ପ୍ରଶାସନିକ ହସ୍ତକ୍ଷେପ ପରେ ହଟିଲା ଜବରଦଖଲ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ସକାଶେ ପ୍ରୟାସ ଜାରୀ ରଖିଛନ୍ତି । ଲୋକଙ୍କ ଆବଶ୍ୟକତାକୁ ସଠିକ ମାର୍ଗରେ କାର୍ଯ୍ୟାନୁୟାନ ପାଇଁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଥିବା ବେଳେ ରାଜନୈତିକ ଛକପଂଝା ଯୋଗୁଁ ବହୂ ଉନ୍ନୟନ ପ୍ରକଳ୍ପ ନିର୍ମାଣରେ ବିଳମ୍ବତା ପ୍ରକାଶ ପାଉଥିବା ଜଣାପଡ଼ିଛି । । ଫଳରେ ଜନ ଅସନ୍ତୋଷ ଦେଖା ଦେବା ସହ ଉନ୍ନତି ପ୍ରକଳ୍ପ ଗୁଡ଼ିକ ବହୁ ବିଳମ୍ବରେ କାର୍ଯ୍ୟକାରୀ ହେଉଥିବା ଦେଖିବାକୁ ମିଳୁଛି । ଏଭଳିି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ପୁଟିଆପଦର ପଂଚାୟତ ବାଳକୃଷ୍ଣପୁର ଗ୍ରାମରେ ଦେଖିବାକୁ ମିଳିଛି । ଲୋକଙ୍କ ଆବଶ୍ୟକତାକୁ ଉପଲବ୍ଧ କରି ଶେଷରେ ପ୍ରଶାସନିକ ସ୍ତରରେ ହସ୍ତକ୍ଷେପ କରାଯାଇ ଜବରଦଖଲ ଉଛେଦ କରାଯାଇଛି ଏବଂ ଅଧିକୃତ ସ୍ଥାନରେ କଲ୍ୟାଣମଣ୍ଡ, ଅଙ୍ଗନୱାଡ଼ି ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ସକାଶେ ପ୍ରସ୍ତାବ ସ୍ଥିରିକୃତ ହୋଇଥିବା ଜଣାପଡ଼ିଛି ।  ପ୍ରକାଶ ଥାଉକି ପୁରୁଷୋତମପୁର ଥାନା ତଥା , ହିଂଜିଳି ତହସିଲ ବାଳକୃଷ୍ଣପୁର ଗ୍ରାମରେ ଗତ ପ୍ରାୟ ୩୦ ବର୍ଷ ଧରି ଖାତା ନଂ- ୪୩୨, ପ୍ଳଟ ନଂ- ୧୮୯ର ପ୍ରାୟ ୨.୨୪୧ ଡ଼େସିମିଲି ରଖିତ ଅନାବାଦି ବସ୍ତି ଯୋଗ୍ୟ ଜମିକୁ ଗ୍ରାମର କିଛି ସ୍ୱାର୍ଥନ୍ୟସ୍ତ ଗୋଷ୍ଠୀ ନିଜ ଅକ୍ତିଆରରେ ରଖି ଶୌଚାଳୟ ଏବଂ କୁଡ଼ିଆ ଘର ତିଆରି କରି ଜବରଦଖଲ ଭାବେ ରହି ଆସୁଥିଲେ । ସଂପୃକ୍ତ ସ୍ଥାନରେ କଲ୍ୟାଣମଣ୍ଡ, ଅଙ୍ଗନୱାଡ଼ି ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣର ନିଶ୍ଚିତ ଆବଶ୍ୟକତା ରହିଥିବା ବେଳେ ରାଜନୈତିକ ଛକପଂଝା ଯୋଗୁଁ ପ୍ରକଳ୍ପ ଗୁଡ଼ିକ ନିର୍ମାଣ ହୋଇନପାରି ଅଟକି ରହିଥିଲା । ପରିଶେଷରେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଶୁକ୍ରବାର ପୁରୁଷୋତମପୁର ପୁଲିସ, ହିଂଜିଳି ତହସିଲ ଓ ସ୍ଥାନୀୟ ବ୍ଳକ ପ୍ରଶାସନର ମିଳିତ ସହଯୋଗରେ ସଂପୃକ୍ତ ସ୍ଥାନରେ ଜବର ଦଖଲ ଉଛେଦ ଆରମ୍ଭ କରାଯାଇଛି । ସଂପୃକ୍ତ ସ୍ଥାନରେ ନିର୍ମାଣଧିନ ଥିବା ବେଆଇନ ଶୌଚାଳୟ ଏବଂ କୁଡ଼ିଆ ଘରକୁ ହଟାଯାଇଛି ଏବଂ ମାପଚୁପ କରି ସଂପୃକ୍ତ ଅଂଚଳରେ ଲାଲ ପତକା ଲଗାଯାଇଛି । ଉକ୍ତ ଜବର ଦଖଲ ଉଛେଦ ସମୟରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ପିଇଓ ବିଜୟ କୁମାର ସେଠି, କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ସୁବୁଦ୍ଧି,ରାଜସ୍ୱ ନିରୀକ୍ଷକ ଅରବିନ୍ଦ ଦାସ, ବିଳାସ ନାହାକ, କୃଷ୍ଣଚନ୍ଦ୍ର ଜେନା, ସୁପରଭାଇଜର ରାମଚନ୍ଦ୍ର ସ୍ୱାଇଁ, ପୁଲିସ ଏଏସଆଇ ଆର.ଏନ. ପାଣିଗ୍ରାହୀ, ନାଲୁ ଶବର, ଜି. ମାଧବ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ