ବାଲେଶ୍ୱର ମ୍ୟୁନିସିପାଲିଟିର ସ୍ୱାୟତ୍ତ ଶାସନ ଦିବସ ପାଳନ
ବାଲେଶ୍ୱର (ସରୋଜ ପଣ୍ଡା): ଗାନ୍ଧୀ ସ୍ମୃତି ଭବନରେ ସ୍ୱାୟତ୍ତ ଶାସନ ଦିବସ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବାଲେଶ୍ୱର ମ୍ୟୁନିସିପାଲିଟି ତା’ର ୧୫୦ ତମ ବର୍ଷ୍ରେ ପଦାର୍ପଣ କରିବାର ଉତ୍ସବ ପାଳନ କରୁଥିବା ବେଳେ, ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ତାଙ୍କ ଅଭିଭାଷଣରେ ଅଧ୍ୟକ୍ଷା, କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କର ନିରନ୍ତର ପରିଶ୍ରମ ଏବଂ ଉଦ୍ୟମ ପାଇଁ ପ୍ରଶଂସା କରିଥିଲେ। ମ୍ୟୁନିସିପାଲିଟିର ଉତ୍ତମ କାର୍ଯ୍ୟ ଉପରେ ସେ ଗୁରୁତ୍ୱ ଦେଇ ଆଗାମୀ ସ୍ୱଚ୍ଛ ଭାରତ ସର୍ଭେକ୍ଷଣରେ ବାଲେଶ୍ୱରକୁ ଶୀର୍ଷ ୨୦ରେ ସ୍ଥାନ ପାଇବା ପାଇଁ ସେ ପ୍ରୟାସ କରିବାକୁ ଆହ୍ବାନ ଦେଇଥିଲେ ଏବଂ ଏହି ପ୍ରୟାସରେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରସଙ୍ଗରେ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ କହିଛନ୍ତି ଯେ, ଏହା ବାଲେଶ୍ୱର ପାଇଁ ଏକ ଗର୍ବର ମୁହୂର୍ତ୍ତ। ସେ ବାଲେଶ୍ୱର ମ୍ୟୁନିସିପାଲିଟିର ସ୍ୱଚ୍ଛତା ପ୍ରୟାସକୁ ପ୍ରଶଂସା କରିଛନ୍ତି ଏବଂ ସମସ୍ତ ନିର୍ବାଚିତ ପ୍ରତିନିଧି, ଅଧିକାରୀ ଓ ଇଞ୍ଜିନିୟରମାନଙ୍କୁ ସାଧୁବାଦ ଜଣାଇଛନ୍ତି। ସେହିପରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ ତାଙ୍କ ଅଭିଭାଷଣରେ ମ୍ୟୁନିସିପାଲଟି ର ଗୁଣାତ୍ମକ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ, ସ୍ୱଚ୍ଛ, ସବୁଜ, ପରିମଳ ଏବଂ ମୌଳିକ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ନଗରର ମୁଖ୍ୟ ପ୍ରାଥମିକତା ହେବା ଉଚିତ। ସେ ସଫେଇ କର୍ମଚାରୀଙ୍କୁ ନଗରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରଶଂସା କରିଛନ୍ତି। ବାଲେଶ୍ୱର ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶେଷରେ, ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ନିର୍ଲିପ୍ତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


