ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଦଳିକୁ ନେଇ ଅସନ୍ତୋଷ
ବନ୍ତ, (ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଦଳିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । କାହା ଚାପ ଓ ସ୍ୱାର୍ଥରେ ସରକାରୀ ନିୟମକୁ ଉଲଂଘନ କରାଯାଇଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଯେ, ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଚିଠି ନଂ-୧୮୫୭୫/ତା-୧୮-୧୦-୧୯ ଅନୁଯାୟୀ ଅତିରିକ୍ତ ବିଡିଓ, ସହକାରୀ ଯନ୍ତ୍ରୀ, ପ୍ରଗତି ସହାୟକ, ଜିପିଟିଏ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କର ବଦଳି ନେଇ ସମସ୍ତ ଜିଲାପାଳ ମାନଙ୍କୁ ନିର୍ଦ୍ଦେଶ ହୋଇଥିଲା । ଏହି ବଦଳି ପ୍ରକ୍ରିୟା ୨୦୧୯ ନଭେମ୍ବର ୫ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ହୋଇଥିଲା । ଗୋଟିଏ ପଞ୍ଚାୟତରେ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ବଦଳି କରିବା ନେଇ ନିର୍ଦ୍ଦେଶରେ ଉଲ୍ଲେଖ ଥିଲା । ଏପରିସ୍ଥଳେ ବନ୍ତ ବ୍ଲକର ଛୟାଳସିଂ, ତୋଡଗାଁ, ଗୋବିନ୍ଦପୁର, ଓଡଙ୍ଗ, ସେଣ୍ଡତୀରା, ରାମକୃଷ୍ଣପୁର, ମହାନ୍ତିପଡା ଆଦି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ବଦଳି କରାନଯାଇ କେତେକ ପଞ୍ଚାୟତରେ ୫ ବର୍ଷରୁ କମ୍ ଥିବା ପଞ୍ଚାୟତ ଅଧିକାରୀ ମାନଙ୍କୁ ବଦଳି କରାଯିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।