ନିର୍ବାଚନୀ ହିଂସା, ୨କର୍ମୀ ମୃତ
ଅନନ୍ତପୁର(ଏଜେନ୍ସି): ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଆଜି ଭୋଟ୍ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଶାସକ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଓ ବିରୋଧୀ ଦଳ ୱାଇଏସ୍ଆର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ଟିଡିପି ଏବଂ ୱାଇଏସ୍ଆର କଂଗ୍ରେସର ଜଣେ ଲେଖାଏଁ କର୍ମୀଙ୍କ ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମତଦାନ ସମୟରେ ୨କର୍ମୀଙ୍କ ଏପ୍ରକାର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳକୁ ଅଧିକ ପୁଲିସ୍ ଫୋର୍ସ ପଠାଯାଇଛି । ତେବେ ସମ୍ପ୍ରତି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ଫୋର୍ସଙ୍କୁ ମୁତୟନ କରାଯାଇଛି ବୋଲି ରାଜ୍ୟ ପୁଲିସ୍ ମୁଖ୍ୟ କହିଛନ୍ତି ।
ଅନନ୍ତପୁର ଜିଲ୍ଲା ତାଡ଼ିପତ୍ରି ନିର୍ବାଚନୀ ମଣ୍ଡଳୀର ଭୀରାପୁରମଠାରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ୱାଇଏସ୍ଆର କଂଗ୍ରେସ କର୍ମୀମାନେ ଟିଡିପି କର୍ମୀ ସିଦ୍ଧା ଭାସ୍କର ରେ‡ୀଙ୍କୁ ଆକ୍ରମଣ କରିଥିଲେ । ସେମାନେ ଭାସ୍କରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ । ସେହିପରି ୱାଇଏସ୍ଆର କଂଗ୍ରେସର ପୁଲ୍ଲା ରେ‡ୀ ନାମକ ଜଣେ କର୍ମୀଙ୍କୁ ଟିଡିପି କର୍ମୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବାକୁ ତାଙ୍କ ଦେହାନ୍ତ ହୋଇଯାଇଛି । ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଦୁଇଦଳର କର୍ମୀ ମୁହାଁମୁହିଁ ହୋଇଥିବା ଖବର ମିଳିଛି । ପ୍ରକାଶ ଯେ, ଆଜି ଆନ୍ଧ୍ରପ୍ରଦେଶର ସମୁଦାୟ ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ।


