ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲାରେ ଥିବା ୫ଗୋଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ମଧ୍ଯରୁ ପରୀକ୍ଷା ଦେଇଥିବା ସମସ୍ତ ୩୫ ଜଣ ମାତୃପିତୃହୀନ ଶିଶୁ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏ-୨ରେ ଜଣେ, ବି-୧ରେ ୭ ଜଣ, ବି-୨ରେ ୧୨ ଜଣ ଏବଂ ଅବଶିଷ୍ଟ ୧୫ ଜଣ ବିଭିନ୍ନ ବର୍ଗରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 18 ଜଣ ଝିଅ ଏବଂ ୧୭ ଜଣ ପୁଅ ରହିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନରେ ଦଶମ ଶ୍ରେଣୀରେ ପଢୁଥିବା ଶିଶୁମାନଙ୍କ ପାଇଁ ସତନ୍ତ୍ର ଶିକ୍ଷକ ନିଯୁକ୍ତି କରାଯାଇଥିଲା। ପାରଳାଖେମୁଣ୍ଡି ଠାରେ ପରିଚାଳିତ ଉତ୍କଳ ବାଳାଶ୍ରମ ଶିଶୁ ଯତ୍ନ ଅନୁଷ୍ଠାନରୁ ୧୪ ଜଣ, ଗୁମ୍ମାସ୍ଥିତ ନିଶାନ ସାଲେମ ହୋମ ଓ ଅନ୍ୟ ୩ଟି ଶିଶୁ ଯତ୍ନ ଅନୁଷ୍ଠାନରୁ ୨୧ ଜଣ ଶିଶୁ ପରୀକ୍ଷା ଦେଇଥିଲେ। ଏନେଇ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଅମିୟ ତ୍ରିପାଠୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀଅରୁଣ ତ୍ରିପାଠୀ ଓ ଶିଶୁ ସୁରକ୍ଷା ଅଧିକାରୀ (ଯତ୍ନ) ଡମ୍ବରୁଧର ବଳବନ୍ତ, ନିଶାନ ସାଲେମ ହୋମ ଓ ଉତ୍କଳ ବାଳାଶ୍ରମ ଗସ୍ତକରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶିଶୁମାନଙ୍କୁ ମିଠା ବଣ୍ଟନ କରି ଶୁଭେଚ୍ଛା ଜଣାଇଥିଲେ।


