୨୯ ବର୍ଷର ପରମ୍ପରା: ଆସିକା ଚିନିଶିଳ୍ପ ନୁଆଗାଁର ପ୍ରସିଦ୍ଧ ରଥଯାତ୍ରା
ଆସିକା (ୱାଇଏନ୍ଏସ୍) : ଆସନ୍ତା ୧୬ ତାରିଖ ଗୁରବାର ଦିନ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଚିନିଶିଳ୍ପ ନୁଆଗାଁର ଜଗନ୍ନାଥ ମନ୍ଦିର ପରିବେଶ ଏବେଠୁ ଚଳଚଂଚଳ ହୋଇଉଠିଲାଣି । ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତି ଦ୍ୱାରା ପରିଚାଳିତ ଚିିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରର ରଥଯାତ୍ରା ଦେଖିବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସମ୍ଭାବନାକୁ ଏଡାଇ ହେଉ ନାହିଁ । ପୁରୀ ଶ୍ରୀ ମନ୍ଦିରର ସମସ୍ତ ନୀତିକାନ୍ତିକୁ ଅନୁସରଣ କରି ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା, ଅଣସର ନୀତି, ନବଯୌବନ ଦର୍ଶନ, ରଥଯାତ୍ରା, ବାହୁଡାଯାତ୍ରା ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ମନ୍ଦିର ପରିସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବି ସୁଭଦ୍ରାଙ୍କ ସୁଶୋଭିତ ଆକର୍ଷଣୀୟ ବିଗ୍ରହ ପୂଜା ପାଇଆସୁଛନ୍ତି । ୧୯୯୭ ମସିହାରେ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ମହାଆଡମ୍ବରରେ ପାଳନ କରାଯାଇଥାଏ । ରଥଯାତ୍ରା ସମୟରେ ତିନି ଠାକୁରଙ୍କୁ ପହଣ୍ଡିରେ ଅଣାଯାଇ ରଥରେ ବିଜେ କରାଯାଇଥାଏ । ପରେ ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକଙ୍କ ଦ୍ୱାରା ଛେରା ପହଁରା ଅନୁଷ୍ଠିତ ହୋଇଥାଏ ଓ ରଥଟଣାର ପରମ୍ପରା ଚାଲି ଆସୁଥିବା ଲକ୍ଷ୍ୟ କରାଯାଇଛି । ପ୍ରତ୍ୟେକ ବର୍ଷ ରଥଯାତ୍ରା ଅବସରରେ ବଡ ଏକାଦଶୀ ତିଥିରେ ତିନି ଠାକୁରଙ୍କ ସୁନାବେଶ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ । ପୁରୀ ଶ୍ରୀମନ୍ଦିର ଶୈଳୀରେ ନିର୍ମିତ ହୋଇଥିବା ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରରେ ୨୨ ପାହାଚ ରହିଛି । ବେଢାରେ ଶ୍ରୀ ଗଣେଶ, ହନୁମାନ, କାଶୀ ବିଶ୍ୱନାଥ, ଭଗବାନ ନୃସିଂହ, ମାଲକ୍ଷ୍ମୀ ଓ ମା ବିମଳାଙ୍କ ସମେତ ଗରୁଡ ସ୍ତମ୍ଭ ଉପରେ ପକ୍ଷୀରାଜ ଗରୁଡ ପୂଜା ପାଇଆସୁଛନ୍ତି । ପ୍ରତିଦିନ ମଙ୍ଗଳ ଆରତୀ ସହ ବେଢା ପୂଜା ପରେ ଶ୍ରୀ ବଳଭଦ୍ର, ମା ସୁଭଦ୍ରା, ଶ୍ରୀ ଜଗନ୍ନାଥ ଓ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କୁ ପୂଜାର୍ଚ୍ଚନା ସହ ସମସ୍ତ ନୀତିକାନ୍ତି କରାଯାଇଥାଏ । ଭକ୍ତ ଯଦି ନିଷ୍ଠାର ସହ ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରରେ ଘିଅଦୀପଟିଏ ଜଳାଇଥାଏ ତେବେ ଜଗତସାଇଁ ତାର ନିଶ୍ଚୟ ମନସ୍କମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଥିବାରୁ ବର୍ଷତମାମ ଏହି ଜଗନ୍ନାଥ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ଆସିକା ନିକଟସ୍ଥ ଚିନିଶିଳ୍ପ ନୁଆଗାଁରେ ଦୀର୍ଘ ପ୍ରାୟ ୨୯ ବର୍ଷ ହେଲା ଶ୍ରୀ ଜଗନ୍ନାଥଙ୍କ ଏକ ବିଶାଳ ମନ୍ଦିର ଶୋଭା ପାଇଆସୁଛି । ମନ୍ଦିର ଉପରେ ଶ୍ରୀ ଜଗନ୍ନାଥଙ୍କ ନେତ ଫର ଫର ହୋଇ ଉଡୁଛି । ଆସିକା ସମବାୟ ଚିନିଶିଳ୍ପର ପ୍ରାକ୍ତନ କର୍ମଚାରୀ ତଥା ଆଧ୍ୟାତ୍ମିକପ୍ରେମୀ ଋଷିନାଥ ପାଢୀ, ଲକ୍ଷ୍ମୀନାରାୟଣ ସାହୁ, କୈଳାଶ ଚନ୍ଦ୍ର ପଣ୍ଡା, ବିଜୟ କୁମାର ସାହୁ, ଶ୍ୟାମସୁନ୍ଦର ଡାକୁଆ, ବିଜୟଚନ୍ଦ୍ର ପାତ୍ର, ସୁରେନ୍ଦ୍ର ସାହୁ, ଅରୁଣ କୁମାର ମହାନ୍ତି, ନିଳମଣୀ ନାୟକ, ରମେଶ ଚନ୍ଦ୍ର ମିଶ୍ର, ଗୋକୁଳ ଚନ୍ଦ୍ର ପଟ୍ଟନାୟକ, ନରହରି ମଳିକ, ଗୌରହରି ମହାପାତ୍ର, କାହ୍ନୁଚରଣ କର, ଦେବରାଜ ନାୟକ, ସାରଥୀ ନାରାୟଣ ପଟ୍ଟନୟାକ, ବାଞ୍ଛାନିଧି ମିଶ୍ର, ଜଗଦିଶ ପାଢୀ, ପ୍ରଫୁଲ କୁମାର ଆଚାର୍ଯ୍ୟ, ରାଜାସୁରଶ ପଣ୍ଡା, ରାଜେନ୍ଦ୍ର ପୋଲାଇ, ବୁଦ୍ଧିରାମ ନାହାକ, ଜୁରିନାଥ ପଟ୍ଟନାୟକ, ଗଣେଶ୍ୱର ପାଢୀ, ରଘୁନାଥ ପାଢୀ, କାମରାଜୁ ପାତ୍ର, କେ.ମନମୋହନ ସେନାପତିଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ୧୯୯୭ ମସିହାରେ ସମବାୟ ଚିନିଶିଳ୍ପ ନିକଟରେ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଥିଲା ଓ ୧୯୯୮ ମସିହା ଠାରୁ ଦୀର୍ଘ ୨୯ ବର୍ଷ ଧରି ରଥଯାତ୍ରା ପାଳିତ ହୋଇଆସୁଥିବା ଜଣାପଡିଛି । ପ୍ରତ୍ୟେକ ବର୍ଷ ରଥଯାତ୍ରା ସମୟରେ ରଥଟଣା ଦେଖିବା ଓ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ନାମ ସଂକୀର୍ତ୍ତନରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହୋଇପଡୁଥିଲା ବେଳେ ଶୃଙ୍ଖଳିତ ଭାବେ ରଥଯାତ୍ରାକୁ ସମାପନ କରିବା ଲାଗି ଜଗନ୍ନାଥ ସଂସ୍ଥାପନ ସମିତି ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସମୟରେ ଦେଖିବାକୁ ମିଳିଥାଏ ସୌହାର୍ଦ୍ୟପୂର୍ଣ୍ଣ ପରିବେଶ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ରଥଯାତ୍ରା ହେଉଥିଲେ ମଧ୍ୟ ବର୍ଷ ବର୍ଷ ଚିନିଶିଳ୍ପ ନୁଆଗାଁର ରଥଯାତ୍ରା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାରୀ କରିପାରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସାଧାରଣରେ ଆଲୋଚିତ ହେଉଛି । ଆସିକା ସମବାୟ ଚିନିଶିଳ୍ପ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ଉପସଭାପତି ସନ୍ତୋଷ କୁମାର ମଲିକ, କାର୍ଯ୍ୟକାରୀ ଉପସଭାପତି ପ୍ରଶାନ୍ତ କୁମାର କର, ସଂପାଦକ ତଥା ଚିନିଶିଳ୍ପର ଆକାଉଣ୍ଟସ୍ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ସହ ସଂପାଦକ ବାସୁଦେବ ସ୍ୱାଇଁ, କୋଷାଧ୍ୟକ୍ଷ ଏସ୍.ସୁଜିତ୍ କୁମାର ପୃଷ୍ଟି, ସଦସ୍ୟ ଦିଲୀପ କୁମାର ସ୍ୱାଇଁ, ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ଶ୍ରୀପଲୀ ସୁନ୍ଦର ଦାଶ, ରାମପ୍ରସାଦ ଶତପଥୀ, ବାଇଧର ନାହାକ, ଦାମୋଦର ସିୟ, ଲମ୍ବୋଦର ସାବତ, ଜୟରାମ ଯାଦବ, ଅନିଲ୍ କୁମାର ଦାଶ, କୃଷ୍ଣଚନ୍ଦ୍ର ଲେଙ୍କାଙ୍କ ସମେତ ସ୍ଥାନୀୟ ଅଂଚଳବାସୀ, ଚିନିଶିଳ୍ପ କର୍ମଚାରୀ, ଶ୍ରଦ୍ଧାଳୁ ଭକ୍ତ ଚଳିତ ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ନୀତିକାନ୍ତି ଅନୁଯାୟୀ ସଂପନ୍ନ କରିବା ସକାଶେ ଆଗେଇ ଆସିଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ଅହରହ ପ୍ରଚେଷ୍ଟାରେ ଏହି ପୁରାତନ ଜଗନ୍ନାଥ ମନ୍ଦିରର ଯଥେଷ୍ଟ ଉନ୍ନତି ଘଟିଥିବା ବେଳେ ମହାପ୍ରଭୂଙ୍କ ଘୋଷଯାତ୍ରା ପାଇଁ ସ୍ଥାନୀୟ ଅଞ୍ଚଳ ଏବେଠୁ ଉତ୍ସବମୁଖର ହେବାରେ ଲାଗିଥିବା ଦେଖିବାକୁ ମିଳୁଛି ।


