ବିଜେପି ଛାଡି କଂଗ୍ରେସରେ ସାମିଲ ହେଲେ ବିଜେପି କର୍ମୀ
ହାଟଡିହି (ଓ୍ବାଇଏନଏସ): ବିଜେପି ସରକାରର ଭ୍ରଷ୍ଟାଚାର, ଦୁର୍ନୀତି ଓ ଜନବିରୋଧୀ ଶାସନକୁ ବିରୋଧ କରି ଆଜି ହଦଗଡ଼ ଗ୍ରାମପଞ୍ଚାୟତର ବହୁ ବିଜେପି କର୍ମୀ ଲୋକସଭାର ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ , ପୁର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ବିଚାରଧାରା ଏବଂ କଂଗ୍ରେସର ନୀତି-ଆଦର୍ଶରେ ଅନୁପ୍ରାଣିତ ହୋଇ ଶଙ୍ଖଣାସ୍ଥିତ ଜୟଦେବ ଜେନାଙ୍କ ବାସଭବନରେ ସସମ୍ମାନେ କଂଗ୍ରେସ ପରିବାରରେ ସାମିଲ ହୋଇଛନ୍ତି । ସେମାନେ ଆସନ୍ତା ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ବିଜୟୀ କରିବା ସହିତ ଜନସାଧାରଣଙ୍କ ଅଧିକାର, ସମ୍ମାନ ଓ ନ୍ୟାୟ ପାଇଁ ଏକାଠି ଲଢ଼ିବାର ଦୃଢ଼ ସଂକଳ୍ପ ନେଇଛନ୍ତି । ବାସୁଦେବ ନାଇକ, ଜିତେନ୍ଦ୍ର ନାଇକ, ବିଷ୍ଣୁ ନାଇକ, ହରେକୃଷ୍ଣ ନାଇକ, ରାଜୀବ ନାଇକ, ଜଗନ୍ନାଥ ନାଇକ, ମିଥୁନ ନାଇକ, ଗୋବିନ୍ଦ ନାଇକ, ମୁନା ନାଇକ ପ୍ରମୁଖ କଂଗ୍ରେସରେ ସାମିଲ ହୋଇଥିବା ବେଳେ ପୂର୍ବତନ ପସିସି ସଭାପତି ଜୟଦେବ ଜେନା ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ। କଂଗ୍ରେସ କେବଳ ଏକ ଦଳ ନୁହେଁ—କଂଗ୍ରେସ ହେଉଛି ଭାରତ ଗଢ଼ିବାର ଏକ ଐତିହାସିକ ଶକ୍ତି। କଂଗ୍ରେସ ଦେଶକୁ ଗଢ଼ିଛି, ଆଗାମୀ ଦିନରେ ମଧ୍ୟ କଂଗ୍ରେସ ଦେଶ ଓ ଓଡ଼ିଶାର ବିକାଶର ନେତୃତ୍ୱ ନେବ ବୋଲି ଜୟଦେବ ଜେନା ମତବ୍ୟକ୍ତ କରିଥିଲେ।


