ଜଟଣୀ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଆସିଲା ଆଜ୍ଞାମାଳ
ଜଟଣୀ (ଜୁଗାବ୍ଦ ନ୍ୟୁଜ୍): ଜଟଣୀ ପ୍ରସିଦ୍ଧ ପୂର୍ବ ଓଡିଶା ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ପାଇଁ ରବିବାର ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରୁ ଆସିଛି ଆଜ୍ଞାମାଳ । ମଦନ ମୋହନ ନାଟ୍ୟକଳା ସଂସଦର କର୍ମକର୍ତ୍ତାଙ୍କ ସମେତ ମହାପ୍ରଭୁ ଜଗନ୍ନାଥଙ୍କଠାରେ ପୂଜାର୍ଚ୍ଚନା ପରେ ଏକ ଖୋଲା ଜିପ୍ରେ ପଟୁଆର ସହିତ ପିପିଲି ଆସିଥିଲେ । ପିପିଲିର ବାଟ ମହାବୀରଠାରେ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ଧନୁଯାତ୍ରା ପାଇଁ ଆସିଥିବା ଆଜ୍ଞାମାଳକୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ତାପରେ ଆଜ୍ଞାମାଳ ଜଟଣୀ ଅଭିମୁଖେ ଆସି ସୀତାରାମ ଛକ ଠାରୁ ବ୍ଲକ୍ ଛକ ପର୍ଯ୍ୟନ୍ତ ସହର ପରିକ୍ରମା କରି ପାତ୍ରପଡା ମାନପୁରସ୍ଥିତ ଧନୁଯାତ୍ରା ପଡିଆରେ ପହଞ୍ଚିଥିଲା । ସେଠାରେ ରୀତିନୀତି ଅନୁସାରେ ହୋମଯଜ୍ଞ କରାଯାଇ ପୂର୍ବ ଓଡ଼ିଶା ଧନୁଯାତ୍ରା ପାଇଁ ଶୁଭଖୁଣ୍ଟି ପଡିଥିଲା । ଏହି ଧନୁଯାତ୍ରା ଅକ୍ଷୟତୃତୀୟା ମେ ୭ରୁ ଆରମ୍ଭ ହୋଇ ସାତଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମଦନ ମୋହନ ନାଟ୍ୟକଳା ସଂସଦ ପକ୍ଷରୁ ଆୟୋଜିତ ଶ୍ରୀକୃଷ୍ଣ ରାସଳୀଳା ୨୯ ବର୍ଷରେ ପହଞ୍ଚିଥିବା ବେଳେ ଧନୁଯାତ୍ରା ମହୋତ୍ସବ ପଞ୍ଚମ ବର୍ଷରେ ପଦାର୍ପଣ କରିଛି । ଏଥିଲାଗି ଜୋରଦାର ପ୍ରସ୍ତୁତ ଚାଲିଥିବା ଜଣାପଡ଼ିଛି ।


