ଗଜପତିରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ପଡୋଶୀ ଆନ୍ଧ୍ରପ୍ରଦେଶର କେତେକ ସରକାରୀ କର୍ମଚାରୀ ବେଆଇନ ଭାବେ ଓଡିଶାରେ ପ୍ରବେଶ କରି କର୍ତ୍ତୃତ୍ବ ଜାହିର କରିବା ଅପଚେଷ୍ଟା କରିଥିବା ଲକ୍ଷ୍ୟ କରାଯାଇଛି. ଯାହାକୁ ନେଇ ଓଡିଶା ତଥା ଗଜପତି ଜିଲ୍ଲାର ସମ୍ପୃକ୍ତ ଅଞ୍ଚଳର ଜନ ସାଧାରଣଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉଦବେଗ ପ୍ରକାଶ ପାଇଛି. ଏହି ଘଟଣା ଜାଣିବା ପରେ ଗଜପତି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଯାଇ ଘଟଣାର ଅନୁଧ୍ୟାନ କରିବା ସହ ଆନ୍ଧ୍ର ପ୍ରଶାସନର ଏଭଳି ବେନିୟମ କାର୍ଯ୍ୟକୁ ନିନ୍ଦା କରିବା ସହ ଆନ୍ଧ୍ର ପ୍ରଶାସନର ଏଭଳି ଅପଚେଷ୍ଟାକୁ କେବେବି ସଫଳ ହୋଇପାରିବ ନାହିଁ ବୋଲି ଏହି ଟିମ ଅନୁଧ୍ୟାନ ପରେ ସୂଚନା ଦେଇଛନ୍ତି. ଘଟଣାରୁ ପ୍ରକାଶ, ବର୍ତ୍ତମାନ ଗଜପତି ଜିଲ୍ଲାରେ ଜନଗଣନା କାର୍ଯ୍ୟ ଜାରି ରହିଥିବା ବେଳେ ସୀମାନ୍ତରେ ଏହାକୁ ନେଇ ବର୍ତମାନ ନୂଆ ବିବାଦ ଦେଖା ଦେଇଛି। ଓଡ଼ିଶା ସରକାରଙ୍କ ଦ୍ଵାରା ସୀମାନ୍ତରେ ଜନଗଣନା ପ୍ରକ୍ରିୟା ଚାଲିଥିବା ବେଳେ ଆନ୍ଧ୍ର ଏଥିରେ ହସ୍ତକ୍ଷେପ କରି ବେନିୟମ କାର୍ଯ୍ୟ କରିବା ସହ ଓଡିଶାରେ କର୍ତ୍ତୃତ୍ବ ଜାହିର କରିବା ପାଇଁ ଅପଚେଷ୍ଟା କରିଛନ୍ତି. ଏହାର ଜ୍ବଳନ୍ତ ଉଦାହରଣ ଗଜପତି ଜିଲ୍ଲାର ରାୟଗଡ଼ ବ୍ଳକ୍ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଓ ଗୁଡ଼ିଖୁଡି ଗ୍ରାମରେ ଗତକାଲି ଦେଖିବାକୁ ମିଳିଛି | ଗତକାଲି ଆନ୍ଧ୍ରର କିଛି ଅଧିକାରୀ ସେହି ଅଞ୍ଚଳକୁ ଆସି କେତେକ ଘରକାନ୍ଥରେ ଲେଖାଯାଇଥିବା ତଥ୍ୟ ଉପରେ ବଳପୂର୍ବକ ଚୂନ ବୋଳି ଦେଇଛନ୍ତି। ଆଉ ସେଥିରେ ଆନ୍ଧ୍ର ସରକାରଙ୍କ ତଥ୍ୟ ଉଲ୍ଲେଖ କରିଛନ୍ତି। ଫଳରେ ଏହି ଅଞ୍ଚଳ ବାସିନ୍ଦା କାହା ସର୍ଭେରେ ନିଜକୁ ସାମିଲ କରିବେ, ଏହାକୁ ନେଇ ବର୍ତମାନ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ପକ୍ଷରୁ ସର୍ଭେ କରୁଥିବା ଅଧିକାରୀ ଓଡ଼ିଶାର ତଥ୍ୟ ଉଲ୍ଲେଖ କରୁଥିବା ବେଳେ ଆନ୍ଧ୍ର ଅଧିକାରୀମାନେ ସେହି ତଥ୍ୟକୁ ଲିଭାଇ କାନ୍ଥରେ ଚୂନ ମାରି ଆନ୍ଧ୍ରର ତଥ୍ୟକୁ ଜବରଦସ୍ତି ସମ୍ପୃକ୍ତ ଅଞ୍ଚଳର ଘର କାନ୍ଥ ଗୁଡିକରେ ଲେଖୁଛନ୍ତି ବୋଲି ସମ୍ପୃକ୍ତ ଅଞ୍ଚଳର ସରପଞ୍ଚ ହରିବନ୍ଧୁ କାର୍ଜି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି ଗଜପତି ପ୍ରଶାସନ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିବା ପରେ ଆଜି ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡାଙ୍କ ନେତୃତ୍ୱରେ ରାୟଗଡା ତହସିଲଦାର, ଆରଆଇ ଗାରାବନ୍ଧ ଥାନା ଅଧିକାରୀଙ୍କ ସମେତ ଏକ ସ୍ୱତନ୍ତ୍ରଟିମ ମାଣିକପୁର ଗସ୍ତ କରି ସବୁକିଛି ଅନୁଧ୍ୟାନ କରିଛନ୍ତି. ଉପଜିଲ୍ଲାପାଳ ଶ୍ରୀ ପଣ୍ଡା ଅନୁଧ୍ୟାନ ପରେ କହିଛନ୍ତି ଏହି ସବୁ ଅଞ୍ଚଳ ଓଡ଼ିଶା ଗଜପତି ଜିଲ୍ଲାର ଅଟେ. ଆନ୍ଧ୍ର ଅଧିକାରୀମାନେ ବେନିୟମ ଭାବେ ଓଡ଼ିଶାରେ ପ୍ରବେଶ କରି ଏଭଳି କାର୍ଯ୍ୟ କରିବା ନେଇ ଅନୁଧ୍ୟାନର ସମସ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ।


