ନିର୍ଭୟା ମାମଲା : ଫାଶୀଦଣ୍ଡ ମିଳିବାରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କଲେ ଆଶାଦେବୀ
ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ପ୍ରକ୍ରିୟା ବିଳମ୍ବିତ ହେବାକୁ ନେଇ ମାଆ ଆଶା ଦେବୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜଣଙ୍କ ପରେ ଜଣେ ଦୋଷୀକୁ ଫାଶୀ ଦେବାର ବ୍ୟବସ୍ଥା କରାଯାଉ। ଏହାଦ୍ବାରା ତାଙ୍କୁ ନ୍ୟାୟ ମିଳିଲା ବୋଲି ସେ ଅନୁଭବ କରିବେ। ଦୋଷୀମାନେ ବାରମ୍ବାର ସମୟ ଗଡ଼ାଇବା ପାଇଁ ପିଟିସନ୍ ପରେ ପିଟିସନ୍ ଦାଖଲ କରି ଚାଲିଛନ୍ତି। ସୁପ୍ରିମକୋର୍ଟ ଦୋଷୀ ପୱନ କୁମାର ଗୁପ୍ତାର ସ୍ପେଶାଲ ଲିଭ ପିଟିସନ୍ ଅପିଲକୁ ଖାରଜ କରିବା ପରେ ନିର୍ଭୟାଙ୍କ ମାଆ ଗଣମାଧ୍ୟମ ଜରିଆରେ ଏପରି ଅପିଲ୍ କରିଛନ୍ତି। ଫେବ୍ରୁଆରୀ ୧ ତାରିଖକୁ ସେ ଅପେକ୍ଷା କରିଛନ୍ତି। କୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ଏହି ତାରିଖରେ କିପରି ଭାବେ ୪ ଦୋଷୀ ଫାଶୀ ପାଇବେ, ତାହାକୁ ତାଙ୍କର ଅପେକ୍ଷା ରହିଛି।
ଏଠାରେ ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ସୋମବାର ପୱନ ପକ୍ଷରୁ ଦାଖଲ ହୋଇଥିବା ସ୍ପେଶାଲ ଲିଭ୍ ପିଟିସନ୍କୁ ଖାରଜ କରିଛନ୍ତି। ସର୍ବୋଚ୍ଚ କୋର୍ଟ ଏହି ଲିଭ୍ ପିଟିସନ୍ ଖାରଜ କରି କହିଛନ୍ତି ଯେ ଟ୍ରାଏଲ କୋର୍ଟ ଓ ପରେ ଦିଲ୍ଲୀ ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି, ସେଥିରେ ପରିବର୍ତ୍ତନ କରିବା ନେଇ କୌଣସି ଯଥାର୍ଥତା ନାହିଁ। ପୱନ ଅପରାଧ କାଳରେ ନାବାଳକ ଥିଲା ବୋଲି ଦାବି କରୁଥିବାରୁ ଏନେଇ ସ୍ପେଶାଲ ଲିଭ୍ ପିଟିସନ୍ ଦାଖଲ ହୋଇଥିଲା, ଯାହା ଶେଷରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ଅଗ୍ରାହ୍ୟ ହୋଇଛି।


