ଦୁଇ ଆତଙ୍କବାଦୀଙ୍କ ସମେତ ଜଣେ ଡିଏସପି ଗିରଫ
ଶ୍ରୀନଗର : ଜଣେ ପୋଲିସ ଡିଏସପି ଆତଙ୍କବାଦୀଙ୍କ ସହ ହାତ ମିଳାଇଥିବା ଅଭିଯୋଗ ହୋଇଛି। ଏନେଇ ଜମ୍ମୁ କାଶ୍ମୀର ପୋଲିସର ଜନୈକ ଡିଏସ୍ପି ସମେତ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଦୁଇ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ହିଜବୁଲ ଏବଂ ଜଣେ ଲସ୍କର ଆତଙ୍କୀ ରହିଛନ୍ତି । ତିନିଜଣ ଏକତ୍ର ଯାଉଥିବାବେଳେ ଡିଏସ୍ପିଙ୍କୁ କାଶ୍ମୀର ଉପତ୍ୟକାରୁ ଗିରଫ କରାଯାଇଛି । ଦିଲ୍ଲୀ ଯାଉଥିବା ରାସ୍ତାରେ ମୀର ବାଜାରର କାଜିଗାଣ୍ଡ ନିକଟରେ ଡିଏସ୍ପିଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦବିନ୍ଦର ସିଂ ନାମକ ଏହି ଡିଏସ୍ପିଙ୍କୁ ଅଗଷ୍ଟ ୧୫ରେ ସେବା ମେଡାଲରେ ସମ୍ମାନିତ କରାଯାଇଥିଲା। ଡିଏସ୍ପିଙ୍କ କାର୍ରୁ ଏକ ଏକେ-୪୭ ରାଇଫଲ୍ ଏବଂ ୫ଟି ଗ୍ରେନେଡ୍ ଜବତ କରାଯାଇଛି । ଦୁଇ ଗିରଫ ଆତଙ୍କବାଦୀ ହେଉଛନ୍ତି ନଭୀଦ୍ ବାବୁ ଏବଂ ଆସିଫ୍ ରାଥର୍ । ଅଧିକ ପଚରାଉଚୁରା ପାଇଁ ଡିଏସ୍ପିଙ୍କୁ ଏକ ନିଭୃତ ସ୍ଥାନକୁ ନିଆଯାଇଥିବା ସୂଚନା ମିଳିଛି।


