ବ୍ଲକ କଳା ସଂସ୍କୃତି ସଂଘର ବୈଠକ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କଳା ସଂସ୍କୃତି ସଂଘର ଏକ ଜରୁରୀ ବୈଠକ କାର୍ଯ୍ୟାଳୟର ସଭାଗୃହ ରେ ଅନୁଷ୍ଠିତ ହୋଇ ଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ସଂଘ ର ସଭାପତି ରଂଜନ କୁମାର ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ଅର୍ଦ୍ଧଶତାଧିକ କଳାକାର ଯୋଗଦେଇ କେତେଜଣ ମୁଷ୍ଟିମେୟ କଳାକାରଙ୍କ ଲିଖିତ ଅଭିଯୋଗ ସଂପର୍କିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏ ନେଇ ବିଷଦ୍ ଭାବେ ଆଲୋଚନା ହେବାପରେ ଅଭିଯୋଗ ପତ୍ରରେ ବର୍ଣ୍ଣିତ ବିଷୟଗୁଡ଼ିକ ଅମୂଳକ ତଥା ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଥିଲା।ଏପରିକି ମନ୍ଦ ଉଦ୍ଦେଶ୍ଯ ରଖି ସଂଘର ସ୍ବଳ୍ପ ସଂଖ୍ଯକ କଳାକାର ଉପ ସଭାପତିଙ୍କ କାର୍ଯ୍ୟଧାରା ସଂପର୍କିତ ନକରାତ୍ମକ ମନ୍ତବ୍ଯ ପ୍ରଦାନ କରି ନିନ୍ଦିତ ହୋଇଥିବାର ସଭା ଅନୁଭବ କରିଥିଲା।ପରିଶେଷର ସଂଘର ସରକାରୀ ସଂପାଦକ ସ୍ବାତି ସିଂ ପାରସ୍ପରିକ ବୁଝାମଣା ସୂତ୍ରରେ କଳାକାରଙ୍କ ତରଫରୁ ଜଣେ ସଂପାଦକ ବାଛିବା ପାଇଁ ପ୍ରସ୍ତାବ ଦେବାରୁ ବରିଷ୍ଠ ପାଲାକାର ବାବାଜୀ ଚରଣ ଜେନାଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ଏହି ବୈଠକରେ ବିଭିନ୍ନ ବର୍ଗର ବରିଷ୍ଠ ଓ କନିଷ୍ଠ କଳାକାର ମାନେ ଅଂଶଗ୍ରହଣ କରିଥିଲେ।


