ବାୟୋମେଟ୍ରିକ ମେସିନ ଲାଗିଛି: କର୍ମଚାରୀଙ୍କ ମନମାନୀରେ ଚାଲିଛି କାମ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ସରକାର ନିର୍ଦେଶ ଦେଲେ, ମେସିନ ଲାଗିଲା, ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା। କିନ୍ତୁ ଫଳ ଶୂନ୍। ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ରତନପୁର ଓ ଖଣ୍ଡାସାହି ପିଏଚସି ସମେତ ଅସ୍ତରଙ୍ଗ ସିଏଚସି ରେ ଏବେ ସ୍ୱାସ୍ଥ୍ୟ ସେବା ନାମରେ ଚାଲିଛି ଠକେଇ। ଗତବର୍ଷ ସେପ୍ଟେମ୍ବର ରେ ସିଡିଏମଓ ପୁରୀ ସ୍ପଷ୍ଟ ଚିଠି ଲେଖିଥିଲେ ସମସ୍ତ ପିଏଚସି ଓ ସିଏଚସିରେ ବାୟୋମେଟ୍ରିକ ସଠିକ ସମୟରେ ପହଂଚିବା ବାଧ୍ୟତାମୂଳକ। ଉଦ୍ଦେଶ୍ୟ ଥିଲା ଗୋଟିଏ କର୍ମଚାରୀ ଠିକ୍ ସମୟରେ ଆସିବେ, ରୋଗୀ ସେବା ପାଇବେ । ମେସିନ ମଧ୍ୟ ଲାଗିଲା। କିନ୍ତୁ ବର୍ଷେ ପରେ ଦେଖାଗଲା ଏହି ମେସିନ କେବଳ କାନ୍ଥରେ ଝୁଲୁଥିବା ଖେଳନା। ବାସ୍ତବ ଚିତ୍ର କଣ? କର୍ମଚାରୀ ମନଇଚ୍ଛା ଆସୁଛନ୍ତି, ମନଇଚ୍ଛା ଯାଉଛନ୍ତି। ସକାଳ ୧୦ଟାରେ ଅଫିସ ଖୋଲିବା କଥା ହେଲେ ବି ୧୧ଟା କି ୧୨ରେ ତାଲା ଖୋଲୁଛି। ସନ୍ଧ୍ୟା ୫ଟାରେ ଛାଡିବା କଥା ହେଲେ ବି ୩ଟାରେ ସମସ୍ତେ ଗାଏବ। କେତେକ କର୍ତ୍ତବ୍ୟନିଷ୍ଠ ଡାକ୍ତର ବ୍ୟତୀତ ଅଧିକାଂଶ ବାୟୋମେଟ୍ରିକୁ ଛୁଇଁ ମଧ୍ୟ ନାହାନ୍ତି। ସବୁଠୁ ବଡ ଆଶ୍ଚର୍ଯ୍ୟ ବାୟୋମେଟ୍ରିକ ତଥ୍ୟର ଆଧାରରେ ୱାର୍କ ସାର୍ଟିଫିକେଟ ପ୍ରସ୍ତୁତ ହେଉନି। ମାସ ଶେଷରେ ହାଜରି ଖାତାରେ ଯାହା ଲେଖା ହେଉଛି ସେଇଆ ଫାଇନାଲ। ମାନେ ମେସିନ ଲଗାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ, କିନ୍ତୁ ତାକୁ କେହି ଦେଖୁ ନାହାନ୍ତି। ଦରମା କିନ୍ତୁ ମାସ ଶେଷରେ ପୂରା ଆସୁଛି। ଫଳରେ ରୋଗୀ ହଇରାଣ ହେଉଛନ୍ତି। ରତନପୁର ଓ ଖଣ୍ଡାସାହି ପିଏଚସିରେ ସମେତ ଅସ୍ତରଙ୍ଗ ସିଏଚସି ଡାକ୍ତର ଓ ଷ୍ଟାଫଙ୍କ ଅଭାବ ପୂର୍ବରୁ ଅଛି। ଯେଉଁ କେତେଜଣ ଅଛନ୍ତି ସେମାନେ ବି ଠିକ୍ ସମୟରେ ନ ଥିବାରୁ ଗର୍ଭବତୀ ମହିଳା, ଶିଶୁ ଓ ଜରୁରୀ ରୋଗୀ ଘଣ୍ଟା ଘଣ୍ଟା ବସି ଫେରୁଛନ୍ତି। ଟୀକାକରଣ, ପ୍ରସବ ସେବା ସବୁ ଠପ୍। ସ୍ଥାନୀୟ ଲୋକଙ୍କ ଖୋଲା ଅଭିଯୋଗ, “ଅସ୍ତରଙ୍ଗ ସିଏଚସିର କର୍ମଚାରୀ ରୁମ୍ ଓ ସିସିଟିଭି ଯାଞ୍ଚ କଲେ ସବୁ ସତ ବାହାରିଯିବ। ଅଧା ସମୟ ସେମାନେ କେନ୍ଦ୍ର ନ ଥାଇ ବାହାରେ ବୁଲୁଥାନ୍ତି।” ପ୍ରଶ୍ନ ଉଠୁଛି – ଯେତେବେଳେ ସରକାର ବାୟୋମେଟ୍ରିକ ପାଇଁ ନିର୍ଦେଶ ଦେଲେ, ମେସିନ କିଣାଗଲା, ତେବେ ତାହାର ତଦାରଖ କରୁଛି କିଏ? ସିଡିଏମଓଙ୍କ ଚିଠି କାଗଜରେ ସୀମିତ ରହିଲା କାହିଁକି? କାହାର ଛତ୍ର ଛାୟାରେ କର୍ମଚାରୀମାନେ ଏତେ ସାହସ ପାଉଛନ୍ତି? ସ୍ୱାସ୍ଥ୍ୟ ବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗରିବଙ୍କୁ ସେବା ଦେବାକୁ କହୁଛି। କିନ୍ତୁ ମୂଳସ୍ତରରେ କର୍ମଚାରୀଙ୍କ ଏହି ଆନୁସ୍ତାନିକତା ଯୋଗୁଁ ସବୁ ଯୋଜନା ଫେଲ୍ ହେଉଛି। ତୁରନ୍ତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ସଚିବ ହସ୍ତକ୍ଷେପ କରନ୍ତୁ। ବାୟୋମେଟ୍ରିକ ତଥ୍ୟ ଅନୁସାରେ ତୁରନ୍ତ ଦରମା କଟାଯାଉ। ଅଚାନକ ଯାଞ୍ଚ କରି ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ। ନଚେତ୍ ଆଗକୁ ଦିନରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତାଲା ଝୁଲିବ କିନ୍ତୁ ଦରମା ସମସ୍ତଙ୍କ ଆକାଉଣ୍ଟକୁ ଯିବ।ସ୍ୱାସ୍ଥ୍ୟ ସେବା ନାମରେ ଏହି ଲୁଟ୍ ଆଉ ଚଳିବ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ