ଜାରି ରଖିବ। ଏହି ଅବସରରେ ନୂଆବସ୍ଷ୍ଟାଣ୍ଡରେ ଆୟୋଜିତ ପଥପ୍ରାନ୍ତ ସଭାରେ ଉଦ୍ବୋଧନ ଦେଇ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଡ଼. ଜ୍ୟୋତ୍ସ୍ନାରାଣୀ ଜେନା ବିରୋଧୀ କଂଗ୍ରେସର ଅରାଜକତା ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ବକ୍ତବ୍ୟ ଦେଇ କହିଥିଲେ ଯେ କଂଗ୍ରେସ ଦଳ କେବଳ ବିରୋଧ କରିବା ନାଁରେ ଦେଶ ତଥା ରାଜ୍ୟରେ ଅରାଜକତା ଓ ଅଶାନ୍ତି ସୃଷ୍ଟି କରୁଛି। ସାଧାରଣ ଜନତାଙ୍କ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ମିଥ୍ୟା ଅପପ୍ରଚାର ମାଧ୍ୟମରେ ଲୋକଙ୍କୁ ବିଭ୍ରାନ୍ତ କରିବା, ରାଜରାସ୍ତାରେ ହିଂସାକାଣ୍ଡ ଭିଆଇ ଆଇନଶୃଙ୍ଖଳା ପରିସ୍ଥିତି ବିଗାଡ଼ିବା ଏବଂ ମହିଳାମାନଙ୍କ ସମ୍ମାନକୁ କ୍ଷୁଣ୍ଣ କରିବା ଭଳି ଗଣତନ୍ତ୍ର ବିରୋଧୀ କାର୍ଯ୍ୟରେ କଂଗ୍ରେସ ଲିପ୍ତ ରହିଛି। ଏଭଳି ଅରାଜକତାକୁ ଓଡ଼ିଶାବାସୀ ଓ ମହିଳା ସମାଜ କେବେ ବି ବରଦାସ୍ତ କରିବେ ନାହିଁ ବୋଲି ଡ଼. ଜେନା ଚେତାବନୀ ଦେଇଥିଲେ। ଏହି ବିଶାଳ ପଦଯାତ୍ରାରେ ପୂର୍ବତନ ଜିଲ୍ଲା ସଭାପତି କିଶୋର ପଣ୍ଡା, ଆଳି ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ମୀରାରାଣୀ ମହାନ୍ତି, ବନ୍ଦନାରାଣୀ ରାଉତରାୟ, ରୀନାରାଣୀ ଦାସ, ପ୍ରିୟଙ୍କା ଶତପଥି, ରଶ୍ମିତା ସାହୁ, ମଧୁ ପ୍ରିୟଦର୍ଶିନୀ, ସୁନାକର ବେହେରା, ଉପିନ ରାଉତ, କାର୍ଯ୍ୟକ୍ରମ ସହ ସଂଯୋଜକ ପ୍ରଶାନ୍ତ ସେଠୀ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ଗୀତାଞ୍ଜଳି ସେଠୀ, ଲଳିତ ବେହେରା, ଦୀପକ ରଥ, ଦୁର୍ଯ୍ୟଧନ ସାହୁ, ଅଭିମନ୍ୟୁ ଗୋଚ୍ଛାୟତ, ଅମିତାଭ ସୁଆର, ପ୍ରତିମା ନାୟକ, ଶିବାନୀ ଶଙ୍କର ଦାସ, ଜୀବନାନନ୍ଦ ସାହୁ, ଶ୍ରୀଧର ପ୍ରଧାନ, ବିଚିତ୍ର ପ୍ରଧାନ, ଶୁଭକାନ୍ତ ନାୟକ, ସକ୍ତିଶ୍ରୀ ଲେଙ୍କା, ମାନସ ଦାସ, ଶୁଭକାନ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ। ପଦଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


