ସି.ଟି ହସ୍ପିଟାଲ୍ ରେ ଗାଦି ମାଡି ବସିଥିବା କିରାଣୀକୁ ବଦଳି ଦାବି : ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା ଆମ୍ବେଦକର ସ୍ମୃତି ପରିଷଦ
କଟକ (ଓ୍ବାଇଏନଏସ): କଟକ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ବା ସିଟି ହସ୍ପିଟାଲ ସୁପରିଟେଣ୍ଡେଙ୍କ କାର୍ଯ୍ୟାଳୟରେ କାର୍ୟ୍ୟରତ ବରିଷ୍ଠ କିରାଣୀ ସତ୍ୟବ୍ରତ ନନ୍ଦ ଆଜିକୁ ଦଶବର୍ଷରୁ ଉର୍ଦ୍ଧ୍ବ ଡେପୁଟେସନରେ ଆସି ବିଭିନ୍ନ ଦୁର୍ନୀତିରେ ଜଡ଼ିତ ରହିବା ସହ ହସ୍ପିଟାଲ ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟ କରିବା ବଦଳରେ ଅବନତି ଘଟାଉଥିବା ଅଭିଯୋଗ କରି ଆମ୍ବେଦକର ସ୍ମୃତି ପରିଷଦର ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀଙ୍କ ନେତୃତ୍ବରେ ପରିଷଦ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀଯୁକ୍ତ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେଙ୍କ ନିକଟରେ ଲିଖ୍ତ ଅଭିଯୋଗ କରି ଦୁର୍ନୀତିଗ୍ରସ୍ତ କିରାଣୀ ଶ୍ରୀ ନନ୍ଦଙ୍କୁ ତୁରନ୍ତ ବଦଳି ଦାବି କରିଛନ୍ତି । ସୂଚନା ଥାଉ କି ଉକ୍ତ କିରାଣୀ ଜଣଙ୍କ ପୂର୍ବରୁ ନିଶ୍ଚିନ୍ତକୋଇଲି ଓ ନୂଆବଜାର ସ୍ବାସ୍ଥ୍ୟ କେନ୍ଦ୍ରରେ ରହି ଆର୍ଥିକ ଅନିୟମିତତା କରିଥିବା ଅଭିଯୋଗରେ ସେତେବେଳେ ସି.ଡ଼ି.ଏମ୍.ଓଙ୍କ ଅଫିସ୍ କୁ ବଦଳି କରାଯାଇଥିଲା । ତତ୍କାଳୀନ ସି.ଡ଼ି.ଏମ୍. ଏହି ଦୁର୍ନୀତିଗ୍ରସ୍ତ କିରାଣୀଙ୍କ କାର୍ୟ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ସି.ଟି ହସ୍ପିଟାଲକୁ ଡେପୁଟେସନରେ ପଠାଇଥିଲେ, ସେତେବେଳେ ହସ୍ପିଟାଲରେ ଜଣେ କନିଷ୍ଠ କିରାଣୀ କାର୍ୟ୍ୟ କରୁଥିବାବେଳେ ଚଞ୍ଚକତା କରି ଶ୍ରୀ ନନ୍ଦ ତାଙ୍କୁ ଅନ୍ୟତ୍ର ପଠାଇ ନିଜେ ଗାଦି ମାଡି ବସିଛନ୍ତି । ୨୦୧୮ ମସିହାରେ ବିଭିନ୍ନ ବିବାଦରେ ଛନ୍ଦି ହୋଇପଡିବା ଫଳରେ ତତ୍କାଳୀନ ସି.ଡ଼ି.ଏମ୍.ଓ ଶ୍ରୀ ନନ୍ଦଙ୍କ ନିକଟରୁ ବ୍ୟାଙ୍କ ଆକାଉଣ୍ଟ ଏବଂ ପର୍ସନାଲ ଫାଇଲ ଦାୟିତ୍ବରୁ କାଢି ନେଇଥିଲେ । ଏହା ସତ୍ତ୍ବେ ସେ ଏଠାରେ ରହିଆସୁଛନ୍ତି । ମେଡ଼ିକାଲକୁ ଆସୁଥିବା ରୋଗୀ କିମ୍ବା ରୋଗୀ ସମ୍ପର୍କୀୟଙ୍କୁ ମେଡ଼ିକାଲ ଫିଟନେସ୍ ସାର୍ଟିଫିକଟେ ଓ ରେଫରାଲ୍ ପ୍ରଦାନରେ ମୋଟା ଅଙ୍କର ଲାଞ୍ଚ ନେଉଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିବା ବହୁ ନଜିର ଅଛି । ସେତେବେଳେ ଏହାକୁ ଭିତ୍ତି କରି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ହସ୍ପିଟାଲ କ୍ୟାବିନ ପାଇଁ ଆସୁଥିବା ପ୍ରସୂତି ମହିଳା ଓ ରୋଗୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥାଆନ୍ତି । କ୍ୟାବିନ ଦାୟିତ୍ବରେ ଥିବା ଏହି କିରାଣୀ ଜଣକ ସରକାରଙ୍କ ସବୁ ନିୟମକୁ ଫୁ କରି ବହୁ ବିଳମ୍ବରେ ଅଫିସ୍ କୁ ଆସୁଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ କିରଣୀକୁ ଏହିସବୁ ଅନିୟମିତତା କାର୍ୟ୍ୟରେ ସହାୟତା କରନ୍ତି ଜଣେ ପିଅନ ସେହିପରି ହସ୍ପିଟାଲର ଆନୁଷଙ୍ଗିକ କାଗଜ, ବୈଦୁତିକ ସାମଗ୍ରୀ କିଣାରେ ମ୍ୟାନେଜରଙ୍କ ସହ ସଲାସୁତୁରା ହୋଇ ସରକାରୀ ଅର୍ଥକୁ ତୋଷାରପାତ କରିବା ସହିତ ଦୈନିକ ଶହ ଶହ ରୋଗୀ ଆସୁଥିବାବେଳେ ଏହି ହସ୍ପିଟାଲରେ ସ୍ଥାୟୀ ଅଧୀକ୍ଷକ ନଥିବାରୁ ଏଠାରେ ରୋଗୀମାନେ ଉତ୍ତମ ଚିକିତ୍ସା ନ ପାଇ ଡାକ୍ତରମାନେ ଏସ୍.ସି.ବି କୁ ପଠାଉଥିବା ପରିଷଦ ଅଭିଯୋଗ କରିବା ସହିତ ଏଠାରେ ସାଧାରଣତଃ ଆଇ.ସି.ୟୁ. ସିଟି.ସ୍କାନ, ଇ.ସି.ଜି ଏବଂ ଶ୍ରବଣ ଯନ୍ତ୍ର ଥାଇ ମଧ୍ୟ କାମରେ ଆସୁନାହିଁ । ଏଠାରେ ବିଭିନ୍ନ ବିଭାଗରେ ବିଶେଷଜ୍ଞ ରହୁନାହାନ୍ତି, କେବଳ ଅବସର ନେଉଥିବା ଡାକ୍ତରମାନଙ୍କୁ ପୁନଃ ଅବସ୍ଥାପିତ କରାଯାଉଛି, ଯାହାକି ଚିକିତ୍ସା କ୍ଷେତ୍ରରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଉନାହାନ୍ତି । ଡାକ୍ତରମାନେ ମନଇଛା ଆସୁଛନ୍ତି, କିନ୍ତୁ ରୋଗୀ ଟିକେଟ୍ କରି ଘଣ୍ଟା ଘଣ୍ଟା ଲମ୍ବା ଧାଡିରେ ଅପେକ୍ଷା କରୁଥିବାରୁ ଜିଲ୍ଲାପାଳ ଏହି ସଂବେଦନଶୀଳ ଘଟଣାକୁ ଗୁରୁତ୍ବର ସହିତ ବିଚାରକୁ ନେଇ ତୁରନ୍ତ ସ୍ଥାୟୀ ଅଧୀକ୍ଷକ ନିଯୁକ୍ତି କରିବା ସହିତ କିରାଣୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ସି. ଟି ହସ୍ପିଟାଲରେ ଏହି ସବୁ ସମସ୍ୟା ଗୁଡିକ ସମାଧାନ କରିବାକୁ ପରିଷଦ ପକ୍ଷରୁ ଶ୍ରୀ ସେଠୀ ନିବେଦନ କରିଛନ୍ତି ଦାବିପତ୍ର ପ୍ରଦାନ ସମୟରେ ପରିଷଦ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ସାମଲ, ସଞ୍ଜୟ କୁମାର ରାୟ, ତୃପ୍ତିବାଳା ପ୍ରିୟଦର୍ଶିନୀ ନାୟକ, ଶିବ ଚରଣ ବାରିକ, ସୌମେନ୍ଦ୍ର ସେଠୀ, ପ୍ରବୋଧ କୁମାର ମଲ୍ଲିକ, ଅଭୟ କୁମାର ମଲ୍ଲିକ, ଜୁନେଦ୍ ଖାନ, ଧନେଶ୍ବର ସେଠୀ, ପ୍ରଫୁଲ୍ଲ ନାୟକ, ରାଜେଶ ସ୍ବାଇଁ, ଅଟକ କିଶୋର ଜେନା, ଶ୍ୟାମଳେନ୍ଦୁ ଆଚାର୍ଜ୍ୟ ପ୍ରମୁଖ ଯୋଗଦେଇଥିଲେ ।


