ଗିନିଜ୍ ବୁକ୍ ଅଫ୍ ଓ୍ବାଲ୍ଡ ରେକର୍ଡରେ ସ୍ଥାନ ପାଇଲା ୧୯୯୫ କିଲୋ ଖେଚୁଡି
ଶିମ୍ଲା : ମକର ସଂକ୍ରାନ୍ତି ଅବସରରେ ଗୋଟିଏ ବାସନରେ ୧୯୯୫ କିଲୋ ଖେଚୁଡି ତିଆରି କରି ଓ୍ବାଲ୍ଡ୍ ରେକର୍ଡ କରାଯାଇଛି। ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ତତ୍ତାପାଣିରେ ମକର ସଂକ୍ରାନ୍ତି ପରିପ୍ରେକ୍ଷୀରେ ଏଭଳି ଖେଚୁଡ଼ି ପ୍ରସ୍ତୁତ ହୋଇଥିଲା। ଏହି ଖେଚୁଡିର ଓଜନ ଏବେ ଗିନିଜ୍ ବୁକ୍ ଅଫ୍ ଓ୍ବାଲ୍ଡ ରେକର୍ଡରେ ସ୍ଥାନ ପାଇଛି। ପୂର୍ବରୁ ୯୧୮.୮ କିଲୋ ଖେଚୁଡି ତିଆରି କରାଯାଇ ଓ୍ବାଲ୍ଡ ରେକର୍ଡ କରାଯାଇଥିଲା। ହେଲେ ଏହି ଖେଚୁଡି ଏବେ ସମସ୍ତ ରେକର୍ଡକୁ ଭାଙ୍ଗିଦେଇଛି। ସୂଚନାଯୋଗ୍ୟ, ତତ୍ତାପାଣିରେ ୨୫ ଜଣ ସେଫ୍ ପାଞ୍ଚ ଘଣ୍ଟାରେ ଏହି ଖେଚୁଡିକୁ ତିଆରି କରିଥିଲେ। ଏହାକୁ ତିଆରି କରିବା ପାଇଁ ୪୦୫ କିଲୋ ଚାଉଳ, ୧୯୦ କିଲୋ ଡାଲି, ୯୦ କିଲୋ ଘିଅ, ୫୫ କିଲୋ ମସଲା ଓ ୧୧୦୦ଲିଟର ପାଣି ବ୍ୟବହାର କରାଯାଇଥିଲା। ଏହାକୁ ଏକ ପିତ୍ତଳ ବାସନରେ ତିଆରି କରାଯାଇଥିବା ବେଳେ ଏଥିପାଇଁ ଏକ ସ୍ବତନ୍ତ୍ର ଚୁଲି କରାଯାଇଥିଲା। ଏହି ବାସନ ସାଢ଼େ ୫ ଫୁଟ୍ ଉଚ୍ଚ ଓ ୭ଫୁଟ୍ ଚଉଡା ରହିଥିବା ବେଳେ ଏହାକୁ ଚୁଲିରେ ବସାଇବା ପାଇଁ କ୍ରେନ୍ର ସାହାଯ୍ୟ ନିଆଯାଇଥିଲା। ୧୯୯୫ କିଲୋ ଖେଚୁଡିକୁ ପ୍ରାୟ ୨୦ହଜାର ଲୋକଙ୍କୁ ପରସା ଯାଇଥିଲା।