ପାଣି ଖୋଜୁଛନ୍ତି ପଥିକ : କାଗଜ କଲମରେ ଚାଲିଛି ଜଳଛତ୍ର
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ବଢୁଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ଗରମ ଓ ଗୁଳୁଗୁଳି ରେ ଆଉଟପାଉଟ ହେଉଛନ୍ତି ଲୋକେ। ସ୍ଥିତି କୁ ଦେଖି ସରକାର ସଚେତନ କରାଉଛନ୍ତି । ହେଲେ ଗ୍ରୀଷ୍ମ ମୁକାବିଲା ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ପ୍ରଶାସନ ପକ୍ଷରୁ ଯେଉଁ ସବୁ ସ୍ଥାନରେ ଖୋଲା ଯାଇଥିଲା ଜଳଛତ୍ର କେବଳ ଗୋଟିଏ ଦିନ ଜଳଛତ୍ର ବାଣ୍ଟିବା ଶହ ଫୋଟ ଉଠି କାମ ସରିଗଲା। ଏହା ପରେ ସ୍ଥାନେ ସ୍ଥାନେ ଜଳଛତ୍ର ରେ କିଛି ଦିନ ପାଣି ବଣ୍ଟନ ପରେ ଏବେ ମାଠିଆ କେବଳ ଗଡୁଛି। ଖବର ମୁତାବକ, ପଥଚାରିଙ୍କ ଶୋଷ ମେଣ୍ଟାଇବାକୁ ସରକାର ଙ୍କ ତରଫରୁ ବିଭିନ୍ନ ପଂଚାୟତ କୁ ଅର୍ଥ ପ୍ରଦାନ କରାଯାଇଛି ଜଳଛତ୍ର ସ୍ଥାପନା କରିବାକୁ। କିନ୍ତୁ ଗ୍ରୀଷ୍ମ ଦିନ ଆରମ୍ଭରୁ ଏକ ବ୍ୟାନର ମାରି ମାଠିଆରେ ନାଲି ସାଲୁକନା ଗୁଡ଼ାଇ ଫଟୋ ଉଠିଗଲା ।ପରେ ଜଳଛତ୍ର ସ୍ଥାନ ଅନେକ ସ୍ଥାନରେ ବେସାହାରା ।ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳ ବିଭିନ୍ନ ପଂଚାୟତ ରେ ପଥିକ ମାନେ ପିଇବା ପାଇଁ ପ୍ରଶାସନ ତରଫରୁ ଜଳଛତ୍ର ଖୋଲାଯାଇଥିଲା, କିନ୍ତୁ କିଛି ଦିନ ପରେ କେଉଁଠି ଖାଲି ମାଠିଆ ତ, ଆଉ କେଉଁଠି ମାଠିଆ ରେ (ସୁରେଇ )ଦୂଷିତ ପାଣି । ଆଉ ଅନେକ ସ୍ଥାନରେ କେବଳ କାଗଜ କଲମ ରେ ଓ ଫାଇଲି ଖୋଲିଛି ଜଳଛତ୍ର। ଅସ୍ତରଙ୍ଗ ମୁଖ୍ୟ ବଜାର କୁ ବିଭିନ୍ନ ପଂଚାୟତ ହେଉ ଅବା ବିଭିନ୍ନ ସ୍ଥାନରୁ ହାଟ ବଜାର କରିବାକୁ ଦୈନିକ ଶତାଧିକ ଲୋକ ଯାତାୟାତ କରୁଥିବା ବେଳେ ଡାକ୍ତରଖାନା, ପୋଷ୍ଟ ଅଫିସ, ତହସିଲ, ବ୍ଲକ ଓ ବ୍ୟାଙ୍କ ଗୁଡିକୁ ବିଭିନ୍ନ କାର୍ଯ୍ୟ ପାଇଁ ଲୋକେ ଆସିଥାନ୍ତି। ସେହିପରି କାକଟପୁର ବ୍ଲକ ବିଭିନ୍ନ ପଂଚାୟତ ଲୋକେ ବିଭିନ୍ନ ପଂଚାୟତ କୁ ଯାତାୟାତ କରୁଛନ୍ତି। କିନ୍ତୁ ପାଣି ଟୋପେ ପିଇବାକୁ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଶେଷ ରେ ବାଧ୍ୟ ହୋଇ ପାଣି ବୋତଲ ନଚେତ ଜଳଖିଆ ଦୋକାନ ରେ ପାଣି ପିଉଛନ୍ତି। ସରକାରୀ ସ୍ତରରେ ଜଳଛତ୍ର ଖୋଲିବାକୁ ଅର୍ଥ ଆସୁଥିବା ବେଳେ ସରକାରୀ ଟଙ୍କାକୁ ଆତ୍ମସାଥ କରୁଛନ୍ତି ତଦାରଖ ଦାୟିତ୍ୱରେ ଥିବା ଅଧିକାରୀ, ଅଧିକାରିଣୀ ସହ ଜନପ୍ରତିନିଧି। ଯାହା ଫଳରେ ପଥଚାରି ଙ୍କ ଶୋଷ ମେଣ୍ଟାଈ ପାରୁନି ଜଳଛତ୍ର। କେଉଁଠି ପାଣି ଅଛି ତ, ଡଙ୍କି ନାହିଁ, ଡଙ୍କି ଅଛି ତ ଗ୍ଲାସ ନାହିଁ। କିଛି କିଛି ସ୍ଥାନରେ କେବଳ ଷ୍ଟଲ ଅଛି ନା ପାଣି, ନା ଡଙ୍କି ନା ଗ୍ଲାସ ଅଛି, ଅନେକ ସ୍ଥାନରେ ସୁରେଇ ଗଡୁଛି ପାଣିରେ ପୋକ ବସିଗଲାଣି। ଅଛି ଖାଲି ଜଳଛତ୍ର ନାଁରେ ପ୍ରହସନ ସହ ଷ୍ଟଲ୍ ସହ ପୋଷ୍ଟର ବ୍ୟାନର। ଶୀତ ତାପ ନିୟନ୍ତ୍ରଣ ରୁମ୍ ଭିତରେ ସରକାରୀ ବାବୁ, ବାବୁଆଣି, ଅନ୍ୟ ପଟେ ପଥଚାରୀ ଶୋଷିଲା। ଯାହାକୁ ନେଇ ସ୍ଥାନୀୟ ଅଂଚଳର ଦରିଦ୍ର କାଣ୍ଡି ସହ ଅନେକ ବାଟୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚଳିତ ବର୍ଷ, ଜଳଛତ୍ର ନାଁରେ ଦାୟିତ୍ୱ ଓ ତଦାରଖ କରୁଥିବା ଅଧିକାରୀଙ୍କ ଖାମଖିଆଲ ପ୍ରତିବର୍ଷ ସାମ୍ନାକୁ ଆସୁଛି। କିନ୍ତୁ ସରକାର ଙ୍କ ଠାରୁ ଆସୁଥିବା ଟଙ୍କା ପ୍ରତ୍ୟେକ ଛକ ପାଇଁ ଜଳଛତ୍ର କରିବାକୁ। କିନ୍ତୁ ବର୍ତମାନ ଅସ୍ତରଙ୍ଗ ବ୍ଲକ ୧୫ଗୋଟି ପଂଚାୟତ ରେ କେତୋଟି ଜଳଛତ୍ର, କାକଟପୁର ବ୍ଲକ ର ୧୬ଗୋଟି ପଂଚାୟତ ରେ କେତୋଟି ଜଳଛତ୍ର ତଥ୍ୟ ବିଭାଗୀୟ ଅଧିକାରୀ ଙ୍କ ଠାରୁ ମିଳି ପାରୁନାହିଁ। ସରକାରୀ ସ୍ତରରୁ ଆସୁଥିବା ଅର୍ଥ ସମ୍ପୂର୍ଣ୍ଣ ବାଟମାରଣା ହେଉଥିବା ସ୍ପଷ୍ଟ ଜଣାପଡୁଛି। ପାଣି ପାଇଁ ଆସୁଥିବା ଅର୍ଥ ପାଣି ଭଳି ବୋହି ଯାଉଛି ପ୍ରତିବର୍ଷ। ଜିଲ୍ଲାପ୍ରଶାସନ ଏ ସମସ୍ୟା କୁ ଦୃଷ୍ଟି ଦେଲେ କିପରି ହେଉଛି ଜଳଛତ୍ର ଟଙ୍କା ତାହା ସାମ୍ନାକୁ ଆସିବ।


