ଓଡିଶାର ଚାବିକାଠୀ ଖଣିମାଫିଆ ପାଖରେ -ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର/ବଲାଙ୍ଗୀର/କଂଟାବାଞ୍ଜି/ବୀରମହାରାଜପୁର, ଓଡିଶାର ଚାବିକାଠୀ ଖଣିମାଫିଆ ପାଖରେ ଅଛି । ଖଣି ଦଲାଲ ଓ ଚିଟଫଣ୍ଡ ଦଲାଲ ଓଡିଆ ଲୋକଙ୍କ ସମ୍ପତିକୁ ଲୁଟ କରି ରଖିଛନ୍ତି । ଏଥର ନିର୍ବାଚନରେ ଏପ୍ରକାର ଲୋକଙ୍କୁ ଜେଲ ପଠାଇବା ପାଇଁ ଭୋଟ ହେବ ବୋଲି ବଲାଙ୍ଗୀର, କଂଟାବାଞ୍ଜି ଏବଂ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡିଶାରେ ବିଜେପି ସରକାର ହେଲେ ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ୧ ଲକ୍ଷ କୋଟି ଟଙ୍କାରେ ୫ ବର୍ଷ ପାଇଁ ଜଳ ସେଚନର ବ୍ୟବସ୍ଥା କରାଯିବ, ଯୁବକ ଓ ଯୁବତୀମାନଙ୍କୁ ରୋଜଗାର ଦେବା ସହ ସ୍ୱରୋଜଗାର କରାଯିବ, ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯିବ, ଏସଏସଜି ଭଉଣୀମାନଙ୍କ ଋଣ ଛାଡ କରାଯିବା ସହ ବିନା ସୁଧରେ ଋଣ ଦିଆଯିବ, ଝିଅଙ୍କ ଉଚ୍ଚ ଶିକ୍ଷା ପାଇଁ ସୁଭଦ୍ରା ଯୋଜନାରେ ଦଶମ ଶ୍ରେଣୀରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଦିଆଯିବ, ସବୁ ଜିଲ୍ଲାକୁ ରେଳ ଲାଇନ ସହ ସଂଯୋଗ କରାଯିବ, ସୋନପୁର ଜିଲ୍ଲା ସମେତ ସବୁ ଜିଲ୍ଲାରେ ମେଡିକାଲ କଲେଜ୍ ପ୍ରତିଷ୍ଠା କରାଯିବ, ଓଡିଶାରେ ପଛୁଆ ଅଂଚଳର ବିକାଶ ପାଇଁ ପାଣ୍ଠି କରାଯିବ, ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଜେଲ ପଠାଯିବ ବୋଲି ଶ୍ରୀ ପ୍ରଧାନ ଘୋଷଣା କରିଛନ୍ତି ।


