ଭାଗବତ ବାରଗାଦି ମେଳଣ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ତୁଳସୀପୁର ପଞ୍ଚାୟତ ସାନହୁଲି ଗ୍ରାମର ଐତିହାସିକ ପୀଠ ରତ୍ନବଟ ମଠ ଠାରେ ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ୧୨ ଗାଦି ଭାଗବତ ମେଳଣ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରାତଃ ରେ ତୁଳସୀପୁର ଗ୍ରାମ ର ଭାଗବତ ଗାଦି ଠାକୁର ଥାନପତି ହୋଇଥିବାରୁ ମେଳଣ ମଣ୍ଡପ କୁ ଯାଇ ପ୍ରଥମେ ଉପବେଶନ କରିଥିଲେ। ତାପରେ ନିକଟସ୍ଥ ଭାଣପୁର, ଚହଟା,ବାଲୁଙ୍କ, ଛଣୀଜଙ୍ଗ,ଜାହାଙ୍ଗୀରପୁର, ସାନହୁଲି, ବାସୁଦେଇପୁର, ବନମାଳୀପୁର, ଦଣ୍ଡିକେରା, ବଳଭଦ୍ରପୁର, କେଶରାଇପୁର ପ୍ରଭୃତି ୧୨ ଟି ଗାଁ ର ଭାଗବତଗାଦି ଠାକୁର ସୁସଜ୍ଜିତ ସ୍ୱ ସ୍ୱ ବିମାନ ରେ ମଣ୍ଡପ କୁ ଆସି ଉପବେଶନ କରିଥିଲେ ।ଓଁ ଶ୍ରୀ ଶ୍ରୀ ଭାଗବତ ବାସୁଦେବ ବାରଗାଦୀ ପୂଜା କମିଟି ପକ୍ଷରୁ ବିଭିନ୍ନ ଗ୍ରାମରୁ ଆସିଥିବା ସମସ୍ତ ବାରଗାଦି ଠାକୁର ଙ୍କୁ ସ୍ବାଗତ ସମ୍ବଦ୍ଧନା ଦିଆ ଯାଇଥିଲା। ରତ୍ନବଟ ମଠ ର ମୁଖ୍ୟ ପୂଜକ ଭଜମନ ସତପଥି ଙ୍କ ଦ୍ୱାରା ଠାକୁର ଙ୍କ ସ୍ନାନ ପରେ ସକାଳେ ବାଳ ଭୋଗ ଓ ମଧ୍ୟାହ୍ନ ରେ ଅନ୍ନପ୍ରସାଦ ଭୋଗ ଲାଗି କରା ଯାଇଥିଲା। ଠାକୁର ମାନଙ୍କ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇଥିଲା । ଗାଁ ଗାଁ ଭିତରେ ସଦଭାବନା ରକ୍ଷା ଓ ଭାଇଚାରା ବୃଦ୍ଧି ପାଇଁ ଏହି ଦ୍ବାଦଶ ଭାଗବତ ଗାଦି ମେଳଣ କାହିଁ କେତେ କାଳରୁ ଏଠାରେ ଅନୁଷ୍ଠିତ ହୋଇ ଆସୁଥିବା କହିଛନ୍ତି ତୁଳସୀପୁର ଗ୍ରାମ ର ବୟୋଜ୍ୟେଷ୍ଠ ବ୍ୟକ୍ତି କ୍ଷମାନିଧି ତ୍ରୀପାଠୀ। ଏହି ମେଳଣ ରେ ଅନୁଷ୍ଠାନ ର ସଭାପତି ସନ୍ତୋଷ କୁମାର ତ୍ରିପାଠୀ, ଉପସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ର,ସଂପାଦକ ଲଷ୍ମୀଧର ବେହେରା, ସହ ସମ୍ପାଦକ ଚନ୍ଦ୍ରମଣୀ ସାହୁ କୋଷାଧକ୍ଷ ବ୍ରଜକିଶୋର କର ଓ ସଭ୍ୟ ହରେକୃଷ୍ଣ ଶତପଥି,କୈଳାଶ କର, ଚକ୍ରଧର ପାଣି ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଠାକୁର ଙ୍କ ସମ୍ମୁଖ ରେ ଦ୍ଵାଦଶ ସ୍କନ୍ଦ ଭାଗବତ ପାଠ କରା ଯାଇଥବା ବେଳେ ଅନ୍ନ ପ୍ରସାଦ ଭୋଗ ଲାଗି କରା ଯାଇଥିଲା। ସଂଧ୍ୟା ରେ ଅନୁଷ୍ଠାନ ପକ୍ଷରୁ ଆତସବାଜୀ ପ୍ରଦର୍ଶନ କରାଯାଇଥିଲା। ଶେଷରେ ଠାକୁର ମାନଙ୍କ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇଥିଲା ଓ ଠାକୁର ମାନେ ସ୍ୱ ସ୍ୱ ବିମାନ ରେ ସ୍ୱ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥିପାଇଁ ରତ୍ନବଟ ମଠ ଠାରେ ବହୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥିଲା।


