ନାସାକୁ ହ୍ୱାଇଟ୍ ହାଉସ୍ର ନିର୍ଦ୍ଦେଶ ଇସ୍ରୋକୁ ସହଯୋଗ କର

ୱାଶିଂଟନ୍(ଏଜେନ୍ସି): ଭାରତର ସାଟେଲାଇଟ୍ ବିଧ୍ୱଂସୀ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ମହାକାଶରେ ଜମି ରହିଥିବା ଭଗ୍ନାଂଶଙ୍କୁ ନେଇ ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ୍ ନାସା ଅସନ୍ତୋଷ ପ୍ରକାଶ କରିଥିଲା । ଭାରତର ଏହି ପରୀକ୍ଷଣ ଦ୍ୱାରା ମହାକାଶରେ ଆବର୍ଜନା ଜମା ହୋଇଥିବା ନାସା ଅଭିଯୋଗ କରିଥିଲା । ଏପରିକି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)କୁ କୌଣସି ସହଯୋଗ ନ କରିବାକୁ ନାସା ନିଷ୍ପତ୍ତି ମଧ୍ୟ ନେଇଥିଲା । ମାତ୍ର ନାସାର ଏପ୍ରକାର ନିଷ୍ପତ୍ତି ଉଚିତ୍ ନଥିବା ଦର୍ଶାଇ ଆମେରିକା ସରକାର ଇସ୍ରୋକୁ ସହଯୋଗ କରିବା ଲାଗି ନାସାକୁ କହିଛନ୍ତି । ହ୍ୱାଇଟ୍ ହାଉସ୍ ପକ୍ଷରୁ ଆଜି ଏନେଇ ନାସାକୁ ନିର୍ଦ୍ଦେଶ ଦିଆଯିବା ପରେ ନାସା ନିଜ ନିଷ୍ପତ୍ତି ପରିବର୍ତ୍ତନ କରିବା ସହ ଇସ୍ରୋକୁ ପୂର୍ବବତ୍ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛି । ଭାରତର ସାଟେଲାଇଟ୍ ବିଧ୍ୱଂସୀ ପରୀକ୍ଷଣକୁ ଭୟଙ୍କର ବୋଲି ଦର୍ଶାଇଥିବା ନାସା ଅଧ୍ୟକ୍ଷ ଜେମ୍ସ ବ୍ରିଡେନଷ୍ଟାଇନ୍ ଆଜି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍ଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଇସ୍ରୋ ସହ ନାସାର ସହଯୋଗିତା ପୂର୍ବବତ ଜାରି ରହିବ । ଆଗାମୀ ଦିନରେ ମାନବ ଅନ୍ତରୀକ୍ଷ ଉଡ଼ାଣ, ଗ୍ରହ ବିଜ୍ଞାନ, ଭାରତ-ଆମେରିକା ଭୂ-ବିଜ୍ଞାନ ଏବଂ ହେଲିଓଫିଜିକ୍ସ ୱାର୍କିଂ ଗ୍ରୁପ୍ ଆଦି କାର୍ଯ୍ୟକ୍ରମରେ ନାସା-ଇସ୍ରୋର ମିଳିତ ପ୍ରୟାସ ଜାରି ରହିବ । ଏହା ପୂର୍ବରୁ ସେ ଇସ୍ରୋ ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖି ମାନବ ଅନ୍ତରୀକ୍ଷ ଉଡ଼ାଣ କାର୍ଯ୍ୟ ଗୋଷ୍ଠୀ କାର୍ଯ୍ୟକ୍ରମ ଅଧୀନରେ ଇସ୍ରୋକୁ ନିଲମ୍ବନ କରୁଥିବା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ