ଦୁଇ ମାସ ହେଲା ଭତ୍ତା ଅପେକ୍ଷାରେ ହିତାଧିକାରୀ

ଆସିକା  (ୱାଇଏନ୍‍ଏସ୍‍): ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍‍ଲାଇନ୍‍ରେ ପ୍ରଦାନ କରାଯାଉଥିବା ଜାତୀୟ ସାମାଜିକ ସହାୟତା ଅନ୍ତର୍ଗତ ଆସିକା ପୌର ପରିଷଦ ଅଧୀନସ୍ଥ ୧୮ଟି ୱାର୍ଡର ୫୭୧ ହିତାଧିକାରୀ ଏବଂ ପଞ୍ଚାୟତ ସମିତି ଅନ୍ତର୍ଗତ ୨୭ଟି ଗ୍ରାମ ପଞ୍ଚାୟତର ୬୫୨୨ ଜଣ ହିତାଧିକାରୀ ଏହିଭଳି ସମୂଦାୟ ୭୦୯୩ ଜଣ ହିତାଧିକାରୀଙ୍କୁ ଗତ ୨ ମାସର ଭତ୍ତା ମିଳିନଥିବା ଜଣାପଡିଛି । ମଧୁବାବୁ ପେନ୍‍ସନ୍‍ ଯୋଜନା ଯୋଗ୍ୟ ବିବେଚିତ ହିତାଧିକାରୀମାନେ ମାସିକ ପେନ୍‍ସନ୍‍ (ଭତ୍ତା) ସଠିକ୍‍ ଭାବେ ପାଉଥିଲା ବେଳେ ଜାତୀୟ ସାମାଜିକ ସହାୟତା ଯୋଜନାରେ ଉପକୃତ ହେଉଥିବା ଆସିକା ପୌର ପରିଷଦ ଓ ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ୭୦୯୩ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସେମାନଙ୍କ ଏପ୍ରିଲ ଓ ମେ ମାସର ଭତ୍ତା ଆସିନଥିବା ଜଣାପଡିଛି । ଯାହାକୁ ନେଇ ବହୁ ହିତାଧିକାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଗରିବ ଶ୍ରେଣୀର ବହୁ ହିତାଧିକାରୀ ମାସିକ ଭତ୍ତା ଟଙ୍କାରେ ସେମାନଙ୍କ ତେଲଲୁଣର ସଂସାର ଚଳାଉଥିଲା ବେଳେ ଆଉ କିଛି ହିତାଧିକାରୀ ପରିଣତ ବୟସର ଔଷଧ ଖର୍ଚ୍ଚ ତୁଲାଉଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ୨ ମାସର ଭତ୍ତା ମିଳିନଥିବାରୁ ସଂପୃକ୍ତ ହିତାଧିକାରୀମାନେ ଅତି ଦୟନୀୟ ଅବସ୍ଥାରେ ଭାଗ୍ୟକୁ ଆଦରି କାଳାତିପାତ କରୁଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ଡିବିଟି ପ୍ରକ୍ରିୟାରେ ସଂଶୋଧନ କରାଯାଇଥିବାରୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଏପ୍ରିଲ ମାସର ଭତ୍ତା ରାଶିକୁ ବକେୟା ଆକାରରେ ମେ ମାସରେ ସେମାନଙ୍କ ଭତ୍ତା ରାଶି ଏକକାଳୀନ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । କିନ୍ତୁ ମେ ମାସ ଶେଷ ହେବାକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀମାନେ କେବେ ଭତ୍ତା ରାଶି ପାଇବେ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦ୍ର ସରକାରଙ୍କ ଇନ୍ଦିରାଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଗାନ୍ଧୀ ବିଧବା ଭତ୍ତା, ଇନ୍ଦିରାଗାନ୍ଧୀ ଭିନ୍ନକ୍ଷମ ଭତ୍ତା ଯୋଜନାରେ ଆସିକା ପୌର ପରିଷଦ ଓ ପଞ୍ଚାୟତ ସମିତି ଅଧୀନସ୍ଥ ଅଞ୍ଚଳରେ ସମୂଦାୟ ୭୦୯୩ ଜଣ ହିତାଧିକାରୀ ଅତୀତରେ ନିଜ ନିଜ ବ୍ୟାଙ୍କ ଏକାଉଣ୍ଟ ଜରିଆରେ ଭତ୍ତା ପାଇଆସୁଥିଲେ । ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ପଞ୍ଚାୟତରେ ଇନ୍ଦିରାଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ୪୨୧୬ ଜଣ, ଇନ୍ଦିରାଗାନ୍ଧୀ ବିଧବା ଭତ୍ତା ଯୋଜନାରେ ୨୦୩୨ ଜଣ, ଇନ୍ଦିରାଗାନ୍ଧୀ ବିକଳାଙ୍ଗ ଭତ୍ତା ଯୋଜନାରେ ୨୭୪ ଜଣ ଏବଂ ଆସିକା ପୌର ପରିଷଦ ଅଧୀନସ୍ଥ ୧୮ଟି ୱାର୍ଡରେ ଇନ୍ଦିରାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୩୧୮ ଜଣ, ଇନ୍ଦିରାଗାନ୍ଧୀ ବିଧବା ଭତ୍ତା ଯୋଜନାରେ ୨୪୩ ଜଣ, ଇନ୍ଦିରାଗାନ୍ଧୀ ବିକଳାଙ୍ଗ ଭତ୍ତା ଯୋଜନା ୧୦ ଜଣ ଉପକୃତ ହୋଇଆସୁଥିଲେ । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‍ଏସ୍‍ପି)ରେ ଅନ୍‍ଲାଇନ୍‍ ଜରିଆରେ ହିତାଧିକାରୀଙ୍କ ଜମାଖାତାକୁ ୨ ମାସ ହେଲା ଭତ୍ତା ଟଙ୍କା ଆସିନଥିବା ଜଣାପଡିଛି । ହାତକୁ ଭତ୍ତା ଟଙ୍କା ଆସିବା ପୂର୍ବରୁ ବହୁ ହିତାଧିକାରୀଙ୍କ ଖର୍ଚ୍ଚର ତାଲିକା ପ୍ରାୟତଃ ଶେଷ ହୋଇଥାଏ । ଗୋଟିଏ ପଟେ ପେଟ୍ରୋଲ, ଡିଜେଲ୍‍ ଓ ଏଲ୍‍ପିଜି ଦର ସାଙ୍ଗକୁ ଦରଦାମ୍‍ ବଢିଚାଲିଥିଲା ବେଳେ ଭତ୍ତା ଟଙ୍କା ଉପରେ ନିର୍ଭର କରିଚଳୁଥିବା ହିତାଧିକାରୀମାନେ ଗତ ଏପ୍ରିଲ ଓ ମେ ମାସର ଭତ୍ତା ଟଙ୍କା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‍ଏସ୍‍ପି) ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀଙ୍କ ଏକାଉଣ୍ଟକୁ ଭତ୍ତା ଟଙ୍କା ପଠାଯାଇଥାଏ । ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ଜାତୀୟ ସାମାଜିକ ସହାୟତା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଗତ ୨ ମାସର ଭତ୍ତା ଟଙ୍କା ନପାଇ ହତୋତ୍ସାହିତ ହୋଇପଡିଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଜାତୀୟ ସାମାଜିକ ସହାୟକା ଯୋଜନାରେ ଅନ୍‍ଲାଇନ୍‍ ମାଧ୍ୟମରେ ଭତ୍ତା ଟଙ୍କା ପାଉଥିବା ହିତାଧିକାରୀଙ୍କ ଏକାଉଣ୍ଟକୁ କେନ୍ଦ୍ରରୁ ଟଙ୍କା ଆସିଥାଏ । ତେବେ କେନ୍ଦ୍ରରୁ ଟଙ୍କା ଆବଣ୍ଟନରେ ବିଳମ୍ବ ହୋଇଛି । ଅତିଶୀଘ୍ର ଏକାଥରକେ ହିତାଧିକାରୀଙ୍କୁ ୨ ମାସର ଭତ୍ତା ପ୍ରଦାନ ଦିଗରେ ପ୍ରୟାସ ଜାରି ରହିଛି । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଡିବିଟି (ଡାଇରେକ୍ଟ ବେନିଫିଟ୍‍ ଟ୍ରାନ୍ସଫର୍‍) ପ୍ରକ୍ରିୟା ସଂଶୋଧନ ଯୋଗୁଁ ଭତ୍ତା ମିଳିବାରେ ବିଳମ୍ବ ହୋଇଥିବା ଜଣାପଡିଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଜାତୀୟ ସାମାଜିକ ସହାୟତା ଯୋଜନାରେ ଉପକୃତ ହିତାଧିକାରୀଙ୍କୁ ବକେୟା ଥିବା ୨ ମାସର ଭତ୍ତା ରାଶି ତୁରନ୍ତ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ