ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କଲେ ବିଜେପି କର୍ମୀ

ବାଲେଶ୍ବର(ସରୋଜ ପଣ୍ଡା): ନିଟ୍ ପ୍ରଶ୍ନ ପତ୍ର ମାମଲାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ବିଜେଡି ଓ କଂଗ୍ରେସ ଦଳର ହୀନ ରାଜନୀତିକୁ ବିରୋଧ କରିଛି ଭାରତୀୟ ଜନତା ପାର୍ଟି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦରନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ସ୍ଥାନୀୟ ଫାଣ୍ଡିଛକ ଠାରେ ବିରୋଧ ପ୍ରଦର୍ଶନ କରାଯାଇଛି । ସଦର ବିଧାୟକ ମାନସ କୁମାର ଦତ୍ତ ଏହି ପ୍ରଦର୍ଶନରେ ଯୋଗଦେଇ ବିଜେପିକୁ ବିରୋଧ କରିବାକୁ ଯାଇ ଦିଲ୍ଲୀର ଜନ୍ତରମନ୍ତର ଠାରେ ଛାତ୍ର ଆନ୍ଦୋଳନ ନାମରେ ଦେଶ ବିରୋଧି କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରିଥିଲେ । ଏହିଭଳି ଛାତ୍ର ଆନ୍ଦୋଳନକୁ ବିରୋଧି ଦଳମାନେ ସମର୍ଥନ ଜଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ନିଟ୍ ପ୍ରଶ୍ନ ପତ୍ର ଲିକ୍ ଆଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମାଗୁଥିବା ଓଡିଶା ବିଧାନସଭାର ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ମାତ୍ର ହତାଶାର ପରିଚୟ ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି । ବିଜେଡି ଶାସନ କାଳରେ ୨୦୧୭ ମସିହାରେ ମ୍ୟାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା କି, ନର୍ସିଂ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବି କେଉଁ ମନ୍ତ୍ରୀଙ୍କ ଇସ୍ତଫା ମାଗିଥିଲେ । ଏସଆଇ ପରୀକ୍ଷା କେଳେଙ୍କାରୀ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଓଡିଶା ସବଅର୍ଡିନେଟ ଷ୍ଟାଫ୍ ସିଲେକ୍‌ସନ ମାଧ୍ୟମରେ ଅମିନ ଓ ଆରଆଇ ପରୀକ୍ଷା କେଳେଙ୍କାରୀ ଯୋଗୁଁ ଆନ୍ଦୋଳନକାରୀ ଆଶାୟୀଙ୍କୁ ପିଟିମାରି, ସେମାନଙ୍କୁ ଫ୍ୱାଟର ଗନ ଦ୍ୱାରା ଧରାଶାରୀ କରାଯାଇଥିଲା । ସେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ନୈତିକତା କୁଆଡେ ଯାଇଥିଲା ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ ଉଠାଇଛନ୍ତି । ଶାସନ କ୍ଷମତାରୁ ବିତାଡିତ ହେବା ପରେ ରଙ୍ଗ ବଦଳୁଥିବା ଏଣ୍ଡୁଓ ରାଜନୀତି ମାଧ୍ୟମରେ ଗଣତନ୍ତ୍ରକୁ ହତ୍ୟା ପାଇଁ ନବୀନ ବାବୁଙ୍କ ଅପଚେଷ୍ଟା କଦାଚିତ ସଫଳ ହେବ ନାହିଁ ବୋଲି ଶ୍ରୀ ଦତ୍ତ ଦମ୍ଭର ସହ ପ୍ରକାଶ କରିଛନ୍ତି । ସେହିପରି ଦିଲ୍ଲୀର ଜନ୍ତରମନ୍ତର ଠାରେ ଦେଶ ଓ ଧର୍ମ ବିରୋଧୀ ସ୍ଲୋଗାନ ଦେଇ ଶାସନ ବ୍ୟବସ୍ଥାକୁ ବିରୋଧ କରୁଥିବା ଆନ୍ଦୋଳନକାରୀଙ୍କୁ ଦୃଢ ହସ୍ତରେ ଦମନ ପାଇଁ ସେ ଦାବି ଜଣାଇଛନ୍ତି । ରାଜନୀତିରେ ନିଜ ଭାବମୂର୍ତ୍ତିକୁ ଚିକ୍‌କଣ କରିବାକୁ ଯାଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଅବରୋଧ ସହ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ହସ୍ତକ୍ଷେପ ଭଳି ଜଘନ୍ୟ ଅପରାଧ କରିଚାଲିଛନ୍ତି । ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି ରାହୁଳ ଗାନ୍ଧୀ ଓ ନବୀନ ପଟ୍ଟନାୟକ ଏକ ଓ ଅଭିନ୍ନ ଭାବେ ପରିଚୟ ଦେଉଛନ୍ତି । ଦେଶରେ ୫୦ବର୍ଷ ଧରି ଶାସନ ଦାୟିତ୍ୱରେ ଥିବା କଂଗ୍ରେସ ଓ ଓଡିଶାରେ ୨୫ବର୍ଷ ଶାସନରେ ରହି ବିଜେଡି ଦଳ ଛାତ୍ରଛାତ୍ରୀଙ୍କ ପାଇଁ ସକାରାତ୍ମକ ପଦକ୍ଷେପ ନେବାରେ ବିଫଳ ହୋଇଥିଲେ ବି କୌଣସି ପରିସ୍ଥିତିରେ ଦେଶବାସୀଙ୍କ ନିକଟରେ ଉତ୍ତରଦାୟିତ୍ୱ ରହିନାହାନ୍ତି । ତେଣୁ ବିଜେଡି ଓ କଂଗ୍ରେସ ଭଳି ଦଳଙ୍କ ସାମ୍ପ୍ରତିକ ହୀନ ରାଜନୀତିର କଡା ଜବାବ ଭାରତୀୟ ଜନତା ପାର୍ଟି ଦେବ ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି। ରବି ନାରାୟଣ ମହାପାତ୍ର, ସିପ୍ରା ବାଜପେୟୀ, ପର୍ଶୁରାମ ବେହେରା, ସୁଷମା ରାଣୀ ବିଶ୍ୱାଳ, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସତ୍ୟ ଶିବ ସୁନ୍ଦର ଦାଶ, ରୋଜାଲିନ ପାଣି, ସସ୍ମିତା ନାଥ, ନିରୁପମା ଦାଶ, ନିତ୍ୟ ଗୋପାଳ ସିଂ, ଚିତ୍ତରଞ୍ଜନ ପଣ୍ଡା, ଭାଗବତ ସାହୁ, ମୁନା ମହନ୍ତ, ପବନ କମିଳା, ପ୍ରତାପ ପ୍ରଧାନ, ଧୀରଜ ମହାନ୍ତି, କାହ୍ନୁ ମହାଳିକ, ରାଜେନ୍ଦ୍ର ଚାଟାର୍ଜି, ସୁଧାଂଶୁ ପଣ୍ଡା, ସୌଭାଗ୍ୟ ମାନସ ନାୟକ, ସର୍ବେଶ୍ୱର ମହାନ୍ତି, ରବି ପ୍ରଧାନ, କେଶବ ଆଚାର୍ଯ୍ୟ, କାର୍ତ୍ତିକ ରାଉତ, ହରେନ୍ଦ୍ର ପ୍ରଧାନ, ମନୋରଞ୍ଜନ ନନ୍ଦୀ, ମନ୍ମୟ ଦାସ, ଉମେଶ ବେହେରା, ବିଜୟ ପୃଷ୍ଟି, ଜିତେନ୍ଦ୍ର ପରମାଣିକ, ଜୟନ୍ତ ସେଠି, ସସ୍ମିତା ଦାଶ, ସସ୍ମିତା ଶୁକ୍ଳ, ଶ୍ରୀୟା ଦାସ, ପ୍ରମୁଖ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇ  ବିଜେଡି ଓ କଂଗ୍ରେସ ଦଳ ସମେତ ଦିଲ୍ଲୀର ଅନୈତିକ ଆନ୍ଦୋଳନ ଉପରେ ବର୍ଷିଥିଲେ । ଶେଷରେ ବିଜେପି କର୍ମୀମାନେ ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ