ଜାମ୍ମୁ କାଶ୍ମୀରରେ ଇଣ୍ଟରନେଟ ବ୍ୟବସ୍ଥାର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଇଣ୍ଟରନେଟ ବ୍ୟବହାର କରିବାର ସୁଯୋଗ ନାଗରିକର ମୌଳିକ ଅଧିକାର ଓ ଏହାକୁ ଅକାରଣରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରା ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ଟେଲିଫୋନ ଓ ଇଣ୍ଟରନେଟ ସେବା ବନ୍ଦ ରହିଛି। ଆସନ୍ତା ସପ୍ତାହେ ଭିତରେ ଏହାର ସମୀକ୍ଷା କରିବାକୁ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କୁ ସମ୍ବିଧାନର ଧାରା ୧୯ରେ ଦିଆଯାଇଥିବା ବାକ ଓ ଅଭିବ୍ୟକ୍ତିର ଅଧିକାର ସହିତ ଇଣ୍ଟର୍ନେଟ ସୁଯୋଗ ଏକ ଅଂଶବିଶେଷ ବୋଲି ସୁପ୍ରିମକୋର୍ଟର ତିନି ଜଣିଆଁ ଖଣ୍ଡପୀଠ ରାୟ ଦେଇଛନ୍ତି। ଗତ ୧୫୦ ଦିନହେଲା ସୁରକ୍ଷା କାରଣରୁ ସେଠାରେ ଇଣ୍ଟର୍ନେଟ ସେବା ବନ୍ଦ କରାଯାଇଛି ବୋଲି କେନ୍ଦ୍ର ସରକାର ରଖିଥିବା ଯୁକ୍ତିର ଉତ୍ତରରେ ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆମକୁ ଜାତୀୟ ସୁରକ୍ଷା ଓ ନାଗରିକର ସ୍ଵାଧୀନତା ଭିତରେ ସମନ୍ଵୟ ରଖିବାକୁ ପଡିବ। କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ଅନ୍ୟମାନେ ଦାଖଲ କରିଥିବା ମାମଲାର ବିଚାର କରି ଜଷ୍ଟିସ ଏନ. ଭି. ରମନ୍ନା, ଜଷ୍ଟିସ ଆର. ସୁବାସ ରେଡ୍ଡୀ ଓ ଜଷ୍ଟିସ ବି. ଆର. ଗଭାଇଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହି ରାୟରେ ଲୋକଙ୍କ ପ୍ରତିବାଦ କରିବାର ଅଧିକାରକୁ କ୍ଷୁର୍ଣ୍ଣ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରା ୧୪୪ ଜାରି କରାଯାଇ ପାରିବ ନାହିଁ ବୋଲି ମଧ୍ୟ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ