ରାଜଭବନ ପାର୍କ ଦେଖିବାକୁ ଜମୁଛି ଭିଡ଼

ଭୁବନେଶ୍ବର : ସର୍ବସାଧାରଣଙ୍କ ଖୋଲାଯାଇଛି ରାଜଭବନ ପାର୍କ। ଏଠାକୁ ଏବେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଦ୍ବିତୀୟ ଶନିବାର ଛୁଟି ଥିବାରୁ ଭୁବନେଶ୍ବରସ୍ଥିତ ରାଜଭବନ ପାର୍କ ବୁଲିବା ପାଇଁ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଦିନ ୨ଟାରୁ ଲୋକମାନେ ଲମ୍ବା ଲାଇନରେ ପାର୍କ ଭିତରକୁ ପ୍ରବେଶ କରୁଥିଲେ। ବର୍ଷରେ ଥରେ ମାତ୍ର ଏହି ପାର୍କ ଦେଖିବାର ସୁଯୋଗ ମିଳୁଥିବାରୁ ପାର୍କ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ଗତ ଜାନୁଆରୀ ୫ ତାରିଖଠାରୁ ଖୋଲାଯାଇଛି। ଏହା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଏହି ପାର୍କକୁ ଛୁଟିଦିନ ଓ ରବିବାର ସହିତ ପ୍ରତ୍ୟେହ ଅପରାହ୍ନ ସାଢେ ୨ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ତେବେ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଲୋକମାନଙ୍କୁ ଉଦ୍ୟାନକୁ ପ୍ରବେଶ କରିବା ପାଇଁ ସମୟ ଦିଆଯାଇଛି। ୱାଟର ଫାଉଣ୍ଟେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌, ଗୋଲାପ ଉଦ୍ୟାନ, ହରିଣ ପାର୍କ, ପକ୍ଷୀ ପାର୍କ ଏବଂ ସର୍ବୋପରି ଉଦ୍ୟାନର ସବୁଜିମାକୁ ଦର୍ଶକମାନେ ଦେଖି ଏହାର ଆନନ୍ଦ ଉଠାଉଛନ୍ତି।
ପରିଦର୍ଶନ ସମୟରେ ରାଜଭବନ ପରିସରକୁ ସାଙ୍ଗରେ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ନଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି। ଲୋକଙ୍କୁ ସହଜ ଓ ସୁବିଧାରେ ପ୍ରବେଶପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍‌ ଆପ୍‌ ଓ ଓ୍ବେବ୍‌ସାଇଟ୍‌ରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ରାଜଭବନ ଓ୍ବେବ୍‌ସାଇଟ୍‌ rajbhavanodisha.gov.in କୁ ଯାଇ ଏହାର ହୋମ୍‌ ପେଜ୍‌ ଉପରେ ଥିବା ‘Raj Bhavan Services’ ପାର୍ଶ୍ୱରେ ଉଲ୍ଲିଖିତ ଡାଉନ୍‌ଲୋଡ୍‌ ଆପ୍‌ରେ କ୍ଲିକ୍‌ କରି ନିଜର ପ୍ରବେଶପତ୍ର ପ୍ରସ୍ତୁତ କରିପାରିବେ। ରବିବାର ମଧ୍ୟ ଏହି ଭିଡ ଆହୁରି ବଢିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ