ବତକ ଓ କୁକୁଡ଼ା ଅଣ୍ଡା ମଧ୍ୟରେ ପ୍ରଭେଦ
ସ୍ବାଦିଷ୍ଟ ଖାଦ୍ୟ ଖାଇବା କାହାକୁ ବା ପସନ୍ଦ ନୁହେଁ। ହେଲେ ଏମିତି ବହୁତ କମ ଆଇଟମ୍ ରହିଛି ଯାହା ସ୍ବାଦିଷ୍ଟ ହେବା ସହ ପୁଷ୍ଟିକର ମଧ୍ୟ । ଏପରି ଖାଦ୍ୟଟିଏ ହେଲା ଅଣ୍ଡା । ଯାହା ଖାଇବା ପାଇଁ ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟ ପାଇଁ ଅନେକ ମାତ୍ରାରେ ହିତକର। ଅଣ୍ଡା ଖାଇଲେ ଶରୀରକୁ ପ୍ରୋଟିନ, ଭିଟାମିନ ମିଳିଥାଏ। ଏହା ସହ ଅଣ୍ଡା ଶରୀରକୁ ମଜଭୁତ କରିଥାଏ। କାରଣ ଅଣ୍ଡାରେ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ସେଥିଲାଗି ସୁନ୍ଦର ଏବଂ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଅଣ୍ଡାର ଗୁରୁତ୍ୱ ବେଶି । ହେଲେ ଅଧିକାଂଶ ଲୋକେ ଜାଣିନଥିବେ ଯେ, ବତକ ଅଣ୍ଡା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ତେବେ କୁକୁଡା ଅଣ୍ଡା ଓ ବତକ ଅଣ୍ଡା ମଧ୍ୟରୁ କେଉଁ ଅଣ୍ଡା ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ ଜାଣନ୍ତୁ ।
କୁକୁଡା ଅଣ୍ଡାର ଓଜନ ୫୦ ଗ୍ରାମ ଥିବାବେଳେ ବତକ ଅଣ୍ଡାର ଓଜନ ୭୦ ଗ୍ରାମ । ବତକ ଅଣ୍ଡାର ସେଲ୍ ବା ଖୋଳପା କୁକୁଡା ଅଣ୍ଡାଠାରୁ ଟିକେ ମୋଟା ଥାଏ। ବତକ ଅଣ୍ଡା ଅନେକ ଦିନ ପର୍ଯ୍ୟନ୍ତ ରହିଲେ ମଧ୍ୟ ଖରାପ ହୁଏ ନାହିଁ। ବତକ ଅଣ୍ଡାର ଏଲ୍ବ୍ୟୁମିନ୍(ଧଳା ଭାଗ)ଅଧିକ ଥାଏ। ସେଥିପାଇଁ ବତକ ଅଣ୍ଡା କେକ୍ ଓ ଅନ୍ୟାନ୍ୟ ବେକ୍ଡ କରାଯାଉଥିବା ଖାଦ୍ୟ ପଦାର୍ଥ ତିଆରିରେ ବ୍ୟବହାର ହୋଇଥାଏ। ବତକ ଅଣ୍ଡାରେ ଓମେଗା ୩ର ମାତ୍ରା ମଧ୍ୟ ଅଧିକ ଥାଏ। ତେବେ ବତକ ଅଣ୍ଡା ଓ କୁକୁଡା ଅଣ୍ଡାର ସ୍ବାଦରେ କୌଣସି ତଫାତ ନଥାଏ। ବତକ ଅଣ୍ଡାରୁ ୯ ଗ୍ରାମ ପ୍ରୋଟିନ୍ ମିଳେ, କିନ୍ତୁ କୁକୁଡା ଅଣ୍ଡାରୁ ୬ ଗ୍ରାମ ପ୍ରୋଟିନ ମିଳେ। ତେବେ କୁକୁଡା ଅଣ୍ଡାରେ କାର୍ବୋହାଇଡ୍ରେଟ୍ ନଥାଏ ହେଲେ ବତକ ଅଣ୍ଡାରେ ୧ ଗ୍ରାମ କାର୍ବୋହାଇଡ୍ରେଟ୍ ରହିଛି। ମୋଟାମୋଟି କହିଲେ, ବତକ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। କିନ୍ତୁ ଲୋକେ ଅଧିକ ମାତ୍ରାରେ କୁକୁଡା ଅଣ୍ଡା ଖାଆନ୍ତି। କାରଣ ଏହାର ଉତ୍ପାଦନ ଅଧିକ ହୁଏ ଓ ବତକ ଅଣ୍ଡା ବଜାରରେ ଅଧିକ ମିଳେନାହିଁ।