ରାଜ୍ୟସ୍ତରୀୟ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ
ଖୋର୍ଦ୍ଧା : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଜ୍ୟସ୍ତରୀୟ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସ୍ଡ ଏଜୁକେସନାଲ୍ ରିସର୍ଚ୍ଚ୍ ଆଣ୍ଡ୍ ଟେକ୍ନୋଲୋଜି ଏବଂ ବିବେକାନନ୍ଦ ବିଜ୍ଞାନ ଭବନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ଶିକ୍ଷାବିତ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ଭାରତ ସରକାରଙ୍କ ଗୃହ ଓ ସହର ବିକାଶ ବିଭାଗର ଗବେଷଣା ନିର୍ଦ୍ଦେଶକ ପ୍ରଫେସର ଲକ୍ଷ୍ମୀକାନ୍ତ ପାଇକରାୟ ପ୍ରଦୀପ ପଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ବିବେକାନନ୍ଦ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡ଼କ୍ଟର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଖୋର୍ଦ୍ଧାରେ ଆଜକୁ ୨୯ ବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ପାଳିତ ହେବା ଦ୍ୱାରା ଛାତ୍ରଛାତ୍ରୀ ତଥା ଯୁବ ସମାଜ ସେମାନଙ୍କର ଚରିତ୍ର ଗଠନ ପାଇଁ ବହୁ ପ୍ରେରଣା ପାଇଛନ୍ତି । ଆଗାମୀ ଦିନରେ ଖୋର୍ଦ୍ଧାଠାରେ ଏକ ସ୍ୱାମୀ ବିବେକାନନ୍ଦ ମନ୍ଦିର ସ୍ଥାପନ ସହିତ ସ୍ୱାମୀଜୀଙ୍କ ନାମରେ ସାରା ଦେଶର ପ୍ରତ୍ୟେକ ଜିଲା କେନ୍ଦ୍ରରେ ଆନ୍ତର୍ଜାତୀୟ ସ୍ତରର ଉଚ୍ଚମାନର ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବାର ଯୋଜନା ପ୍ରସ୍ତୁତ କରାଯାଉଛି । ମୁଖ୍ୟ ଅତିଥି ପ୍ରଫେସର ପାଇକରାୟ କହିଲେ ସ୍ୱାମୀଜୀଙ୍କ ସେବା ଓ ତ୍ୟାଗର ଭାବନା ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ସ୍ଫନ୍ଦିତ ହେଉ । ଦେଶରେ ଅବହେଳିତ ଓ ନିଷ୍ପେସିତ ଦୁଃଖି ଦରିଦ୍ର ମାନଙ୍କୁ ଭଗବାନ ଭାବି ସେମାନଙ୍କ ସେବା କରିବାକୁ ହେବ, ଏହାଦ୍ୱାରା ରାଷ୍ଟ୍ରର ଉତ୍ଥାନ ସମ୍ଭବ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍ମେଂ ଟ୍ରଷ୍ଟ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ପତଞ୍ଜଳୀ ଯୋଗ ସମିତିର ଖୋର୍ଦ୍ଧା ଜିଲ୍ଲା ସଭାପତି ଇଂ ସୀତାକାନ୍ତ ପେଣ୍ଡା ଯୋଗଦେଇ ସ୍ୱାମୀଜୀଙ୍କ ଜୀବନୀର ବହୁ ଦୃଷ୍ଟାନ୍ତ ମୂଳକ ତଥ୍ୟ କହି ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେବା ସହିତ ଏହି ଭାରତର ଯୁବ ସମାଜ ହିଁ ବିଶ୍ୱକୁ ଭାତୃତ୍ୱ, ମୈତ୍ରୀ ଏବଂ ସାମ୍ୟର ଶାଶ୍ୱତ ବନ୍ଧନରେ ବାନ୍ଧି ରଖିପାରିବ ବୋଲି କହିଥିଲେ ।


