ଗିରିଗାଁ ନିକଟରେ ଗଛିତ ବାଲିକୁ ନିଲାମ କଲା ପ୍ରଶାସନ
ହାଟଡିହି (ଓ୍ବାଇଏନଏସ): ଦୀର୍ଘଦିନ ହେବ ଗିରିଗାଁ ଘାଟ ନିକଟ ପଡିଆରେ ଗଛିତ ବାଲିକୁ ନିଲାମ କରିଛି ପ୍ରଶାସନ। ଗିରିଗାଁ ସ୍କୁଲ ସମ୍ମୁଖ ଘାଟନିକଟସ୍ଥ ପଡିଆରେ ଶହ ଶହ ଟ୍ରିପ ବାଲି ଡମ୍ପ କରାଯାଇ ଗଛିତ ରଖା ଯାଇଥିଲା। ଯାହାକୁ କି ରାତିରେ ହାଇୱା, ଟ୍ରାକ୍ଟର ଯୋଗେ ଚାଲାଣ କରାଯାଉଥିବା ଅଭିଯୋଗ ହେଉଥିଲା। ଏନେଇ ଗତ ୧୫ତାରିଖରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଖଣି ବିଭାଗ ଓ ପ୍ରଶାସନ ପକ୍ଷରୁ ଏହାକୁ ଜବଦ କରାଯାଇ ଆଜି ନିଲାମ କରାଯାଇଛି। ଆଜି ଅତିରିକ୍ତ ତହସିଲଦାର ଆଲିଶା ଦାସ ଓ କନିଷ୍ଠ ଖଣି ଅଧିକାରୀ ଦିବ୍ୟ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ୩୦୦ କ୍ୟୁବିକ ମିଟର ବାଲିକୁ ଜବଦ କରିବା ସହ ୧୮୦୦ ଟଙ୍କା ଦରରେ ନିଲାମ କରିଥିଲେ। ଏହି ବଳିରୁ ପାଖାପାଖି ୫ଲକ୍ଷ ୫୦ ହଜାର ଟଙ୍କା ରାଜସ୍ବ ଆଦାୟ ହୋଇଥିବା ଖଣି ଅଧିକାରୀ ତାରିଣୀ ସିଂ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ହାଟଡିହି ଅଞ୍ଚଳରେ ଅନେକ ସ୍ଥାନରେ ରାସ୍ତା କଡରେ ବେଆଇନ ଭାବେ ଗଛିତ ରଖା ଯାଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏପରି ବେଆଇନ ଭାବେ ଗଛିତ ରଖାଯାଇଥିବା ବାଲିକୁ ପ୍ରଶାସନ ଜବଦ କରିବାକୁ ସାଧାରଣରେ ଦାବି ହେଉଛି।


