ସରକାରୀ ଜମି ଜବରଦଖଲ ମୁକ୍ତ ପାଇଁ ଅଭିଯାନ ଜୋରଦାର
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଅସ୍ତରଙ୍ଗ ମୁଖ୍ୟ ବଜାର କ୍ରମଶଃ ବୃଦ୍ଧି ପାଉଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକ ମାନେ ଯାତାୟାତ କରୁଛନ୍ତି। କିନ୍ତୁ ଅସ୍ତରଙ୍ଗ ମୁଖ୍ୟ ବଜାର ଉଠା ଦୋକାନୀ ହୁଅନ୍ତୁ କିମ୍ବା ବ୍ୟବସାୟୀ ଙ୍କ ଦ୍ୱାରା ସଂକୁଚିତ ହୋଇଯିବାରୁ ଗାଡି ମୋଟର ଯାତାୟାତ ରେ ଅନେକ ସମସ୍ୟା ହେବାରୁ ଅନେକ ଘଟଣା ଘଟିବା ନଜିର ମଧ୍ୟ ରହିଛି। ଏଥି ନେଇ ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ଅସ୍ତରଙ୍ଗ ତହସିଲ କର୍ମଚାରୀ ଦ୍ୱାରା ଅସ୍ତରଙ୍ଗ ବ୍ଲକ ଠାରୁ ଅସ୍ତରଙ୍ଗ ଷ୍ଟେଟ ବ୍ୟାଙ୍କ କୁହୁଡି ଛକ ପର୍ଯ୍ୟନ୍ତ ପୂର୍ବରୁ ମାପଚୁପ ସରିଯାଇଛି। ବିଶେଷ କରି ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜମିକୁ ଚେନ ପକାଇ ତହସିଲ କର୍ତ୍ତୃପକ୍ଷ ଚି଼ହ୍ନଟ କରିସାରିଛନ୍ତି, ଏମିତି କି ଅନେକ ବ୍ୟବସାୟୀ ଙ୍କୁ ସୂଚନା ମଧ୍ୟ ପ୍ରଦାନ କରାଯାଇଛି। ଖବର ମୁତାବକ, ଅସ୍ତରଙ୍ଗ ତହସିଲ ଅଧୀନ ଅସ୍ତରଙ୍ଗ ମୁଖ୍ୟ ବଜାର କ୍ରମଶଃ ଜନଗହଳି ହେଉଥିବାରୁ ରାସ୍ତା ପ୍ରଶସ୍ତ ହେବାକୁ ଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ୱକୁ ମାପଚୁପ କରାଯାଇଥିବା ଜଣାପଡିଛି। ଅନେକ ସମୟରେ ଟ୍ରାଫିକ ସମସ୍ୟା ଅସମ୍ଭାଳ ରହୁଥିବାରୁ ପ୍ରଶାସନ ପକ୍ଷରୁ ଏ ପଦକ୍ଷେପ ଗ୍ରହଣ କରାଯାଇଛି। କାରଣ ଟ୍ରାଫିକ ଅଥବା ଗାଡି ମଟର ଯାତାୟାତ ବିଗିଡ଼ିବା ପଛରେ ଉଠା ଦୋକାନୀ ବୃଦ୍ଧି ସହ ମନମୁଖି ଗାଡି ପାର୍କିଂ ପ୍ରମୁଖ କାରଣ। ଏମିତିକି ଅସ୍ତରଙ୍ଗ ମୁଖ୍ୟ ବଜାର ତିନି ଛକି ମୁଣ୍ଡ ତଥା ହାଇସ୍କୁଲ ଛକରେ ଅନେକ ଉଠା ବ୍ୟବସାୟୀ ବସୁଥିବାରୁ ଗାଡି ଗୁଡିକ ଯାତାୟାତ ରେ ସମସ୍ୟା ହେଉଛି। ଏତଦ ଭିନ୍ନ ଅସ୍ତରଙ୍ଗ ମୁଖ୍ୟ ବଜାର ରୁ ପେଟ୍ରୋଲ ପମ୍ପ ମଧ୍ୟରେ କିଛି ଜାଗାରେ ପନିପରିବା, କଦଳୀ, ଫଳ ଦୋକାନ ସହ ମାଛ, କୁକୁଡ଼ା ମାଂସର ଆଦିର ବ୍ୟବସାୟ ପାଇଁ ହେଉଛି ରାସ୍ତା ପାର୍ଶ୍ୱରେ। ବିଭିନ୍ନ କାରଣ ରୁ ବଜାର ରେ ଅନେକ ସମୟରେ ଭିଡ଼ ଦେଖିବାକୁ ମିଳୁଛି। ଆଗକୁ ରାସ୍ତା ଗୁଡିକ ପ୍ରଶସ୍ତ ହେବାକୁ ଥିବା ବେଳେ ଏଥିପାଇଁ ପ୍ରଥମେ ରାସ୍ତା କଡ଼ ଉଠା ଦୋକାନୀ ସହ ଜବରଦଖଲ ଉଛେଦ ହେଲେ ଟ୍ରାଫିକ ସମସ୍ୟା ସହ ଯାତାୟାତ ସମସ୍ୟା ଉପୁଜିବନାହିଁ ବୋଲି ସୂଚନା ମିଳିଛି। ଏ ନେଇ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି କହିଛନ୍ତି ଅସ୍ତରଙ୍ଗ ମୁଖ୍ୟ ବଜାର ଠାରୁ କୁହୁଡି ଛକ ପର୍ଯ୍ୟନ୍ତ ମାପଚୁପ ସରିଛି ଜଳସମ୍ପଦ ବିଭାଗ ଓ ଅସ୍ତରଙ୍ଗ ତହସିଲ ତରଫରୁ ଯୁଗ୍ମ ସର୍ଭେ ପରେ ଖୁବ ଶୀଘ୍ର ଉଛେଦ ପ୍ରକ୍ରିୟା ଆରମ୍ଭ ହେବ ।


