ଶ୍ରୀମନ୍ଦିର ସଂସ୍କାର ରିପୋର୍ଟକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା : ଚାରି ସପ୍ତାହ ପରେ ପୁନଃଶୁଣାଣି
ଭୁବନେଶ୍ୱର: ବୁଧବାର ସୁପ୍ରିପକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରାଯାଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡ ପୀଠ ଏହି ମାମଲା ଣୁଣାଣି କରିଛି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଦାଖଲ ରିପୋର୍ଟକୁ ନେଇ କୋର୍ଟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦାଖଲ ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ ସନ୍ତୋଷ ପ୍ରକାଶ କରିନାହାନ୍ତି । ତେଣୁ ଦାଖଲ ରିପୋର୍ଟକୁ ତର୍ଜମା କରିବାକୁ ଆମିକସକ୍ୟୁରିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ସପ୍ତାହ ମଧ୍ୟରେ ରିପୋର୍ଟର ତର୍ଜମା କରି ଜଣାଇବାକୁ କୋର୍ଟ ଆମିକସକ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଉ ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ।
ପରିଚାଳନା କମିଟି ପକ୍ଷରୁ ଦାଖଲ ରିପୋର୍ଟ ଅସମ୍ପୂର୍ଣ୍ଣ । ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ପୂର୍ଣ୍ଣ ରିପୋର୍ଟ ଦିଆଯାଇନାହିଁ । ପରିଚାଳନା କମିଟି ୨ଟି ବିଷୟରେ ବିସ୍ତୃତ ତଥ୍ୟ ଦେଇପାରିନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନର ଓକିଲ ଶ୍ୱେତକେତୁ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରିପୋର୍ଟରେ ପୂର୍ଣ୍ଣାଙ୍ଗ ତଥ୍ୟ ନଥିବା ଆମିକସକ୍ୟୁରି କହିଛନ୍ତି । ଆମିକସକ୍ୟୁରିଙ୍କ ନୋଟ ଆଧାରରେ କମିଟି ରିପୋର୍ଟ ଦେବ । ୨ ସପ୍ତାହ ମଧ୍ୟରେ ଅତିରିକ୍ତ ସତ୍ୟପାଠ ଜରିଆରେ କମିଟି ରିପୋର୍ଟ ଦେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଓକିଲ ଶ୍ୱେତକେତୁ ମିଶ୍ର କହିଛନ୍ତି । ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ଆଦେଶ ଉପରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ତାହାକୁ ସତ୍ୟପାଠ ଜରିଆରେ ଦାଖଲ କରାଯାଇଥିଲା। ପ୍ରଧାନବିଚାରପତି ଏସ୍. ଏ. ବୋବଡେ, ବିଚାରପତି ବି. ଆର୍. ଗାଭାଇ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବୁଧବାର ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି କରାଯାଇଥିଲା। ପୂର୍ବ ଶୁଣାଣିରେ କୋର୍ଟ ୨୨ଟି ନିର୍ଦ୍ଦେଶନାମା ଜାରି କରିଥିଲେ। ଏଥିରେ ଶ୍ରୀମନ୍ଦିରର ଦୈନନ୍ଦିନ ନୀତି, ପରିଚାଳନା, ସେବାପୂଜା ତଦାରଖ ପାଇଁ ଏହି ସବୁ ଆଦେଶକୁ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ରିପୋର୍ଟ ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଥିଲା ।


