ପାକିସ୍ତାନର ୫ଟି ଘାଟିକୁ ଧ୍ୱଂସ କଲା ଭାରତ
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ରାଜୌରୀ ଏବଂ ପୁଞ୍ଚ ସେକ୍ଟରରେ ଗତକାଲି ରାତିରେ ଭାରତୀୟ ସେନା ୫ଟି ପାକିସ୍ତାନୀ ଆଗୁଆ ଘାଟିକୁ ଧ୍ୱସଂ କରିଦେଇଛି। ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିଗୋଳା ବିନିମୟ ହୋଇଥିବା ଜଣାପଡିଛି । ଅସ୍ତ୍ର ବିରତୀ ଉଲଂଘନ କରି ସୀମାବର୍ତ୍ତୀ ପ୍ରାୟ ୧୨ରୁ ୧୫ଟି ସ୍ଥାନରେ ପାକିସ୍ତାନ ପକ୍ଷରୁ ମୋର୍ଟାର ଏବଂ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ଜଣାପଡିଛି । ତେବେ ଭାରତୀୟ ସେନା ଏହାର ଦୃଢ଼ ଜବାବ ଦେଇଛନ୍ତି।ବହୁ ସଂଖ୍ୟାରେ ପାକିସ୍ତାନୀ ସେନା ମୃତାହତ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ୫ ଜଣ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡିଛି । ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ୫କି.ମି ମଧ୍ୟରେ ଥିବା ସ୍କୁଲକୁ ବୁଧବାର ବନ୍ଦ ରଖାଯାଇଛି। ବାରମୁଲା ଜିଲ୍ଲାର ଉରି ସେକ୍ଟରେ ମଧ୍ୟ ଗୁଳି ଗୋଳା ବିନିମୟ ହୋଇଥିବା ସୂଚନା ମିଳିଛିି। ସେହିପରି ସୋପିଆଁ ଜିଲ୍ଲାର ମେନ୍ଧାରରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିଳମ୍ବିତ ରାତିରେ ଗୁଳିବିନିମୟ ହୋଇଛି। ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସେନାବାହିନୀ, ସିଆରପି ଏବଂ ପୁଲିସ ପକ୍ଷରୁ ଏହି ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ଦୁଇରୁ ତିନିଜଣ ଆତଙ୍କବାଦୀ ସେଠାରେ ଫସି ରହିଥିବା ଅନୁମାନ କରାଯାଉଛି।