ଆମ୍ବୋ-ସମଣା ନଦୀବନ୍ଧ ଅସମ୍ପୂର୍ଣ୍ଣ, ହାଟଡିହିବାସୀଙ୍କୁ ଘାରୁଛି ବନ୍ୟା ଭୟ

ହାଟଡିହି, ୧୮/୮ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ରେ ପ୍ରତିବର୍ଷ ବୈତରଣୀ ନଦୀର ବନ୍ୟା ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ବେଳେ ଅସମ୍ପୂର୍ଣ୍ଣ ନଦୀବନ୍ଧ ଏହି ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି। ଆମ୍ବୋ ଠାରୁ ସମଣା ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଦୈର୍ଘ୍ୟର ବୈତରଣୀ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଏଯାବତ୍ ସମ୍ପୂର୍ଣ୍ଣ ହୋଇନଥିବାରୁ ବନ୍ୟା ସମୟରେ ନଦୀଜଳ ଗ୍ରାମାଞ୍ଚଳକୁ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି। ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ନଦୀବନ୍ଧ ନିର୍ମାଣ କାର୍ଯ୍ୟରେ ଆଶାନୁରୂପ ଅଗ୍ରଗତି ନ ହେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆନନ୍ଦପୁର ଠାରୁ ତରଭା ପର୍ଯ୍ୟନ୍ତ ବୈତରଣୀ ନଦୀର ନଦୀବନ୍ଧ ରହିଥିବା ବେଳେ  ତରଭା ଠାରୁ ଆମ୍ବୋ ପର୍ଯ୍ୟନ୍ତ ନଦୀବନ୍ଧ ନିର୍ମାଣ କରାଯାଇଛି। ତେବେ ଆମ୍ବୋ ଠାରୁ ସମଣା ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଅଞ୍ଚଳ ଏବେ ମଧ୍ୟ ଅସମ୍ପୂର୍ଣ୍ଣ ରହିଛି।  ଏହି ଅସମ୍ପୂର୍ଣ୍ଣ ଅଞ୍ଚଳଗୁଡ଼ିକ ବନ୍ୟା ସମୟରେ ହାଟଡିହି ବ୍ଲକ୍‌ର ଅନେକ ଗ୍ରାମ ପାଇଁ ବିପଦର କାରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବୈତରଣୀ ନଦୀର ଜଳସ୍ତର ବଢ଼ିଲେ ନଦୀର ବନ୍ୟାଜଳ ଏହି ଅଞ୍ଚଳ ଦେଇ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ପ୍ରବେଶ କରିଥାଏ। ଏହାର ପ୍ରଭାବରେ ଆମ୍ବୋ, ସମଣା, ହାବଳେଶ୍ୱର, ଗେଡ଼ମା, ଆଇତିପୁର, ସୁଲଣ, ପଞ୍ଚୁଗୋଛିଆ ଆଦି ପଞ୍ଚାୟତର ଅନେକ ଗ୍ରାମ ପ୍ରଭାବିତ ହୋଇଥାଏ। କରଗୋଳା, ତେଲଶିଙ୍ଗା, ଆମ୍ବୋ, ଗିରିଗାଁ, ବାହାରିପୁର, ଚାପୁଣ୍ଡିଆ, କଦମଡିହି, ବରାଙ୍ଗ, ସିମିଳିଆ, ଶଙ୍ଖୋ, ଅଣତିରା, ବିରିଡ଼ି, ଗୋବିନ୍ଦପୁର, ଜମ୍ଭରା, ହାବଳେଶ୍ୱର, ମଝିଗାଁ, ଡିମିରିଆ, ଆଗିରିଆ, ସମଣା, ଜାବିନିପୁର, ମଙ୍ଗରାଜପୁର, ଜଳସରପୁର, ସାହାପୁର, ଶାଳବଣି, ସରିଦା, ଢ଼ାଇପୋଖରୀ, ଆଇତିପୁର, ରାଘବପୁର, ଅମୃତପୁର, ନୂଆଗାଁ, ତରଭା, ସୁଲଣ, ଆବୁଲୁପୁରା, ହୀରାପୁର ଓ ନୀଳାପୁର ଭଳି ଗ୍ରାମର ଲୋକମାନେ ପ୍ରତିବର୍ଷ ବନ୍ୟା ଆଶଙ୍କାରେ ରହୁଛନ୍ତି। କେବଳ ଘରଦ୍ୱାର ନୁହେଁ, ବନ୍ୟାଜଳରେ ଏସବୁ ଅଞ୍ଚଳର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଉଛି। ଫଳରେ ଚାଷୀଙ୍କ ଧାନ, ପନିପରିବା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇ ବ୍ୟାପକ ଆର୍ଥିକ କ୍ଷତି ଘଟୁଛି। ଚାଷ ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ବନ୍ୟା ପରେ ଦୀର୍ଘ ସମୟ ଧରି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ନଦୀବନ୍ଧ ଅସମ୍ପୂର୍ଣ୍ଣ ଥିବାରୁ ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଥିବା ଅଞ୍ଚଳବାସୀଙ୍କ ଅଭିଯୋଗ। ଏହି ଅଞ୍ଚଳର ଲୋକଙ୍କ ପାଇଁ ବନ୍ୟା କୌଣସି ନୂଆ ସମସ୍ୟା ନୁହେଁ। ୨୦୧୧, ୨୦୧୩ ଓ ୨୦୧୭ ମସିହାର ବନ୍ୟା ଆଜି ବି ଲୋକଙ୍କ ମନରୁ ଲିଭିନାହିଁ। ସେହି ସମୟରେ ବନ୍ୟାଜଳ ଗ୍ରାମ ମଧ୍ୟକୁ ପ୍ରବେଶ କରିବାରୁ ଅନେକ ପରିବାର ଦୀର୍ଘଦିନ ଧରି ଘରଦ୍ୱାର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଥିଲେ। ଯାତାୟାତ ଓ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଠପ୍ ହୋଇଯାଇଥିଲା। ରାସ୍ତାଘାଟ ଜଳମଗ୍ନ ହେବାରୁ ଅନେକ ଗ୍ରାମ ବାହ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇପଡ଼ିଥିଲା। ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱରେ ଶାଳଦେଈ ପଟେ ବନ୍ୟା ପ୍ରତିରୋଧକ ବନ୍ଧ ନିର୍ମାଣ ହୋଇଥିବା ବେଳେ ବାମ ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକ ପ୍ରତି ଅଧିକ ବିପଦ ରହୁଥିବା ଅଞ୍ଚଳବାସୀ କହିଛନ୍ତି। ନଦୀର ଜଳସ୍ତର ବଢ଼ିଲେ ବନ୍ୟାଜଳ ବାମ ପାର୍ଶ୍ୱ ଦେଇ ଗ୍ରାମାଞ୍ଚଳକୁ ପ୍ରବେଶ କରିବାର ଆଶଙ୍କା ରହୁଛି। ଏଭଳି ପରିସ୍ଥିତିରେ ନଦୀବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ ହେବା ଅଞ୍ଚଳବାସୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଗତ ବନ୍ୟାରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ଭାବେ ଦେଖାଯାଇଥିଲା। ସମଣା ପଞ୍ଚାୟତର ସମଣା, ଚାପୁଣ୍ଡିଆ, କଦମଡିହି ଓ ଗୋବିନ୍ଦପୁର ଏବଂ ଆମ୍ବୋ ପଞ୍ଚାୟତର କରଗୋଳା, ତେଲସିଙ୍ଗା ଆଦି ଗ୍ରାମ ପାଣି ଘେରରେ ରହିଥିଲା। ଅନେକ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାରୁ ଗ୍ରାମଗୁଡ଼ିକର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଲୋକମାନେ ଦୈନନ୍ଦିନ ଆବଶ୍ୟକତା ପାଇଁ ମଧ୍ୟ ଅସୁବିଧାରେ ପଡ଼ିଥିଲେ। ଏହି ପରିସ୍ଥିତିରେ ଆମ୍ବୋ-ସମଣା ନଦୀବନ୍ଧ ନିର୍ମାଣକୁ ନେଇ ପ୍ରଶ୍ନ ଉଠିଛି। ଅଞ୍ଚଳବାସୀଙ୍କ କହିବା ଅନୁସାରେ, ନଦୀବନ୍ଧ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବି ହୋଇଆସୁଛି। ବିଭିନ୍ନ ସମୟରେ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ନିକଟରେ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କାର୍ଯ୍ୟ ତ୍ୱରାନ୍ୱିତ ହୋଇନଥିବା ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି ଅଭିଯୋଗ କରିଛନ୍ତି । ବନ୍ୟା ଆସିବା ପୂର୍ବରୁ ନଦୀବନ୍ଧ କାମ ସମ୍ପୂର୍ଣ୍ଣ କରାଯିବା ନେଇ ଅଞ୍ଚଳବାସୀ ଦାବି କରିଛନ୍ତି। ଜମି ଅଧିଗ୍ରହଣ ଓ କ୍ଷତିପୂରଣକୁ ନେଇ ଯେଉଁ ସମସ୍ୟା ରହିଛି, ତାହାର ତୁରନ୍ତ ସମାଧାନ କରାଯାଇ ନଦୀବନ୍ଧ ନିର୍ମାଣ କାମକୁ ଆଗେଇ ନେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି। କାରଣ ବର୍ଷା ଋତୁରେ ବୈତରଣୀର ଜଳସ୍ତର ବୃଦ୍ଧି ପାଇଲେ ସମସ୍ୟା ଅତ୍ୟନ୍ତ ଗମ୍ଭୀର ରୂପ ନେଉଛି।  ନଦୀବନ୍ଧର ଅସମ୍ପୂର୍ଣ୍ଣ ଅଂଶ ଯେତେଦିନ ରହିବ, ସେତେଦିନ ହାଟଡିହି ବ୍ଲକ୍‌ର ନଦୀକୂଳିଆ ଗ୍ରାମଗୁଡ଼ିକ ବନ୍ୟା ଆଶଙ୍କାରୁ ମୁକ୍ତ ହୋଇପାରିବେ ନାହିଁ ବୋଲି ଲୋକେ କହିଛନ୍ତି। ଏବେ ବର୍ଷା ଋତୁ ଚାଲିଥିବାରୁ ନଦୀକୂଳିଆ ଅଞ୍ଚଳରେ ଭୟ ଆହୁରି ବଢ଼ିଛି। ଗତ କିଛିଦିନ ଭିତରେ ତିନି ତିନୋଟି ବନ୍ୟା ଗ୍ରାମବାସୀଙ୍କୁ ଭୟଭୀତ କରି ପକାଇଛି। ଦୁଇ ତିନିଦିନ ଧରି ଗ୍ରାମବାସୀ ପାଣି ଘେରରେ ରହିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ସ୍କୁଲ କଲେଜ ଯିବା ବନ୍ଦ ହୋଇଯାଇଥିଲା। ଏଠାରେ ଡଙ୍ଗାର ବ୍ୟବସ୍ଥା ନଥିବାରୁ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା କଷ୍ଟକର ହୋଇ ପଡୁଛି।  ସ୍ଥାନୀୟ ଲୋକଙ୍କ ମତରେ, ନଦୀବନ୍ଧ ନିର୍ମାଣ ହେଲେ କେବଳ ବନ୍ୟା ଦାଉରୁ ଗ୍ରାମଗୁଡ଼ିକ ସୁରକ୍ଷିତ ହେବ ନାହିଁ, ଚାଷଜମି ମଧ୍ୟ ସୁରକ୍ଷିତ ରହିବ। ବନ୍ୟା ଯୋଗୁଁ ପ୍ରତିବର୍ଷ ଚାଷୀଙ୍କ ଯେଉଁ କ୍ଷତି ହେଉଛି, ତାହା ମଧ୍ୟ ହ୍ରାସ ପାଇବ। ଏଥିସହିତ ରାସ୍ତାଘାଟ, ବିଦ୍ୟୁତ୍‌, ପାନୀୟଜଳ ଓ ଅନ୍ୟାନ୍ୟ ମୌଳିକ ସେବା ବନ୍ୟା ସମୟରେ ବାଧାପ୍ରାପ୍ତ ହେବାରୁ ମଧ୍ୟ ମୁକ୍ତି ମିଳିପାରିବ। ତେଣୁ ଆମ୍ବୋ ଠାରୁ ସମଣା ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ନଦୀବନ୍ଧ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସମାପ୍ତ କରିବା ସହ ହାବଳେଶ୍ୱର ଠାରୁ ବଳିପୁର ପର୍ଯ୍ୟନ୍ତ ଆବଶ୍ୟକ ନଦୀବନ୍ଧ ନିର୍ମାଣ ପାଇଁ ମଧ୍ୟ ଦ୍ରୁତ ପଦକ୍ଷେପ ନେବାକୁ ସରପଞ୍ଚ ଜଗବନ୍ଧୁ କାଣ୍ଡି, ପ୍ରଣୟ ସା, ଆଲୋକ ଦାଶ, ବାମଦେବ ନାୟକ, ମଧୁ ସୁଦନ ଦାଶ, ପ୍ରେମ କୁମାର ରଣା, ଅଭିଷେକ ସାହା, ବାସୁଦେବ ପଣ୍ଡା, ଅବିନାଶ ସାହା, ବିଜୁ ସାହା, ସୁଧାଂଶୁ ଦାସ, ଭାଗିରଥି ମାଝୀ, ମଲ୍ଲୀ ମାଝୀ, ଜୟନ୍ତୀ ମାଝୀ ପ୍ରମୁଖଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି। ଜମି ଅଧିଗ୍ରହଣ ସମସ୍ୟା ରହିଥିଲେ ଜିଲ୍ଲା ପ୍ରଶାସନ, ଜଳସମ୍ପଦ ବିଭାଗ ଓ ଜମିହରାଙ୍କ ମଧ୍ୟରେ ଆଲୋଚନା କରି ଏହାର ତୁରନ୍ତ ସମାଧାନ କରିବା ସହ ଯଥାଶୀଘ୍ର କାମ ଆରମ୍ଭ କରାଯିବା ଆବଶ୍ୟକ। ବୈତରଣୀର ବନ୍ୟା ହାଟଡିହି ଅଞ୍ଚଳ ପାଇଁ ପ୍ରତିବର୍ଷ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଦେଖାଦେଉଛି। ପୂର୍ବରୁ ଘଟିଥିବା ବନ୍ୟାର ଅଭିଜ୍ଞତା ଏବଂ ଗତ ବନ୍ୟାରେ ପ୍ରଭାବିତ ଗ୍ରାମଗୁଡ଼ିକର ପରିସ୍ଥିତି ଦେଖିଲେ ନଦୀବନ୍ଧ ନିର୍ମାଣକୁ ଆଉ ଅବହେଳା କରିବାର ସୁଯୋଗ ନାହିଁ। ଲୋକଙ୍କ ଜୀବନ, ଜୀବିକା ଓ ଚାଷଜମିର ସୁରକ୍ଷା ପାଇଁ ଅସମ୍ପୂର୍ଣ୍ଣ ନଦୀବନ୍ଧକୁ ସମ୍ପୂର୍ଣ୍ଣ କରିବା ସହ ନିର୍ମାଣର ଗୁଣବତ୍ତା ନିଶ୍ଚିତ କରିବା ଏବେ ସମୟର ପ୍ରମୁଖ ଆବଶ୍ୟକତା। ଜଳସମ୍ପଦ ବିଭାଗ ଓ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେଲେ ହିଁ ଆମ୍ବୋ-ସମଣା ସମେତ ହାଟଡିହି ବ୍ଲକ୍‌ର ନଦୀକୂଳିଆ ଅଞ୍ଚଳବାସୀ ବାରମ୍ବାର ଘାରୁଥିବା ବନ୍ୟା ଭୟରୁ ଆଶ୍ୱସ୍ତ ହୋଇପାରିବେ। ନଦୀବନ୍ଧ କେବେ ସମ୍ପୂର୍ଣ୍ଣ ହେବ, ବନ୍ୟାରୁ କେବେ ମିଳିବ ସ୍ଥାୟୀ ସୁରକ୍ଷା—ଏବେ ଏହା ହିଁ ଅଞ୍ଚଳବାସୀଙ୍କ ବଡ଼ ପ୍ରଶ୍ନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ