ଗାଁ ଠୁ ସହର ସବୁଠି ଜମୁଛି ନିର୍ବାଚନ ପ୍ରଚାର
ହିଂଜିଳିକାଟୁ (ଶେଷଦେବ ସାହୁ) : ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକଙ୍କ ଗଡ କୁଡାଯାଉଥିବା ଼ ହିଂଜିଳିକାଟୁ ପୌରାଂଚଳ ସମେତ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗାଁ ଠୁ ସହର ପର୍ଯ୍ୟନ୍ତ ସମସ୍ତ ଅଂଚଳରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ମାନଙ୍କ ପକ୍ଷରୁ ପ୍ରଚାର ଧିରେ ଧିରେ ଜୋର ଧରିଲାଣି । ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀ ମାନେ ଦିନ ରାତିକୁ ଏକ କରି ଦେଇଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ମଧ୍ୟ ଖାତିର ନାହିଁ । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଦଳ ସିନେ ତାରକା ଓ ଯାତ୍ରା ଅଭିନେତା ମାନଙ୍କୁ ସାଙ୍ଗରେ ଧରି ମତଦାତାଙ୍କ ସମର୍ଥନ ସାଉଁଟିବାକୁ ପ୍ରୟାସ ଚଳାଇଛନ୍ତି । ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଗାଁ ଠୁ ସହର ପର୍ଯ୍ୟନ୍ତ ସମସ୍ତ ଅଂଚଳରେ ରାଜନୈତିକ ମାହୋଲର ପ୍ରଚାର ଜୋର ଧରିଥିବା ଦେଖିବାକୁ ମିଳିଛି । । ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗ୍ରାମ ପଂଚାୟତ ସମେତ ସହରାଂଚଳର ପ୍ରତ୍ୟେକ ସାହି ବସ୍ତିକୁ ଦଳର ପ୍ରାର୍ଥୀ ହାଇଭୋଲଟେଜ ପ୍ରଚାର ସୁତ୍ରକୁ ଆପଣେଇଛନ୍ତି । ନେତା ମାନଙ୍କର ଯେଉଁ ଅଂଚଳରେ ଦିନେ ପାଦ ପଡ଼ିବା ସ୍ୱପ୍ନ ମନେ ହେଉଥିଲା, ଆଜି ସେହି ଅଂଚଳରେ ଏବଂ ସେହି ମାଟି କୁଡ଼ିଆ ଓ ଝୁମ୍ପୁଡ଼ି ଘର ମଧ୍ୟରେ ମାଟି ଚଟାଣରେ ଚକା ପକାଇ ଭୋଜନ କରିବାକୁ ଦ୍ୱିଧା ପ୍ରକାଶ କରୁ ନାହାନ୍ତି । ମତଦାତା ମାନେ ଯଦିଓ ଏହି ଧରଣର ନେତା ମାନଙ୍କ ଅସଲ ଉଦ୍ଦେଶ୍ୟ ବୁଝିବାରେ ଭୁଲ କରୁନାହାନ୍ତି, ତଥାପି ଅତିଥି ଦେବୋ ଭବଃ ର ନ୍ୟାୟରେ ଚୁପ ରହୁଛନ୍ତି । ଚୁପ ରହୁଛନ୍ତି କାରଣ ଏଥିପାଇଁ ମୁହଁରେ କିଛି ନକହି ସେମାନେ ତାଙ୍କର ଠିକଣା ପ୍ରତିକ୍ରିୟା ଉଚିତ ପ୍ରାର୍ଥୀ ମାନଙ୍କୁ ଇଭିଏମ ଦ୍ୱାରା ଭୋଟ ଦେବାକୁ ନିଷ୍ପତି ନେଇଛନ୍ତି ।
ସହର ଠାରୁ ଗାଁ ପର୍ଯ୍ୟନ୍ତ ଡ଼ାକବାଜି ଯନ୍ତ୍ରରେ କାନ ଅତଡ଼ା ପଡ଼ୁଛି । ପ୍ରଚାର ପତ୍ର, ପ୍ରାଚୀରପତ୍ର, ବ୍ୟାନର, ଫ୍ଲେକ୍ସରେ ସାରା ନିର୍ବାଚନ ମଣ୍ଡଳୀ ବିଛେଇ ହୋଇପଡ଼ିଛି । ଗାଡ଼ି ଓ ବାଇକ ରାଲିରେ ଏବେ ଗାଁ ଦାଣ୍ଡ ପୂରି ଉଠୁଛି । ହେଲେ ମତଦାତା ମାନଙ୍କ ମନ କେତେ ମାତ୍ରାରେ ପୂରି ଉଠୁଛି, ତାହା ଜାଣିବା ପାଇଁ ପ୍ରାର୍ଥୀ ମାନଙ୍କ ସମୟ ନାହିଁ । ରାତି ହେଉ ବା ଦିନ , ମନ୍ଦିର ବେଢା ହେଉ ବା କ୍ଳବ ଘର ସବୁଠି ଚାଲିଛି ରୋଷେଇ । ମଦ ଓ ମାଂସରେ ଗାଁ ଓ ସହରର ବେକାର ଯୁବକ ମାନେ ଏବେ ସମ୍ପୂଣ୍ଣ ମସଗୁଲ । ଆସିକା ଲୋକସଭା ଅନ୍ତର୍ଗତ ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ୟ ପର୍ଯ୍ୟାୟ ଅର୍ଥାତ ଚଳିତ ମାସ ୧୮ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମଇ ୨୩ ରେ ଫଳାଫଳ ପ୍ରକାଶିତ ହେବାକୁ ଥିଲେ ମଧ୍ୟ ଏବେ ଠାରୁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ମାନେ ବିଭିନ୍ନ ପ୍ରକାର ଋଣ କୌଶଳ ଅବଲମ୍ବନ କରିବା ସହ ଭୋଟ ହାତେଇବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛନ୍ତି ।


