ସାଧାରଣତନ୍ତ୍ର ଦିବସରେ ଆତ୍ମହୁତି ଦେବେ ମହିଳା ସ୍ୱାସ୍ଥ୍ୟକର୍ମୀ
ଭୁବନେଶ୍ୱର : ଆପଣମାନେ ଜାଣିଛନ୍ତି ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଆଜକୁ ଦୁଇବର୍ଷ ହେଲା ନ୍ୟାୟସଙ୍ଗତ ନ୍ୟାର୍ଯ୍ୟ ଦାବି ପାଇଁ ଲଢେଇ କରି ଆସୁଛନ୍ତି । ଜୁଲାଇ ୪ ତାରିଖ ଦିନ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ପରେ ସଂଘ ଅନଶନ ଭଙ୍ଗ କରିଥିଲା । ନଭେମ୍ବର ୩୦ତାରିଖ ଦିନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ରାଜରାସ୍ତାରେ ବିକ୍ଷୋଭ, ଅନଶନ ଓ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ସରକାର ପ୍ରତିଶ୍ରୁତି ଦେଇଥିଲେ ଜାନୁୟାରୀ ମାସରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ । ରାଜ୍ୟ ସରକାର ମୋ ସରକାର ଯୋଜନାରେ ସ୍ୱାସ୍ଥ୍ୟକୁ ପ୍ରଥମେ ପ୍ରାଧାନ୍ୟ ଦେଇଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରିବା ପାଇଁ ଡ଼କ୍ଟର ଓ ପାରାମେଡ଼ିକାଲ ଷ୍ଟାଫଙ୍କର ଅଭାବ ଦେଖାଦେଇଛି । ଷ୍ଟାଫ ଅଭାବ ଯୋଗୁ ରାଜ୍ୟବାସୀ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ôଚତ ହେଉଛନ୍ତି । ରାଜ୍ୟରେ ୧୭ ହଜାରରୁ ଅଧିକ ମହିଳା ସ୍ୱାସ୍ଥ୍ୟ କର୍ମୀ ବା ଏଏନ୍ଏମ୍ମାନେ ତାଲିମ ଶେଷ କରିବା ପରେ ଅବହେଳିଳ ଓ ଅବାଞ୍ଚିତ ହୋଇ ବାରଦୁଆର ଷୁଣ୍ଢିପିଣ୍ଡା ହେଉଛନ୍ତି । ରାଜ୍ୟ ସରକାର ଜାନୁୟାରୀ ୨୩ ତାରିଖ ସୁଦ୍ଧା ନିଯୁକ୍ତି ବିଜ୍ଞାପନ ବା ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ପାଇଁ ଠୋସ ପଦକ୍ଷେପ ନ ନିଅନ୍ତି, ତେବେ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ସମସ୍ତ ସଭ୍ୟାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ସଂଯୁକ୍ତା ସାହୁ, କାର୍ଯ୍ୟକାରିଣୀ ସଭାପତି ବିଷ୍ଣୁପ୍ରିୟା ଖଣ୍ଡେଇ, ସୋନାଲି ମହାନ୍ତି, ସାବିତ୍ରୀ ଲେଙ୍କା, କଲ୍ୟାଣୀ ପ୍ରଧାନ ଓ ସଂଘର ସମସ୍ତ ଜିଲ୍ଲାର ସଭାପତି, ସମ୍ପାଦିକାମାନେ ଉପସ୍ଥିତ ଥିଲେ ।