ନବବଧୂକୁ ପିଟିପିଟି ହତ୍ୟା ଅଭିଯୋଗ: ଫୋରେନସିକ ଟିମ ସହାୟତାରେ ତଦନ୍ତ
ହାଟଡିହି (ଓ୍ବାଇଏନଏସ): ସୋସୋ ଥାନା ଆତୁରିକୋଣା ଗ୍ରାମରେ ଜଣେ ନବବଧୂ କୁ ପିଟି ପିଟି ହତ୍ୟା କରିଛନ୍ତି ଶ୍ୱଶୁର ଘର ଲୋକେ। ଏପରି ଅଭିଯୋଗ ଆଣିଛନ୍ତି ମୃତ ନବବଧୁଙ୍କ ବାପା ଓ ମା। ସେମାନଙ୍କ ଅଭିଯୋଗ ଅନୁଯାଇ ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଟିଣା ଗ୍ରାମର ଅଭୟ ଦେହୁରୀ ଓ ତାଙ୍କ ପତ୍ନୀ ରଶ୍ମିତା ଦେହୁରୀଙ୍କ ଏକମାତ୍ର ଝିଅ ଅତସୀ ଦେହୁରୀ। ସେ ନାବାଳିକା ଥିବାବେଳେ ଗତ ଦେଢ଼ ବର୍ଷ ପୂର୍ବେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ପଢିଆରିପଲ୍ଲୀ ପଞ୍ଚାୟତ ଆତୁରିକୋଣା ଗାଁର ନିର ପଲେଇଙ୍କ ପୁଅ ଚନ୍ଦ୍ରମଣି ପଲେଇ ତାକୁ ଉଠାଇ ଆଣିଥିଲା। ଅନେକ ଖୋଜାଖୋଜି କରିବା ପରେ ଚନ୍ଦ୍ରମଣି ତାକୁ ନେଇ ବାହାର ରାଜ୍ୟକୁ ପଳାଇଥିବା ଜାଣିବାକୁ ପାଇଥିଲେ। କିଛିଦିନ ପରେ ୫୦ ହଜାର ଟଙ୍କା ଆଣିବାକୁ କହି ସ୍ୱାମୀ ଚନ୍ଦ୍ରମଣି ବାରମ୍ବାର ଅତସୀ ଉପରେ ଅତ୍ୟାଚାର କରିଥିଲା। ଝିଅର ବାପା ମା ଜାଣିବା ପରେ ନିୟମିତ କିଛି କିଛି ଟଙ୍କା ଦେଇ ଆସୁଥିଲେ। ଜ୍ୱାଇଁ ସବୁ ଟଙ୍କା ମଦ ପିଆରେ ଉଡାଇ ଦେଉଥିଲା। ଏପରିକି ଅତସୀର ତାର ଏକ ଛଅ ମାସର ଶିଶୁ ସହିତ ବାପଘରେ ଥିବା ବେଳେ ଗତ ୧୫ଦିନ ତଳେ ଚନ୍ଦ୍ରମଣି ତାକୁ ନିଜ ଘରକୁ ଆଣିଥିଲା। ତେବେ ଗତକାଲି ରାତିରେ ତୁରନ୍ତ ଆସ ବୋଲି ଚନ୍ଦ୍ରମଣି ଅତସୀର ବାପଘର ଲୋକଙ୍କୁ ଡକାଇ ଥିଲା। ସେମାନେ ପହଂଚିବା ପରେ ଝିଅ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଝିଅକୁ ଚନ୍ଦ୍ରମଣି ଓ ତାଙ୍କ ପରିବାର ଲୋକେ ପିଟି ପିଟି ମାରି ଦେଇଥିବା ସେମାନେ ଅଭିଯୋଗ କରିଥିଲେ। ଏପରିକି ଝିଅର ମୃତ୍ୟୁରେ ମ୍ରିୟମାଣ ହୋଇ ପଡ଼ିଥିବା ଝିଅର ଭାଇ, ବାପା ଓ ସାଙ୍ଗରେ ଆସିଥିବା ଯୁବକ ମାନଙ୍କୁ ଚନ୍ଦ୍ରମଣି ଓ ତାଙ୍କ ପଡୋଶୀ ମାନେ ପିଟାମରା କରିବାକୁ ପଛେଇ ନଥିଲେ। ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ସୁ ପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ଆନନ୍ଦପୁର ଏସ୍ଡ଼ିପିଓ କମଳ କୁମାର ପଣ୍ଡା, ସୋସୋ ଥାନା ଆଇ ଆଇ ସି କାନନ ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି କେନ୍ଦୁଝରରୁ ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ କରିଛନ୍ତି। ମାଜିଷ୍ଟେଟଙ୍କ ଉପସ୍ଥିତିରେ ଶବ ଜବଦ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି। ଏନେଇ ସୋସୋ ଥାନାରେ କେସ ନଂ ୩୬/୨୦୨୬ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଚନ୍ଦ୍ରମଣି ପଲେଇଙ୍କୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଛି। ସୋସୋ ଥାନା ଆଇ ଆଇ ସି କାନନ ସାହୁ ଏହି ମାମଲାର ତଦନ୍ତ ଭାର ନେଇଥିବା ଜଣା ଯାଇଛି।


