ବ୍ରହ୍ମପୁର ସ୍ଥିତ ଉତ୍କଳ ବାଳାଶ୍ରମରୁ ତେରଜଣ ଅନ୍ତେବାସୀ ପଳାୟନ ଘଟଣାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ସ୍ଥିତ ଉତ୍କଳ ବାଳାଶ୍ରମରୁ ତେରଜଣ ଅନ୍ତେବାସୀ ପଳାୟନ ଘଟଣାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତିନି ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି । ସେମାନେ ହେଲେ, ହାଉସ୍ ମଦର ଲକ୍ଷ୍ମୀ ମହାରଣା, ନିରାପତ୍ତା କର୍ମଚାରୀ ଜି. ରାଜଶ୍ରୀ ପାତ୍ର ଓ ଜଗୁଆଳୀ ପର୍ଶୁରାମ ବେହେରାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଏହି ପଳାୟନ ଘଟଣାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ କରିବାପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ବିବରଣୀରୁ ଉକ୍ତ ତିନିଜଣ କର୍ମଚାରୀ କାର୍ଯ୍ୟରେ ଅହେତୁକ ଅବହେଳା କରିଥିବା ଜଣା ପଡିଥିଲା । ଏପରି ଏକ ସମ୍ବେଦନଶୀଳ ବିଷୟକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୁରୁତ୍ବ ସହ ବିଚାର କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବାଳାଶ୍ରମର ଅନ୍ତେବାସୀ ମାନଙ୍କ ପଳାୟନ ପରେ ପ୍ରଶାସନ ତରଫରୁ ତୁରନ୍ତ ଗୋଷାଣୀ ନୂଆଗାଁ ଥାନାରେ ଏତେଲା ଦାୟର କରାଯାଇଥିଲା । ସେମାନେ ଭୁବନେଶ୍ବର ଚାଲିଯାଇଥିବା ଜଣା ପଡିବା ପରେ ଜଣେ ମାଜିଷ୍ଟ୍ରେଟଙ୍କ ତତ୍ତ୍ବାବଧାନରେ ଗୋଟିଏ ଦଳ ଏବଂ ପୋଲିସ୍ ଅଧିକାରୀଙ୍କ ତତ୍ତ୍ବାବଧାନରେ ଅନ୍ୟ ଏକ ଦଳ ସେମାନଙ୍କୁ ଖୋଜି ବାହାର କରିବାପାଇଁ ଭୁବନେଶ୍ବର ଗସ୍ତ କରିଛନ୍ତି । ଅଦ୍ୟାବଧି ତିନି ଜଣ ବାଳିକାଙ୍କୁ ଉଦ୍ଧାର କରାଯିବା ସହିତ ସେମାନଙ୍କୁ ନିରାପଦରେ ରଖାଯାଇଛି । ଅନ୍ୟମାନଙ୍କୁ ଖୋଜି ବାହାର କରିବାପାଇଁ ପ୍ରୟାସ ଜାରି ରହିଛି । ସେମାନଙ୍କୁ ବୁଝାଶୁଝା କରି ଫେରାଇ ଆଣିବାପାଇଁ ପରାମର୍ଶ ଦାତାଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଅନ୍ତେବାସୀଙ୍କ ମଧ୍ୟରେ ପାରସ୍ପରିକ ବିବାଦ ପଳାୟନର ମୁଖ୍ୟକାରଣ ବୋଲି ଜଣାଯାଇଛି ।


