ଦ୍ୱୀପରେ ବଢୁଛି ଜନସଂଖ୍ୟା
ଅନେକଙ୍କର ଧାରଣା ଯେ, ଦ୍ୱୀପଗୁଡିକ ଜନଶୂନ୍ୟ । ଏଠାରେ କେବଳ ପର୍ଯ୍ୟଟକଙ୍କ ଭିଡ ଏକ ନିର୍ଦ୍ଦିଷ୍ଟ ସମୟରେ ହିଁ ଦେଖାଯାଏ । ହେଲେ କାନାଡା ବିଶେଷଜ୍ଞଙ୍କ ସର୍ବେକ୍ଷଣରୁ ପ୍ରକାଶିତ ଯେ ସମୟକ୍ରମେ ଦ୍ୱୀପଗୁଡିକରେ ମଧ୍ୟ ଜନସଂଖ୍ୟା ବଢିବାରେ ଲାଗିଛି । ତନ୍ମଧ୍ୟରୁ ପାନାମାର ‘ସନ୍-ବ୍ଲାସ୍’ ଦ୍ୱୀପଟି ଅନ୍ୟତମ । ଗୁନା ପ୍ରଜାତିର ଲୋକେ ବସବାସ କରୁଥିବା ଏହି ଦ୍ୱୀପରେ ବର୍ତ୍ତମାନ କଣିଚାଏ ସ୍ଥାନ ଖାଲି ନାହିଁ । ପରିସ୍ଥିତି ଏପରି ଯେ ସ୍ଥାନୀୟ ଲୋକେ ଗୁଜୁରାଣ ମେଣ୍ଟାଇବା ପାଇଁ ପାଖାପାଖି ଦ୍ବୀପରେ ନଡ଼ିଆ ଓ ଅନ୍ୟ ଫଳ ଚାଷ କରୁଛନ୍ତି। ଗୁନା ପ୍ରଜାତିର ଲୋକଙ୍କ କହିବାନୁସାରେ ବର୍ତ୍ତମାନ ପରିସ୍ଥିତି ଏଠାରେ ଶୋଚନୀୟ। ଦ୍ବୀପର ଜଳବାୟୁ ମଧ୍ୟ ଅସ୍ବାସ୍ଥ୍ୟକର ହୋଇଗଲାଣି। ସ୍ଥାନୀୟ ଲୋକଙ୍କ ସଂଖ୍ୟା ବଢୁଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୦୨ ବେଳକୁ ଏହା ବିଶ୍ବର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଭାବେ ଗଣାଯାଉଥିଲା। ଲୋକଙ୍କ ସଂଖ୍ୟା ବଢୁଥିବାରୁ ଏଠାରେ ଅରାଜକତା ଓ ଲୁଟ୍ପାଟ୍ ବଢିବାରେ ଲାଗିଛି।


