ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋପ ବ୍ଲକ ପକ୍ଷରୁ ଆଜି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ବିଡ଼ିଓ ସୂର୍ଯ୍ୟ ଶଙ୍କର ଦାଶଙ୍କ ପୌରୋହିତ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଶିବିର ଆରମ୍ଭରେ ବରେଣ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଝୁନୁ ରାଣୀ ମଲ୍ଲିକ୍ , ଉପାଧ୍ୟକ୍ଷ ବାନରଞ୍ଜନ ପଟ୍ଟନାୟକ , ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ ଯୋଗଦେଇ ଶିବିରର ବିଭିନ୍ନ ବିଭାଗ ବୁଲି ଦେଖିବାସହିତ ଭିନ୍ନକ୍ଷମ ମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ଗୋପ ବ୍ଲକ ଏବିଡ଼ିଓ ଦୀପକ କୁମାର ଜେନା , ଜମାକାରୀ ମୋହନ୍ ଦାଶ, ବରିଷ୍ଟ କିରାଣୀ ବୀରେନ୍ ମହାନ୍ତି ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବା ଶିବିରର ଲକ୍ଷ୍ୟ ବୋଲି କହିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପକ୍ଷରୁ ଆୟୋଜିତ ଶିବିରରେ ବିଭିନ୍ନ ଅଂଚଳର ୧୧୦ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ । ୪୫ ଜଣ ଶାରୀରିକ , ୧୬ ମାନସିକ, ୧୮ଜଣ ମୁକ, ବଧିର, ଶ୍ରବଣ ବାଧିତ, ୧୫ ଦୃଷ୍ଟି ବାଧିତ ଏବଂ ୩ଜଣ ଭେସେଜ୍ କୁ ନେଇ ସମୁଦାୟ ୯୭ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଥିଲା । ପରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଥିଲା । ଶିବିରରେ ଡାକ୍ତର ସମ୍ବିତ ପାତ୍ର, ସୁଶୀଲ କୁମାର ନାୟକ, ଚନ୍ଦ୍ରକାନ୍ତ ମହାପାତ୍ର, ରବିନ୍ଦ୍ର ଘଡୋଇ, ରାକେଶ ମେହେର ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ପରୀକ୍ଷା କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମମତା ଜେନା ସମେତ ସମସ୍ତ କର୍ମଚାରି ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।


