ଏସ୍ପି-ବିଏସ୍ପି-ଆରଏଲଡି ମହାମେଣ୍ଟର ପ୍ରଥମ ନିର୍ବାଚନୀ ସଭା କଂଗ୍ରେସକୁ ଭୋଟ୍ ନ ଦେବାକୁ ମାୟାବତୀଙ୍କ ଆହ୍ୱାନ
ସାହରନ୍ପୁର(ଏଜେନ୍ସି): ଉତ୍ତରପ୍ରଦେଶ ସାହରନ୍ପୁର ଜିଲ୍ଲା ଅନ୍ତର୍ଗତ ଦେଓବନ୍ଦ ଠାରେ ରବିବାର ସମାଜବାଦୀ ପାର୍ଟି (ଏସ୍ପି), ବହୁଜନ ସମାଜ ପାର୍ଟି (ବିଏସ୍ପି) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆରଏଲ୍ଡି)ମଧ୍ୟରେ ଗଠିତ ହୋଇଥିବା ମହାମେଣ୍ଟର ପ୍ରଥମ ନିର୍ବାଚନୀ ଜନସଭା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୫ବର୍ଷ ପରେ ଏସ୍ପି-ବିଏସ୍ପି ଏକାଠି ଗୋଟିଏ ମଞ୍ଚରେ ଅଂଶଗ୍ରହଣ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଜନସଭାରେ ଏସ୍ପି ଅଧ୍ୟକ୍ଷ ଅଖିଳେଶ ଯାଦବ, ବିଏସ୍ପି ସୁପ୍ରିମୋ ମାୟାବତୀ ଏବଂ ଆରଏଲ୍ଡି ଅଧ୍ୟକ୍ଷ ଚୌଧୁରୀ ଅଜିତ୍ ସିଂହ ଉପସ୍ଥିତ ରହି ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ । ମାୟାବତୀ ନିଜ ଉଦ୍ବୋଧନରେ ମୁସଲମାନ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିବା ଦେଖିବାକୁ ମିଳିଥିଲା । ମାୟାବତୀ କହିଥିଲେ ଯେ, ମୁସଲମାନ ଭୋଟରମାନେ କଂଗ୍ରେସର ମିଛ ପ୍ରତିଶ୍ରୁତି ଓ ଆଶ୍ୱାସନାରେ ଭାସିନଯାଇ ନିଜ ଭୋଟ୍ ଏକ ସଶକ୍ତ ଦଳ ବା ମେଣ୍ଟକୁ ଦେବା ଉଚିତ୍ ଯିଏକି ଆଗାମୀ ଦିନରେ ସେମାନଙ୍କ ସୁଃଖଦୁଃଖର ସାଥୀ ହୋଇପାରିବ, ସେମାନଙ୍କ କଷ୍ଟକୁ ବୁଝିପାରୁଥିବ । ବିଜେପିକୁ କଂଗ୍ରେସ କଦାପି ଟକ୍କର ଦେଇପାରିବନାହିଁ । ଏସ୍ପି-ବିଏସ୍ପି-ଆରଏଲଡି ମହାମେଣ୍ଟ ହିଁ ବିଜେପିକୁ ଟକ୍କର ଦେଇପାରିବ । କଂଗ୍ରେସକୁ ମଧ୍ୟ ଏ କଥା ଭଲଭାବେ ଜଣାଅଛି । କଂଗ୍ରେସ ଏହି ମହାମେଣ୍ଟକୁ ଜିତିବାକୁ ସୁଯୋଗ ଦେବାକୁ ଚାହୁଁନାହିଁ । ସେଥିପାଇଁ ବିଜେପିକୁ ସୁହାଇବା ଭଳି କେତେକ ଆସନରେ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକଟ ଦେଇଛି । ତେବେ କଂଗ୍ରେସର ଏହି ଚାଲ୍କୁ ବିଫଳ କରିବା ସହ ଭୋଟ୍ ଭାଗବଣ୍ଟାକୁ ରୋକିବାକୁ ହେବ । ସମସ୍ତେ ଏକଜୁଟ୍ ହୋଇ ବିଜେପି ଓ କଂଗ୍ରେସ ବିରୋଧରେ ମହାମେଣ୍ଟକୁ ଭୋଟ୍ ଦେବାକୁ ଏବଂ ବିଶେଷକରି ସେମାନଙ୍କ ବହୁମୂଲ୍ୟ ଭୋଟ୍ କଂଗ୍ରେସକୁ ନଦେବାକୁ ମାୟାବତୀ ଉପସ୍ଥିତ ଜନତାଙ୍କୁ ଆହ୍ୱାନ କରିଥିଲେ ।
ମାୟାବତୀଙ୍କ କହିବାନୁସାରେ ଆସନ୍ତା ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେପିକୁ ଉଚିତ୍ ଶିକ୍ଷା ମିଳିବ । ଅଣବିଜେପି ଏବଂ ଅଣକଂଗ୍ରେସ ମହାମେଣ୍ଟ ହିଁ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି । ବିଜେପି ସରକାର ଗତ ୫ବର୍ଷ ମଧ୍ୟରେ କିଛି ବି କରିନଥିବା ବେଳେ କଂଗ୍ରେସ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନୀ ଇସ୍ତାହାର ଜାରି କରିବା ଶିଖିଛି । ଦେଶର ଗରିବଙ୍କୁ ବାର୍ଷିକ ୭୨ହଜାର ଟଙ୍କା ଦେବା ନେଇ କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦେଇଛି ତାହା ଏକ ମିଛ ଆଶ୍ୱାସନା ବୋଲି ମାୟାବତୀ କହିଛନ୍ତି । ମାୟାବତୀଙ୍କ ସ୍ୱର ସହିତ ସ୍ୱର ମିଶାଇଥିଲେ ଅଖିଳେଶ ଯାଦବ । ବିଜେପି ଓ କଂଗ୍ରେସ ଗୋଟେ କାଟାଗୋରିର ବୋଲି ଅଖିଳେଶ କହିଥିଲେ । ଏସ୍ପି-ବିଏସ୍ପି-ଆରଏଲଡି ମହାମେଣ୍ଟ ଦେଶରେ ଏକ ମହା ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଅଖିଳେଶ କହିଥିଲେ । ଅଖିଳେଶ ଉଭୟ ବିଜେପି ଓ କଂଗ୍ରେସକୁ ଭୋଟ ନଦେବା ପାଇଁ କହିଥିଲେ । ଅନ୍ୟପକ୍ଷେ ବିଜେପି ବିରୋଧରେ ଏସ୍ପି-ବିଏସ୍ପି-ଆରଏଲଡି ମହାମେଣ୍ଟରୁ ଅନେକ କିଛି ଆଶା ରଖିଥିବା କଂଗ୍ରେସକୁ ଆଜି ମାୟାବତୀଙ୍କ ଏପ୍ରକାର ଘୋଷଣା ଶକ୍ତ ଧକ୍କା ସଦୃଶ ହୋଇଛି । କଂଗ୍ରେସର ସବୁ ସମୀକରଣ ଏଠାରେ ଫେଲ ହୋଇଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋରଧରିଛି ।


