କେନ୍ଦ୍ରାପଡା ଜିଲ୍ଲାରେ ବଢୁଛି ବିଜେପି ଦଳର ଦବଦବା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏବେ ତୃଣମୂଳ ସ୍ତରର ନେତାଙ୍କୁ କିମିଆ କରିଛି ବିଜେପି ଖୋଳ। ବିଜେଡି ଓ କଂଗ୍ରେସ ସମର୍ଥନରେ ୨୦୨୨ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିବା ନେତାମାନେ ଏବେ ଆଉ ପ୍ୟାରେଣ୍ଟ ଦଳକୁ ପସନ୍ଦ କରୁନାହାଁନ୍ତି। ଏହାର କାରଣ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ ବିଜେପି ଖୋଳରେ ରହିବାକୁ ତୃଣମୂଳ ସ୍ତରରେ କାମ କରୁଥିବା ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଅନ୍ୟ ଛାମୁଆ ନେତାମାନେ ବ୍ୟାକୁଳ ହେଉଛନ୍ତି। କାରଣ ସରକାରୀ ଦଳ ସମର୍ଥନରେ ରହିବା ଦ୍ୱାରା ସେମାନେ ଯେଉଁସବୁ କାମ କରୁଛନ୍ତି ସେଗୁଡିକର ବିଲ ବ୍ଲକରେ ହୋଇଯାଉଛି। ଫଳରେ ସେମାନେ ଆର୍ôଥକ ସମସ୍ୟାରେ ପଡ଼ୁନାହାନ୍ତି। ହେଲେ ଯେଉଁ ତୃଣମୂଳ ସ୍ତରର ନେତାମାନେ ପ୍ରଥମେ ପ୍ରଥମେ ନିଜର ପ୍ୟାରେଣ୍ଟ ଦଳ ମୋହ ଛାଡିଲେ ନାହିଁ ସେମାନଙ୍କ ବିଲ ବ୍ଲକରେ ଅଟକିଗଲା। ସେମାନେ ଆର୍ôଥକ ଭାବେ ଦେବାଳିଆ ହୋଇଗଲେ। ସରକାରୀ ଅଧିକାରୀ ମାନଙ୍କ ଜରିଆରେ ଛାମୁଆ ନେତାମାନଙ୍କୁ ସୂଚନା ଦିଆଗଲା ଯେ ପଦ୍ମ ଫୁଲକୁ ଭିତିରିଆ ସମର୍ଥନ କର। ବିଜେପିର ରାଜ୍ୟ ସ୍ତରୀୟ ନେତା କି ଜାତୀୟ ସ୍ତରୀୟ ନେତାଙ୍କୁ ସାମାଜିକ ଗଣମାଧ୍ୟମ କିମ୍ବା କୌଣସି ସ୍ଥାନରେ ବଦନାମ କଲେ କୌଣସି ସରପଞ୍ଚ, ସମିତିସଭ୍ୟ କି ଜିଲ୍ଲା ପରିଷଦ ସଭ୍ୟଙ୍କ ସମର୍ଥକ ଠିକାଦାର କି ସମ୍ପର୍କୀୟ ଠିକାଦାର କାହାର ବିଲ ପାସ ହେବନାହିଁ। ଏଥିସହ ପଞ୍ଚାୟତକୁ ପ୍ରକଳ୍ପ ମଧ୍ୟ ଦିଆଯିବନାହିଁ। ନିକଟରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାଟକୁରା ନିର୍ବାଚନ ମଣ୍ଡଳୀରେ। ପାଟକୁରା ବିଧାୟକ ବିଜେଡିରୁ ନିଲମ୍ବନ ହେବାପରେ ସେ ବିଜେପି ଖୋଳପାରେ ରହିଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳଥିଲା ସେ ଯେତେବେଳେ ବିଜେପି ସମର୍ôଥତ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲେ। ସେ ବିଜେପି ସମର୍ଥନରେ ଥିବାରୁ ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାମ କରିବା ପାଇଁ ପୂର୍ବରୁ ଯେଉଁ ସମସ୍ୟା ହେଉଥିଲା ଏବେ ତାହା ହେଉନାହିଁ। କାରଣ ସେ ବିଜେଡି ଟିକେଟରେ ପାଟକୁରାରେ ନିର୍ବାଚନ ଜିତିଥିଲେ ମଧ୍ୟ ବିଜେପି ଟିକେଟରେ ତାଙ୍କ ଠାରୁ ହାରିଥିବା ବିଜେପି ନେତା ତେଜେଶ୍ୱର ପରିଡ଼ା ଏହି ନିର୍ବାଚନ ମଣ୍ଡଳୀରେ ଛାୟା ବିଧାୟକ ଭଳି କାର୍ଯ୍ୟକଲେ। ସେ ବ୍ଲକକୁ କୌଣସି କାର୍ଯ୍ୟରେ ଯିବାବେଳେ ତାଙ୍କୁ ସରକାରୀ ଅଧିକାରୀମାନେ ଚୌକି ଅଫର କଲେ। ହେଲେ ଅରବିନ୍ଦ ମହାପାତ୍ରଙ୍କୁ ସରକାରୀ ଅଧିକାରୀ ମାନେ ଅସହଯୋଗ କଲେ। ଏପରିକି ତାଙ୍କୁ ଅସମ୍ମାନ ମଧ୍ୟ କରିବାକୁ ସରକାରୀ ଅଧିକାରୀ ମାନେ ପଛାଇଲେ ନାହିଁ। ଏହା ଅରବିନ୍ଦ ହୃଦୟଙ୍ଗମ କଲେ। ଏହାସହ ରାଜ୍ୟରେ ବିଜେଡିର ଭବିଷ୍ୟତ ଆଗାମୀ ଦିନରେ କିପରି ରହିବ ତାହାର ଭବିଷ୍ୟ ବାଣୀ ତାଙ୍କ ବାପା ଅଭିଜ୍ଞ ରାଜନେତା ବିଜୟ ମହାପାତ୍ର କରିଲେ। ଫଳରେ ଅରବିନ୍ଦ ସେଫ ସାଇଡରେ ରହି ରାଜନୀତି କରିବାକୁ ଆରମ୍ଭ କଲେ। ଅର୍ଥାତ ସେ ଭିତିରିଆ ବିଜେପିକୁ ସମର୍ଥନ କଲେ। ଏପରିକି ଚିଟ ଫଣ୍ଡରେ ସମ୍ପୃକ୍ତ ଥିବା ନେତାମାନଙ୍କୁ ଗିରଫ କରାଯାଉ ବୋଲି ସେ ବିଧାନସଭାରେ ଦାବି କଲେ। ବିଜେଡି ହରଡ଼ଘଣାରେ ପଡିଯିବା ଭୟରେ ତାଙ୍କୁ ଦଳରୁ ନିଲମ୍ବିତ କଲା। ଏଥିରେ ତାଙ୍କର ବିଶେଷ କ୍ଷତି ହେଲାନାହିଁ। ସେହିପରି ଏହି ଘଟଣା ପୂର୍ବରୁ ମହାକାଳ ନିର୍ବାଚନ ମଣ୍ଡଳୀରେ ଆଉ ଏକ ଘଟଣା ଘଟିଲା। ଏଠାରେ ବିଜେଡି ସମର୍ଥନରେ ବିଜୟୀ ହୋଇଥିବା ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟାନ୍ୟ ଛାମୁଆ ନେତାଙ୍କୁ ସରକାରୀ ଅଧିକାରୀଙ୍କ ଜରିଆରେ ହଇରାଣ ହରକତ କରାଗଲା। ଯେଉଁମାନେ ଶଙ୍ଖ ମୋହରେ ରହିଲେ ସେମାନଙ୍କ ପଞ୍ଚାୟତକୁ କୌଣସି ପ୍ରକଳ୍ପ ଗଲାନାହିଁ। ବ୍ଲକରେ କାମ ଅଟକାଇ ଦିଆଗଲା। ଫଳରେ ଛାମୁଆ ନେତାମାନେ ଆର୍ôଥକ ଭାବେ ଦୁର୍ବଳ ହୋଇଗଲେ। ତେଣୁ ସେମାନେ ବିଜେପି ଖୋଳରେ ରହିବା ପାଇଁ ଅଣ୍ଟା ଭିଡ଼ିଲେ। ଶେଷରେ ଏହି ବ୍ଲକରେ ଅଧ୍ୟକ୍ଷ ଥିବା ବିଜେଡି ସମର୍ôଥତ ପ୍ରାର୍ଥୀ କଳ୍ପନା ରାଉତଙ୍କ ବିରୋଧରେ ସରପଞ୍ଚ ଓ ସମିତିସଭ୍ୟ ମାନେ ଅନାସ୍ଥା ଆଣିଲେ। ଏହାପରେ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେଲା। ୩୧ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ୬୨ ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କ ମଧ୍ୟରୁ ବିଜେପି ସମର୍ôଥତ ପ୍ରାର୍ଥୀ ମୀରା ରାଣୀ ମହାନ୍ତିଙ୍କୁ ୪୯ ଜଣ ଛାମୁଆ ନେତା ଭୋଟ ଦେଲେ। ଫଳରେ ବିଜେଡି ସମର୍ôଥତ ବ୍ଲକ ଅଧ୍ୟକ୍ଷ କଳ୍ପନା ରାଉତଙ୍କୁ ପଦ ହରାଇବାକୁ ପଡିଲା।୨୦୨୪ରେ ଓଡ଼ିଶାରେ ବିଜେପି ଶାସନକୁ ଆସିଲା। ଏହାପରେ ବିଜେପି ଦିଲ୍ଲୀ ଦଖଲ କଲା। ଏବେ ବିଜେପି ବିହାର ଦଖଲ କରିଛି। ଏହାର ପ୍ରଭାବ ତୃଣମୂଳ ସ୍ତରରେ ପଡୁଛି। ତୃଣ ମୂଳ ସ୍ତରର ନେତାମାନେ ବିଜେପି ସହ ରହିବା ପାଇଁ ଚାହୁଁଛନ୍ତି। ୨୦୨୭ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥନରେ ବିଜୟୀ ହେବାପାଇଁ ତୃଣମୂଳ ସ୍ତରରେ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ୱାର୍ଡ ସଭ୍ୟ ପଦ ଦଖଲ କରିବା ପାଇଁ ଚାହୁଁଛନ୍ତି। କାରଣ ଏଥିରେ ନେତାଙ୍କ ଦୁଇ ପ୍ରକାର ଫାଇଦା ରହିଛି। ଯଦି ବିଜୟୀ ହୁଅନ୍ତି ସରକାରଙ୍କ ସହ ରହି ଆର୍ôଥକ ଭାବେ ଲାଭବାନ ହେବେ। ଯଦି କୌଣସି କାରଣରୁ ହାରିଯାନ୍ତି ତେବେ ନିଜ ପଞ୍ଚାୟତରେ ଆକ୍ଟିଭ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଭଳି କାମ କରିବେ। କାରଣ ସରକାରୀ ଅଧିକାରୀମାନେ ବିଜେପି ଖୋଳରେ ଥିବା ଛାମୁଆ ନେତାଙ୍କୁ ଅଗ୍ରାଧିକାର ଦେଉଛନ୍ତି। ଏହା ହୃଦୟଙ୍ଗମ କରିବାପରେ ବିଜେପି ସହ ପରୋକ୍ଷରେ ରହିବା ପାଇଁ ଏବେ ବିଜେଡି ଓ କଂଗ୍ରେସ ଦଳର ଛାମୁଆ ନେତାମାନେ ତୃଣ ମୂଳ ସ୍ତରରେ ବ୍ୟାକୁଳ ହେଉଛନ୍ତି ବୋଲି ଜଣେ ରାଜନୈତିକ ସମୀକ୍ଷକ କହିଛନ୍ତି।


