ଗଂଜାମ ପୁଲିସ ଜିଲ୍ଲା ପକ୍ଷରୁ ପ୍ରଥମ ଦୌଡ଼କୁଦ ପ୍ରତିଯୋଗିତା ୨୦୨୦ଉଦଘାଟିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ପୁଲିସ ଜିଲ୍ଲାରେ ପ୍ରଥମ ଥର ପାଇଁ ଛତ୍ରପୁର ରିଜର୍ଭ ପୁଲିସ ପଡ଼ିଆଠାରେ ଦୁଇଦିନିଆ ଦୌଡ଼କୁଦ ପ୍ରତିଯୋଗିତା ୨୦୨୦ ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ବ୍ରହ୍ମପୁର ଏସପି ପିନାକ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ଏହାର ପ୍ରୟାସ । ଆମ ଭିତରେ ଥିବା ପ୍ରତିଭାକୁ ସର୍ବସମ୍ମୁଖରେ ଆଣିବା ସହ ନିଜ ନିଜ ଭିତରେ ଭାଇଚାରା ସୃଷ୍ଟି କରିବା ପାଇଁ ଗଂଜାମ ପୁଲିସ ଜିଲ୍ଲାର ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ଆଣିବ । ଖେଳକୁଦକୁ ପ୍ରାଧାନ୍ୟ ଦେଇ ନୂଆବର୍ଷରେ ଏହି ପୁଲିସ ଜିଲ୍ଲାର ସମସ୍ତ ପୁଲିସ କର୍ମଚାରୀଙ୍କୁ ଏକାଠି କରି ସେମାନଙ୍କ ମଧ୍ୟରେ ଥିବା ଖେଳକୁଦର ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଦିଗଦର୍ଶନରେ ସମସ୍ତ ପଦସ୍ଥ ଅଧିକାରୀ, କର୍ମଚାରୀ ଖୁବ କମ ଦିନ ମଧ୍ୟରେ ଏପରି ଏକ ପ୍ରତିଯୋଗିତା ଆୟୋଜନ କରିଛନ୍ତି । ସେହିପରି ଅର୍ଗାନାଇଜେସନ ସେକ୍ରେଟାରୀ ତଥା ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଯୋଗ ଦେଇ ଖେଳକୁଦ ପ୍ରତିଯୋଗିତା ଦ୍ୱାରା ପୁଲିସ କର୍ମଚାରୀମାନଙ୍କ ମନୋବଳ ବଢ଼ିବା ସହ ସେମାନଙ୍କ ଶରୀର ସୁସ୍ଥ ରହିବ । ଏହି କାର୍ଯ୍ୟକ୍ରମକୁ ଦକ୍ଷିଣାଂଚଳ ଡିଆଇଜି ଏଠାରେ ଆରମ୍ଭ କରିବା ନିମନ୍ତେ କହିଥିବାରୁ ଗଂଜାମ ଜିଲ୍ଲା ପୁଲିସ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି । ଜିଲ୍ଲା ପୁଲିସର ଆସିକା ସବଡିଭିଜନ, ପୁରୁଷୋତମପୁର ସବଡିଭଜନ, ଭଞ୍ଜନଗର ସବଡିଭଜନ, ଛତ୍ରପୁର ସବଡିଭଜନ ଓ ରିଜର୍ଭ ଅଫିସର ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ଜଣ ବିଭିନ୍ନ ବର୍ଗରେ ଭାଗ ନେଇଥିଲେ । ସେଥିମଧ୍ୟରେ ମହିଳା ପ୍ରତିଯୋଗୀ ମଧ୍ୟ ଅଛନ୍ତି । ଅଭିମନ୍ୟୁ ବେହେରା ମଶାଲ ଧରି ଆସିବା ପରେ ଅତିଥିମାନଙ୍କୁ ଦେଇ ଖେଳର ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ ପୁରୁଷ ବିଭାଗ ଓ ମହିଳା ବିଭାଗର ଦୌଡ଼, ସଟଫୁଟ, ଲମ୍ବଡିଆଁ, ଜାଭଲିନ ଥ୍ରୋ ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୋବେସନାରୀ ଆଇପିଏସ ଅଫିସର ଅଭିଳାଶ ଜି, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାସ, ଡିଏସପି ଏସ.ପ୍ରଧାନ, ଡିଏସପି ଅଜୟ କୁମାର ମିଶ୍ର, ଛତ୍ରପୁର ଏସଡିପିଓ ଗୌତମ କିସାନ, ପୁରୁଷୋତମପୁର ଏସଡିପିଓ ସୀମା ସ୍ୱାଇଁ, ଆସିକା ଏସଡିପିଓ ସୂର୍ଯ୍ୟନାରାୟଣ ପ୍ରଧାନ, ଭଞ୍ଜନଗର ଏସଡିପିଓ ସୁଧାଂଶୁ ଶେଖର ମିଶ୍ର, ଆସିଷ୍ଟାଂଟ କମାଣ୍ଡାଂଟ ମାନସ ରଞ୍ଜନ ମହାନ୍ତି, ଆରଆଇ ଗଙ୍ଗାଧର ଧାଙ୍ଗର, ସର୍ଜେଂଟ ଏସ.କେ ବେହେରା, ଏ.ରାବଣା ରାଓଙ୍କ ସମେତ ଜିଲ୍ଲାର ସମସ୍ତ ଥାନାଧିକାରୀ ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ଆସିଷ୍ଟାଂଟ କମାଣ୍ଡାଂଟ ମାନସ ରଞ୍ଜନ ମହାନ୍ତି ଓ ରମ୍ଭା ଥାନାଧିକାରୀ କୃଷ୍ଣଚନ୍ଦ୍ର ସେଠୀ ସଂଯୋଜନା କରିଥିବାବେଳେ ଛତ୍ରପୁର ଆଖପାଖ ଅଂଚଳର କ୍ରୀଡ଼ାବିତମାନେ ସମସ୍ତ ବର୍ଗର ପ୍ରତିଯୋଗିତାକୁ ରେଫରି ଭାବେ ପରିଚାଳନା କରିଥିଲେ । ମଧ୍ୟାହ୍ନରେ ଅତିଥିମାନଙ୍କ ଦ୍ୱାରା ଉଭୟ ପୁରୁଷ ଓ ମହିଳା ବର୍ଗର ୮୦୦ ମିଟର ଦୌଡ଼ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀମାନଙ୍କୁ ବ୍ରହ୍ମପୁର ଏସପି ଓ ଗଞ୍ଜାମ ଏସପି ଟ୍ରଫି ସହ ମେଡାଲ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି ଦୈାଡ ପ୍ରତିଯୋଗିତାରେ ଲଣ୍ଡାବଉଁଶ ଗ୍ରାମର ବାଲୁକା ଶିଳ୍ପୀ ମହେଶ୍ୱର ସାହୁଙ୍କ ଦ୍ୱାରା ବାଲିରେ ବିଭିନ୍ନ କାରୁକାର୍ଯ୍ୟ କରାଯାଇଥିଲା ।


