ହାଟଡିହି ବ୍ଲକରେ ହିତାଧିକାରୀଙ୍କୁ ମିଳୁନି ହରିଶ୍ଚନ୍ଦ୍ର ଯୋଜନାର ଅନୁଦାନ

ହାଟଡିହି ,(ଓ୍ବାଇଏନଏସ): ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଅସମର୍ଥ ଗରିବ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ହରିଶ୍ଚନ୍ଦ୍ର ସହାୟତା ତୁରନ୍ତ ଯୋଗାଇ ଦେବା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତରେ ଏଥିପାଇଁ ୧୫ ହଜାର ଟଙ୍କା ଲେଖାଏଁ କ୍ରାନ୍ତି ପାଣ୍ଠି ଭାବେ ମହଜୁଦ ରହିଛି। ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ୧୫ ଦିନ ମଧ୍ୟରେ ଅନଲାଇନରେ ଆବେଦନ କରି ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିରୁ ପଞ୍ଚାୟତର ବ୍ୟାଙ୍କଖାତାକୁ ଭରଣା କରିବା ପାଇଁ ନିର୍ଦ୍ଦେଶନାମା ରହିଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପଞ୍ଚାୟତକୁ ଅର୍ଥ ମିଳି ସାରିଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ ଏହି ଅର୍ଥ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଦାନ ନକରିବା ଯୋଜନାର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।  ହାଟଡ଼ିହି ବ୍ଲକ  ଶାଳଣିଆଁ ପଞ୍ଚାୟତର ଅନେକ ହିତାଧିକାରୀ ଏହି ଯୋଜନାରେ ଆବେଦନ କରି ଅନୁଦାନ ପାଇ ନଥିବା ଅଭିଯୋଗ ହୋଇଛି। ମାସ ମାସ ପୂର୍ବରୁ ସେମାନଙ୍କୁ ହରିଶ୍ଚନ୍ଦ୍ର ଅନୁଦାନ ଯୋଗାଇ ଦିଆଯାଇ ଥିବା ୱେବସାଇଟରୁ ସ୍ପଷ୍ଟ ହେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ସେମାନେ ଅନୁଦାନ ଅର୍ଥ ପାଇ ନଥିବା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଶାଳଣିଆଁ ପଞ୍ଚାୟତରେ ୨୦୨୬ ଜାନୁଆରୀ ୧ ରୁ ଏଯାବତ ୧୩ ଜଣ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହିତାଧିକାରୀଙ୍କୁ ସହାୟତା ଟଙ୍କା ପ୍ରଦାନ କରାଯାଇନାହିଁ। ଗ୍ରାମର କୃଷ୍ଣଚନ୍ଦ୍ର ଶଙ୍ଖୁଆଙ୍କ ମୃତ୍ୟୁ ପରେ ପୁଅ ଅମୂଲ୍ୟଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୨୦୨୬ ଏପ୍ରିଲ ୧୫ରେ ୩ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ଦର୍ଶାଯାଇଛି। ଅମୁଲ୍ୟଙ୍କୁ ହରିଶ୍ଚନ୍ଦ୍ର ସହାୟତା ଟଙ୍କା ପ୍ରଦାନ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ବିଷ୍ଣୁପୁର ଗ୍ରାମର ସୁଶାନ୍ତ କୁମାର ଜୋନାଙ୍କ ପୁତ୍ର ସାଇ ପ୍ରକାଶ (୧୩)ଙ୍କ ୨୦୨୫ ସେପ୍ଟେମ୍ବର ୩୦ରେ ମୃତ୍ୟୁ ହୋଇଥିଲା। ସୁଶାନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେ ହରିଶ୍ଚନ୍ଦ୍ର ସହାୟତା ପାଇଁ ପଞ୍ଚାୟତରେ ଆବେଦନ କରିଥିଲେ । ସୁଶାନ୍ତଙ୍କୁ ସହାୟତା ପ୍ରଦାନ କରାଗଲା ନାହିଁ। କିନ୍ତୁ ଏପ୍ରିଲ ୧୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତକୁ ଉକ୍ତ ଅର୍ଥ ପ୍ରଦାନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଶାନ୍ତଙ୍କୁ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରାଯାଇନଥିବା ସେ କହିଛନ୍ତି। ସେହିପରି ଶାଳଣିଆଁ ଗ୍ରାମର ଆଖଜି ଜେନାଙ୍କ ପରିବାରକୁ ଏପର୍ଯ୍ୟନ୍ତ ୩ ହଜାର ଟଙ୍କା ପ୍ରଦାନ କରାଯାଇନଥିବା ବେଳେ ତାଙ୍କ ନାତି ଚିତ୍ତରଞ୍ଜନ ଯେନାଙ୍କୁ ଫେବୃଆରୀ ୨୪ରେ ହରିଶ୍ଚନ୍ଦ୍ର ପ୍ରଦାନ କରାଯାଇଥିବା ଦର୍ଶାଯାଇଛି।  ଉକ୍ତ ପଞ୍ଚାୟତର ବ୍ରାହ୍ମଣୀକାଳ ଗ୍ରାମର ଜଣେ ସରକାରୀ ଚାକିରିଆ ଥିବା ପରୀକ୍ଷିତ ସ୍ବାଇଁଙ୍କ ମୃତ୍ୟୁ ପରେ ତାଙ୍କ ପୁଅଙ୍କୁ ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରାଯାଇଥିବା ଦର୍ଶାଯାଇଛି। ପରୀକ୍ଷିତ ଶିକ୍ଷକ ଭାବେ କାର୍ଯ୍ୟକରୀ ଅବସର ଗ୍ରହଣ କରିଥିବାରୁ ନିୟମ ଅନୁଯାଇ ତାଙ୍କ ସମ୍ପର୍କୀୟ ଏହି ଯୋଜନାରେ ସହାୟତା ପାଇବାପାଇଁ ଅଯୋଗ୍ୟ ଅଟନ୍ତି । ଜଣେ ଅଯୋଗ୍ୟ ହିତାଧୂକାରୀଙ୍କୁ ଯୋଗ୍ୟ ଦର୍ଶାଇ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଶାଳଣିଆଁ ପଞ୍ଚାୟତର ପିଇଓ ରମେଶ ମାଝିଙ୍କୁ ପଚାରିବାରେ ସେ ହରିଶ୍ଚନ୍ଦ୍ର ଟଙ୍କା ଉଠାଇ ନଥିବା କହିଛନ୍ତି। ଟଙ୍କା ଆସି ନଥିଲା, ଯଦି ଆସିଥାଏ ତେବେ ଅତିଶୀଘ୍ର ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବୁ ବୋଲି କହିଛନ୍ତି। ଖାଲି ଏହି ପଞ୍ଚାୟତ ନୁହେଁ ଅଧିକାଂଶ ପଞ୍ଚାୟତରେ ସମାନ ଅବସ୍ଥା। ମାସ ମାସ ହେଲା ହରିଶ୍ଚନ୍ଦ୍ର ସହାୟତା ପାଇଁ ଆବେଦନ କରିଥିଲେ ବି ସେମାନଙ୍କୁ ସରକାରୀ ସହାୟତା ମିଳି ପାରିନି। କିଛି ପଞ୍ଚାୟତରେ ତତ୍କାଳ ଏହି ଅନୁଦାନ ଦିଆ ଯାଉଥିବା ବେଳେ ଅଧିକାଂଶ ପଞ୍ଚାୟତରେ ମାସ ମାସ ଅପେକ୍ଷା କରିବାକୁ ପଡୁଛି। ପଞ୍ଚୁଗୋଛିଆ ପଞ୍ଚାୟତରେ ୧୩ଜଣ ହିତାଧିକାରୀ ହରିଶ୍ଚନ୍ଦ୍ର ଅନୁଦାନ ପାଇବାକୁ ଅପେକ୍ଷାରେ ଥିବା ବେଳେ ବଡ଼ରମ୍ପାସ ପଞ୍ଚାୟତରେ ୩୫ଜଣ, ଆକରୁଆ ପଞ୍ଚାୟତରେ ୨୦ଜଣ, ଶାସଙ୍ଗରେ ୧୨ଜଣ ହିତାଧିକାରୀ ହରିଶ୍ଚନ୍ଦ୍ର ସହାୟତା ପାଇଁ ଅପେକ୍ଷା କରିଥିବା ଜଣା ଯାଇଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ