ଘସିପୁରା ବିଇଓଙ୍କୁ ହାଟଡିହି ବ୍ଲକର ଅତିରିକ୍ତ ଦାୟିତ୍ୱ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ ଦଳେଇ ନିଲମ୍ବିତ ହେବା ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏହି ଅଚଳାବସ୍ଥା ଦୂର କରିବା ସହ ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ଘସିପୁରା ବିଇଓଙ୍କୁ ହାଟଡିହି ବ୍ଲକର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୁପାରିସ କ୍ରମେ ଘସିପୁରା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ୟସ୍ମାନ ପଣ୍ଡା (ଓଇଏସ୍-୨)ଙ୍କୁ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଏ ନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖରେ ୧୮୧୨୧ ନମ୍ବର ବିଶିଷ୍ଟ ଆଦେଶନାମା ଜାରି କରାଯାଇଛି। ଏଥିସହିତ ଓଡ଼ିଶା ଆର୍ଥିକ ନିୟମାବଳୀ (ଓଏଫ୍ଆର୍) ୨୦୨୩ର ନିୟମ ୨(୧୨) ଓ ୨(୨୧) ଅନୁଯାୟୀ, ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆର୍ଥିକ କାରବାର ପରିଚାଳନା ନିମନ୍ତେ ତାଙ୍କୁ ଡ୍ରଇଂ ଆଣ୍ଡ ଡିସବର୍ସିଂ ଅଫିସର (ଡିଡିଓ) ଭାବେ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଆଦେଶ ଜାରି ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ ଯେ, ହାଟଡିହି ବିଇଓ ରାଜୀବ ଦଳେଇ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ଏସ୍.ଆଇ.ଆର୍. କାର୍ଯ୍ୟରେ ନିୟୋଜିତ କେତେକ ଶିକ୍ଷକଙ୍କୁ ବେଆଇନ ଭାବେ ବଦଳି କରିଥିବା ଏବଂ ଏହାଦ୍ୱାରା ଏସ୍.ଆଇ.ଆର୍. କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ତାଙ୍କୁ ସରକାର ନିଲମ୍ବନ କରିଥିଲେ। ତାଙ୍କ ନିଲମ୍ବନ ପରେ ଖାଲି ପଡ଼ିଥିବା ଏହି ପଦର ଅତିରିକ୍ତ ଦାୟିତ୍ୱ ଏବେ ଘସିପୁରା ବିଇଓଙ୍କୁ ଦିଆଯାଇଛି।


